• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବଜାରରେ ଟମାଟୋ ଦାମ୍ ଆକାଶଛୁଆଁ। ସପ୍ତାହକରେ ସେଞ୍ଚୁରୀ ପାର୍। ଗୋଟିଏ ପଟେ ରାସନ୍ ଓ ଅନ୍ୟ କଞ୍ଚାପରିବାର ମହଙ୍ଗା ଦରରେ ସନ୍ତୁଳି ହେଉଥିବା ଖାଉଟି ଟମାଟୋ ଭଳି ପରିବାର ହଠାତ୍ ଅହେତୁକ ଦରବୃଦ୍ଧିକୁ ସହଜରେ ହଜମ କରିପାରୁନାହାନ୍ତି। ଏଣେ କର୍ଣ୍ଣାଟକରେ ପ୍ରବଳ ବର୍ଷା ଓ ଉତ୍ପାଦନ କମ୍ କୁ ଦାୟୀ କରିଛି ବ୍ୟବସାୟୀ ସଂଘ।

ମାସକ ତଳେ ଥିଲା ମାତ୍ର ୨୦। ସପ୍ତାହେ ତଳେ ୫୦। ଆଉ ଆଜି ସିଧା ସେଞ୍ଚୁରୀ ପାର୍। ରୋଷେଇ ଶାଳରେ ତରକାରୀ ହାଣ୍ଡିର ସୁଆଦ ବଢ଼ାଉଥିବା ଟମାଟୋ ଏବେ ଅମୂଲ ମୂଲ। ଇଏ ଭଦ୍ରକ ଏକତା ବଜାରର ସ୍ଥିତି, ଏଠି ଭଲ ଟମାଟୋ କିଲୋ ପିଛା ଭାଉ ୧୧୦ ଟଙ୍କା। ତାଠୁ ଟିକେ ଖରାପ ଥିଲେ ୯୦ରୁ ୧୦୦ ଟଙ୍କାରେ ବିକ୍ରି ଚାଲିଛି। ସମ୍ବଲପୁର, ରାୟଗଡ଼ା, ରାଉରକେଲା, କେନ୍ଦ୍ରାପଡ଼ା ହେଉ କି ବ୍ରହ୍ମପୁର ସବୁଠି ଆଜି ଦିନରେ ଉଣା ଅଧିକେ ଟମାଟୋ ରେଟ୍ ୮୦ରୁ ୧୦୦ଟଙ୍କାରେ ବିକ୍ରି ହେଉଛି। ଯେଉଁଠି ଲୋକେ କିଲେ କି ଦୁଇକିଲୋ କିଣି ନେଉଥିଲେ, ଏବେ ଅଢେଇ ଶହରୁ ବି ଅଧିକ କିଣିବାକୁ ଇଚ୍ଛା କରୁନାହାନ୍ତି।

ଗୋଟିଏ ପଟେ ରାସନ ସାମଗ୍ରୀ ମହଙ୍ଗା ହୋଇ ଚାଲିଥିବାବେଳେ ଏବେ ଟମାଟୋ ସହ ଅନ୍ୟ କଞ୍ଚା ପରିବାର ଆକାଶଛୁଆଁ ଦର ସିଧା ରୋଷେଇ ଘର ବଜେଟ୍ ବିଗାଡୁଛି ବୋଲି ଲୋକେ କହିଲେଣି। ଏଣେ ଭୁବନେଶ୍ବର ୧ ନମ୍ବର ହାଟର ବ୍ୟବସାୟୀ କହୁଛନ୍ତି ଯେଉଁଠି ତାଙ୍କ ମାର୍କେଟକୁ ଦୈନିକ ସାତରୁ ୮ ଟ୍ରିପ୍ ଟମାଟୋ ଆସୁଥିଲା, ଏବେ ମାତ୍ର ଗୋଟିଏ ଗାଡ଼ି ଆସୁଛି। ଉଚ୍ଚା ଦରରେ କିଣୁଛୁ ମାନେ ଉଚ୍ଚା ଦରରେ ବିକ୍ରି ହେବା ନିଶ୍ଚିତ।

ତେବେ ଏବେ ପ୍ରଶ୍ନ କାହିଁକି ହଠାତ୍ ଅମୂଲମୂଲ ହେଲା ଟମାଟୋ ? ରାଜ୍ୟର ଅନ୍ୟତମ ବୃହତ୍ ପରିବା ମଣ୍ଡି କଟକ ଛତ୍ରବଜାର କଞ୍ଚାପରିବା ବ୍ୟବସାୟୀ ସଂଘ ସଂପାଦକଙ୍କ କହିବାନୁସାରେ, ଏବେ କେବଳ ଗୋଟିଏ ସ୍ଥାନ ବେଙ୍ଗଳୁରୁରୁ ହିଁ ଟମାଟୋ ଓଡ଼ିଶାକୁ ଆସୁଛି। ବାକି ଅନ୍ୟ ସବୁଠି ରେଟ୍ ଅତି ଉଚ୍ଚା। ତାସହ କର୍ଣ୍ଣାଟକରେ ପ୍ରବଳ ବର୍ଷାରେ ଟମାଟୋ ଫସଲ ନଷ୍ଟ ସାଙ୍ଗକୁ କିଛି ମାସ ତଳେ ଅଭାବୀ ବିକ୍ରୀ ପାଇଁ ସେଠି ଏ ଚାଷ ପ୍ରତି ଅନାଗ୍ରହ, ବିଲାତି ଦର ବୃଦ୍ଧିର ଅନ୍ୟତମ ବଡ଼ କାରଣ।

ତାସହ ସେଠି ଏବେ ବ୍ୟବସାୟୀଙ୍କ ମନମୁଖୀ ଦର ନିର୍ଦ୍ଧାରଣ ଯୋଗୁଁ ବି ରେଟ୍ ବଢ଼ି ବଢ଼ି ଚାଲିଛି। ନୂଆ ଟମାଟୋ ଫସଲ ନବାହାରିବା ଯାଏଁ ଏମିତି ରେଟ୍ ଚଢ଼ା ରହିବ। ଏଣେ ଆମ ରାଜ୍ୟରେ କେବଳ ନଭେମ୍ବର କିମ୍ବା ଡିସେମ୍ବରରେ ହିଁ ବିଲାତି ଚାଷ କରାଯାଏ। ତାଛଡ଼ାଉତ୍ପାଦିତ ଟମାଟୋର ସଂରକ୍ଷଣ ପାଇଁ ବି ବ୍ୟବସ୍ଥା ନଥିବାରୁ ଘୋର କ୍ଷତି ସହୁଥିବା ଚାଷୀ, ଆଉ ଏ ଫସଲ କରିବାକୁ ମନବଳାଉ ନାହାନ୍ତି, ଯାହାର କୁପରିଣାମ ସିଧା ସାଧାରଣ ଖାଉଟି ଭୋଗୁଛନ୍ତି ବୋଲି କହିଲେଣି ବୁଦ୍ଧିଜୀବୀ। ଏବେ ଅପେକ୍ଷା ଟମାଟୋ ଦର ସାମାନ୍ୟ ସ୍ଥିତିକୁ ଆସିବାକୁ କେତେ ଦିନ ଲାଗୁଛି।