Advertisment

ବଜାରରେ ପୁଣି ହାଉଜାଉ ସବୁଠୁ ବଡ଼ ନୋଟ୍, ଆଗ ଅପେକ୍ଷା ୮ ଗୁଣା ବଢ଼ିଯାଇଛି ବ୍ୟବହାର

ବ୍ୟାଙ୍କ କାଉଣ୍ଟରରେ ସୁବିଧାରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଗ୍ରାହକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି RBI।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Rs 2000 withdrawal

୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ନିଷ୍ପତ୍ତି ପରେ ପୁଣିଥରେ ବଜାରରେ ଦେଖିବାକୁ ମିଳିଲାଣି ଏହି ବଡ଼ ନୋଟ୍। ବିଶେଷ କରି ସୁନା ଗହଣା ଦୋକାନ, ପେଟ୍ରୋଲ ପଂପରେ ଏହି ଗୋଲାପୀ ନୋଟ୍ ବଦଳାଇବାକୁ ଚେଷ୍ଟା କରୁଛନ୍ତି ଲୋକେ। ହେଲେ ଖୁଚୁରା ନ ଥିବାର ବାହାନା ଦେଖାଇ ଛୋଟ ଦୋକାନୀ ୨ ହଜାର ଟଙ୍କିଆ ନେଉ ନଥିବା ବେଳେ ୨୦୧୬ର  ଝଟକା ଖାଇଥିବା ବଡ଼ ବ୍ୟବସାୟୀ ଏହାକୁ ଛୁଇଁବାକୁ ନାରାଜ। ଏପଟେ RBI ଗଭର୍ଣ୍ଣର ଲୋକଙ୍କୁ ଆଶ୍ବସ୍ତ କରି କହିଛନ୍ତି, ବଡ଼ ନୋଟ୍ ପ୍ରତ୍ୟାହାରକୁ ନେଇ କେହି ବିଚଳିତ ହୁଅନ୍ତୁ ନାହିଁ। ଆସନ୍ତାକାଲିଠାରୁ ସେପ୍ଟମ୍ବର ୩୦ ଯାଏ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ।

Advertisment

ପ୍ରତ୍ୟାହାର ନିଷ୍ପତ୍ତି ପରେ ବଜାରରେ ଘୁରିଲାଣି ୨ ହଜାର ଟଙ୍କିଆ ପେଟ୍ରୋଲ ପମ୍ପ, ସୁନା ଦୋକାନକୁ ଆସୁଛି ପୁଳା ପୁଳା ଗୋଲାପୀ ନୋଟ୍। ଆଗ ଅପେକ୍ଷା ୮ ଗୁଣା ବଢ଼ିଛି ବ୍ୟବହାର। ୨ ହଜାର ଟଙ୍କିଆ ନୋଟ୍ ଲିଗାଲ୍ ଟେଣ୍ଡର, ବ୍ୟାଙ୍କରେ ଜମା କିମ୍ବା ବଦଳାଇ ହେବ ବୋଲି ବାରମ୍ବାର କହିଆସୁଛି RBI । ହେଲେ ୨୦୧୬ରେ ନୋଟବନ୍ଦୀର ଝଟକା ଖାଇଥିବା ଜନତା କିନ୍ତୁ ବୁଝିବାକୁ ନାରାଜ। ନିଜ ପାଖରେ ଥିବା ଗୋଲାପୀ ନୋଟର ପିଛା ଛଡ଼ାଇବାକୁ ଚଳାଇଛନ୍ତି ପ୍ରୟାସ।

ପେଟ୍ରୋଲ, ଡିଜେଲ କିମ୍ବା ଜିନିଷ କିଣିବା ବାହାନାରେ ନୋଟ୍ ବଦଳାଇବାକୁ ପେଟ୍ରୋଲ ପମ୍ପ, ସୁନା ଦୋକାନ କିମ୍ବା ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନକୁ ଧାଉଁଛନ୍ତି ଲୋକେ। ଖାସ୍ ସେଇଥିଲାଗି ପେଟ୍ରୋଲ ପମ୍ପରେ ପାଖାପାଖି ୭-୮ ଗୁଣା ବଢ଼ିଯାଇଛି ୨ ହଜାର ଟଙ୍କିଆ ନୋଟର ବ୍ୟବହାର। ଏପଟେ ଖୁଚୁରା ନ ଥିବାର ବାହାନା କରି ଖୁଚୁରା ଦୋକାନୀ କିନ୍ତୁ ଗୋଲାପୀ ନୋଟ୍ ନେବାକୁ ସିଧାସିଧା ମନା କରିଦେଉଛନ୍ତି।

Advertisment

ସେହିଭଳି ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ୨୦୧୬ ନୋଟବନ୍ଦୀ ବେଳେ ବଡ଼ ନୋଟ୍ ରଖି ଏବେ ଯାଏଁ ଆୟକର ବିଭାଗର ନୋଟିସ୍ ପାଉଛୁ। ୨ ହଜାର ଟଙ୍କିଆ ନୋଟ୍ ନେଇ ଆଉ ସେ ଭୁଲ କରିବୁନି। 

ଏପଟେ ବ୍ୟାଙ୍କ କାଉଣ୍ଟରରେ ସୁବିଧାରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଗ୍ରାହକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି RBI। ଅନ୍ୟପଟେ ଦ୍ୱନ୍ଦ୍ୱ ଭିତରେ ଥିବା ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ବାଣୀ ଶୁଣାଇଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। କହିଛନ୍ତି, ୨ ହଜାର ଟଙ୍କିଆ ନୋଟ୍ ସଚଳ। ବଜାରରେ ପର୍ଯ୍ୟାପ୍ତ ଅନ୍ୟ ନୋଟ୍ ବି ମହଜୁଦ ଅଛି।

ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ସେପ୍ଟେମ୍ବର ୩୦ ଯାଏଁ ୪ ମାସ ସମୟ ଦିଆଯାଇଛି । ତେଣୁ ଲୋକମାନେ ବ୍ୟାଙ୍କରେ ଅଯଥା ଗହଳି କରିବାର ଆବଶ୍ୟକତା ନାହିଁ। ୨ ହଜାର ଟଙ୍କିଆ ବଦଳ ପାଇଁ କୌଣସି ପରିଚୟ ପତ୍ର ଦରକାର ପଡ଼ିବନି।

ସେହିଭଳି ପ୍ରତ୍ୟାହାର ଘୋଷଣା ପରେ ଲୋକମାନେ ୨ ହଜାର ଟଙ୍କିଆ ନୋଟ୍‌କୁ ରିଅଲ୍ ଇଷ୍ଟେଟ୍ କିମ୍ବା ସୁନା କିଣାରେ ବ୍ୟବହାର କରୁଥିବା ନେଇ କରାଯାଇଥିବା ପ୍ରଶ୍ନରେ ଶକ୍ତିକାନ୍ତ କହିଛନ୍ତି, ବଜାରରେ ଏବେ ମୋଟ ୨ ହଜାର ଟଙ୍କିଆର ମାତ୍ର ୧୦.୮ ପ୍ରତିଶତ ରହିଛି। ଏଣୁ ଅର୍ଥନୀତି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

RBI
Advertisment
Advertisment