କଏନ୍‌ ନେବାକୁ ଅମଙ୍ଗ ଦୋକାନୀ, କହୁଛନ୍ତି- ଖୁଚୁରା ଆଉ ଚଳୁନି

କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ରଖିଲା ସ୍ପଷ୍ଟୀକରଣ।

Traders in Berhampur complaint over non acceptance of 10 Rupee

ବ୍ରହ୍ମପୁରରେ ଚଳୁନି ୧୦ ଟଙ୍କିଆ କଏନ୍। କେବଳ ୧୦ ଟଙ୍କିଆ କଏନ୍ ନୁହେଁ, ଛୋଟ ଏକ ଟଙ୍କିଆ କଏନ୍ ବି ନେଉନାହାନ୍ତି ବ୍ୟବସାୟୀ। ଖାଲି ବ୍ୟବସାୟୀ ନୁହନ୍ତି, କେତେକ ସ୍ଥଳେ ବ୍ୟାଙ୍କ ବି ଗ୍ରାହକଙ୍କ ଠାରୁ କଏନ୍ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକଙ୍କ ଭିତରେ ବଢ଼ୁଛି ଅସନ୍ତୋଷ। ବ୍ୟବସାୟୀ କଏନ୍ ଗ୍ରହଣ କରୁ ନଥିବାରୁ ନିକଟରେ ବ୍ରହ୍ମପୁର ସହରତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। କେବଳ ବ୍ରହ୍ମପୁର ନୁହେଁ, ଦକ୍ଷିଣ ଓଡ଼ିଶାକୋରାପୁଟ, ରାୟଗଡ଼ା ସମେତ ରାଜ୍ୟର ଅନେକ ଅଞ୍ଚଳରେ ଏବେ ସେଇ ସମାନ ଅବସ୍ଥା।

ତେବେ କାହିଁକି ୧୦ ଟଙ୍କିଆ କଏନ୍ ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ବ୍ୟବସାୟୀ ପଚାରିଲେ ଗୋଟିଏ ଉତ୍ତର, ଲୋକେ ଆମଠୁ ୧୦ ଟଙ୍କିଆ କଏନ୍ ନେଉନାହାନ୍ତି। ତେଣୁ ଆମେ ଏସବୁ ରଖି କରିବୁ କଣ? 

କଏନ୍ ଅଚଳ ପ୍ରସଙ୍ଗ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ନିଜ ସ୍ପଷ୍ଟୀକରଣରେ କହିଛି, କୌଣସି ବିଭ୍ରାନ୍ତିକର ସୂଚନା ବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ୫୦ ପଇସା ବା ତାଠାରୁ ଅଧିକ ମୂଲ୍ୟର ସମସ୍ତ କଏନ୍ ଲିଗାଲ ଟେଣ୍ଡର ବା ଆଇନଗତ ଭାବେ ବୈଧ। ଭାରତ ସରକାର ସମୟ ସମୟରେ ବିଭିନ୍ନ ଆକାର, ଥିମ୍ ଓ ଡିଜାଇନ୍‌ର ୫୦ ପଇସା, ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ କଏନ୍ ପ୍ରଚଳନ କରିଛନ୍ତି। ଏ ସମସ୍ତ କଏନ୍ ବୈଧ।

ଆରବିଆଇ କେବଳ କଏନ୍‌ର ବିତରଣ କରିଥାଏ। ଖାଲି ସେତିକି ନୁହେଁ, କଏନେଜ୍ ଆକ୍ଟ ୨୦୧୧ ଅନୁସାରେ ନେଣଦେଣ ସମୟରେ ଜଣେ ଏକକାଳୀନ ଟଙ୍କିକିଆରୁ ଊର୍ଦ୍ଧ୍ୱ ମୂଲ୍ୟର ୧ ହଜାର ଟଙ୍କା ଯାଏଁ କଏନ୍ ପେମେଣ୍ଟ କରିପାରିବ। ସେହିପରି ୫୦ ପଇସା କ୍ଷେତ୍ରରେ ଏହି ସୀମା ସର୍ବାଧିକ ୧୦ ଟଙ୍କା ଆରବିଆଇ କହିଛି, ନେଣଦେଣ ସମୟରେ କଏନ୍ ଗ୍ରହଣ କରିବା ଲାଗି ସମସ୍ତ ବ୍ୟାଙ୍କକୁ ନିୟମ ଓ ସର୍ତ୍ତାବଳି ସହ ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ଏହାର ଉଲ୍ଲଂଘନ ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ମଧ୍ୟ ରହିଛି।

(କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା, ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ସହ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ)