• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ହୁ ହୁ ହୋଇ ବଢ଼ି ଚାଲିଛି ଡାଲି ଦର। ଗତ ୩ ମାସ ମଧ୍ୟରେ କିଲୋ ପିଛା ୪୦ରୁ ୪୫  ଟଙ୍କା ବଢ଼ିଲାଣି ହରଡ ଡାଲି। ଅନ୍ୟ ଡାଲି ଦର ବି କିଲୋ ପିଛା ୧୦ରୁ ୧୫ ଟଙ୍କା ବଢ଼ିବାରୁ ଚିନ୍ତାରେ ଖାଉଟି। ହେଲେ ହରଡ଼ ଡାଲିର ଅମଳ ସମୟରେ ବି କାହିଁକି ଏ ଦରବୃଦ୍ଧି। ରାଜ୍ୟ ବ୍ୟବସାୟୀ ସଂଘ ଏଥିପାଇଁ ରିଟେଲ ବ୍ୟବସାୟରେ ଥିବା ବଡ଼ ବଡ଼ କର୍ପୋରେଟ ହାଉସ୍‌ଙ୍କ ହୋର୍ଡିଂକୁ ଦାୟୀ କରିଛି।

ଡାଲି ଦରରେ ଅନିୟନ୍ତ୍ରିତ ବୃଦ୍ଧି ! ତିନି ମାସ ତଳେ ଯେଉଁ ହରଡ଼ ଡାଲି ଦର ଶହେ ଟଙ୍କା ଥିଲା। ଏବେ ବଢ଼ି ବଢ଼ି ତାହା ୧୪୫ରେ ପହଞ୍ଚିଲାଣି। ୟେ ତ ହୋଲସେଲ ରେଟ୍। ରାଜଧାନୀରେ ଖୁଚୁରା ବଜାରରେ ହରଡ଼ର କିଲୋପିଛା ଦର ୧୬୦ ଛୁଇଁଲାଣି। ହେଲେ ଅମଳ ସମୟରେ ହରଡ଼ ଡାଲିର ଏ ଉଚ୍ଚା ଦରର କାରଣ କଣ? ବ୍ୟବସାୟୀ ମହାସଂଘ ଏଥିପାଇଁ ବର୍ତ୍ତମାନର ବ୍ୟବସ୍ଥାକୁ ଦାୟୀ କରିଛି। ସଂଘ ଅଭିଯୋଗ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଡାଲିକୁ ହଟାଇ ଦିଆଯିବାରୁ ବଡ଼ ବଡ଼ କର୍ପୋରେଟ ହାଉସ ଏବେ ଏହାର ଦର ନିୟନ୍ତ୍ରଣ କରୁଛନ୍ତି। ଫଳରେ ଏଭଳିସ୍ଥିତି।

ଡାଲି ଆମଦାନୀରେ ମାତ୍ର ୧୦ରୁ ୧୫ ପ୍ରତିଶତ ହ୍ରାସ ଘଟିଥିଲେ ବି ଦର ୫୦ ପ୍ରତିଶତ ପାଖାପାଖି ବଢ଼ିବା ଅସ୍ୱାଭାବିକ ବୋଲି ଦର୍ଶାଇବା ସହ ଆଗକୁ ମଧ୍ୟ ଦର ବଢ଼ି ଚାଲିବ ବୋଲି ଆଶଙ୍କା କରିଛନ୍ତି ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ। କେବଳ ହରଡ଼ ନୁହେଁ, ମୁଗ, ମସୁର, ବୁଟ ଭଳି ଡାଲିରେ ବି କିଲୋ ପିଛା ୧୦ରୁ ୧୫ ଟଙ୍କା ବଢ଼ିଛି। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ଉଭୟ ଖାଉଟି ଓ ବ୍ୟବସାୟୀଙ୍କ ଉପରେ।

କାରଣ ହାଣ୍ଡିଶାଳ ବଜେଟ୍ ବିଗିଡୁଥିବାରୁ ଖାଉଟି କିଲେ ବଦଳରେ ଅଧ କେଜିରେ କାମ ଚଳାଉଥିଲା ବେଳେ, ବ୍ୟବସାୟ ବି ପ୍ରଭାବିତ ହେଉଛି। ଖୁଚୁରା ବ୍ୟବସାୟୀଙ୍କ ମତରେ ଆମ ରାଜ୍ୟରେ ଡାଲିର ଅମଳ ଯଥେଷ୍ଟ ନାହିଁ। ତେଣୁ ଉଚ୍ଚ ଦରରେ ବାହାର ରାଜ୍ୟରୁ ଡାଲି କିଣାଯିବାରୁ ଦର ବଢୁଛି। 

  • Reported by:
  • CHANDAN PAIKRAY , Biswajit Acharya