/odishatv-khabar/media/post_attachments/uploadimage/library/16_9/16_9_0/GOLD__1680364667.jpg)
GOLD
ନୂଆ ଆର୍ଥିକ ବର୍ଷ ଆରମ୍ଭ ସହ ଆଜିଠାରୁ ଲାଗୁ ହୋଇଛି ଅନେକ ନୂଆ ନିୟମ । ଅଣ ହଲମାର୍କ ସୁନା ଗହଣା ବିକ୍ରିରେ ଲାଗିଛି ରୋକ୍ । କେବଳ ୬ ଅଙ୍କ ବିଶିଷ୍ଟ HUID ଥିବା ସୁନା ଗହଣା ବିକିପାରିବେ ଦୋକାନୀ । ଅନ୍ୟପକ୍ଷରେ ବଜେଟ୍ ଘୋଷଣା ମୁତାବକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ ସୀମା ବି ଲାଗୁ ହୋଇଛି । ରିଟର୍ଣ୍ଣ ଫାଇଲ୍ ବେଳେ ଟିକସଦାତା କୌଣସି ଆୟକର ବିକଳ୍ପ ଚୟନ କଲେ, ଆପେ ଆପେ ସେମାନଙ୍କ ପାଇଁ ନୂଆ ଆୟକର ବ୍ୟବସ୍ଥା ଲାଗୁ ହୋଇଯିବ। ଖାଲି ସେତିକି ନୁହେଁ, ବୟସ୍କ ନାଗରିକ ସଞ୍ଚୟ ସ୍କିମ୍ ଜମାରାଶି ପରିମାଣ ବି ଦ୍ୱିଗୁଣିତ ହୋଇଛି ।
ନୂଆ ଆର୍ଥିକ ବର୍ଷ, ନୂଆ ନିୟମ । ଲାଗୁହେଲା ବର୍ଦ୍ଧିତ ଆୟକର ଛାଡ଼ ସୀମା । ନୂଆ ଟିକସ ବ୍ୟବସ୍ଥାରେ ଏଣିକି ଆୟକର ମୁକ୍ତ ରହିବ ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ । ମୌଳିକ ଆୟକର ଛାଡ଼ ସୀମା ଅଢ଼େଇ ଲକ୍ଷରୁ ୩ ଲକ୍ଷ ଟଙ୍କାକୁ ବଢ଼ିଲା। ୨୦୨୩-୨୪ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ଏହି ପ୍ରସ୍ତାବ ଆଜିଠୁ ଲାଗୁ ହୋଇଛି ।
ତେବେ ଆୟକରଦାତା ଯଦି କୌଣସି ଟିକସ ବିକଳ୍ପ ଚୟନ ନ କରନ୍ତି, ସେ ନୂଆ ଟିକସ ଢାଞ୍ଚା ବାଛିଛନ୍ତି ବୋଲି ବିବେଚନା କରାଯିବ । ଏହାବ୍ୟତୀତ ବଜେଟ୍ ଘୋଷଣା ଅନୁସାରେ, ସିଗାରେଟ୍, ପାନ ମସଲା ଓ ଅନ୍ୟ ତମାଖୁ ଉତ୍ପାଦ ଉପରେ ଲାଗୁ ହୋଇଛି ବର୍ଦ୍ଧିତ ଆମଦାନୀ ଶୁଳ୍କ । କେବଳ ଟିକସ ବ୍ୟବସ୍ଥା ନୁହେଁ, ଆଜିଠୁ ଆହୁରି ଅନେକ ନିୟମ ବଦଳିଯାଇଛି । ସୁନା ଗହଣା ବିକ୍ରିରେ ଠକାମୀ ରୋକିବାକୁ ଅଣ-ହଲ୍ ମାର୍କ ସୁନା ଗହଣା ବିକ୍ରିରେ ଲାଗିଛି ରୋକ୍ ।
ଗହଣା ଦୋକାନରେ ଆଜିଠୁ ମିଳିବ କେବଳ ୬ ଅଙ୍କବିଶିଷ୍ଟ HUID ମାର୍କ ଥିବା ସୁନା ଗହଣା। HUID ଜରିଆରେ କିଣୁଥିବା ସୁନା ଗହଣାର ଶୁଦ୍ଧତା ସହ ଏହାର ନିର୍ମାତା, ବିକ୍ରେତା ଓ ହଲ୍ ମାର୍କ କରିଥିବା ସଂସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିବେ ଗ୍ରାହକ । ଖାଲି ସେତିକି ନୁହେଁ, ନୂଆ ଆର୍ଥିକ ବର୍ଷରୁ ବଦଳିଯାଇଛି ଡିଜିଟାଲ ୱାଲେଟ୍ ନିୟମ । ଡିଜିଟାଲ ୱାଲେଟରେ ୨ ହଜାର ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର କଲେ ଲାଗିବ ୧.୧ ପ୍ରତିଶତ ଇଣ୍ଟରଚେଞ୍ଜ ଚାର୍ଜ । ଅନ୍ୟପଟେ ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍ରେ ସର୍ବାଧିକ ଜମାରାଶି ସୀମା ୧୫ ଲକ୍ଷ ଟଙ୍କାରୁ ଦ୍ୱିଗୁଣିତ ହୋଇ ୩୦ ଲକ୍ଷ ଟଙ୍କା କରାଯାଇଛି ।
ଭୁବନେଶ୍ୱରରୁ କ୍ୟାମେରାପର୍ସନ ବିଶ୍ୱଜିତ ଓ ପ୍ରଭାତଙ୍କ ସହ ଅତୁଲ୍ୟ ବାଉତ ଓ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)