• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲଗାତାର ୬ ଦିନ ଧରି ଖସିବା ପରେ ଆଜି ଷ୍ଟକ ମାର୍କେଟରେ ଉତ୍ସାହ । କାରବାର ଆରମ୍ଭରୁ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି । ଗତ କିଛିଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ପାଇଁ ନିରନ୍ତର ଭାବେ ଖସିବାରେ ଲାଗିଥିଲା ଷ୍ଟକ ମାର୍କେଟ । ଯୁଦ୍ଧର ପ୍ରଭାବ, ଭାରତୀୟ ପୁ଼ଞ୍ଜି ବଜାର ଉପରେ ମଧ୍ୟ ପଡ଼ିଥିଲା । ଅନିଶ୍ଚିତତା କାରଣରୁ ନିବେଶକ ମାନେ ସେୟାର ମାର୍କେଟରୁ ମୁହଁ ଫେରାଉଥିଲେ । କିନ୍ତୁ ଆଜି ସକାଳେ କାରବାର ଆରମ୍ଭ ହେବା ପରେ ଉତ୍ସାହ ଦେଖିବାକୁ ମିଳିଛି ।

କ୍ରମାଗତ କିଛିଦିନ ଧରି ଶରାଯାୟୀ ହୋଇ ପଡ଼ିଥିଲା ପୁଞ୍ଜି ବଜାର । ଗତ ୬ ଦିନ ଧରି ଖସି ଚାଲିଥିଲା । କେବଳ ଭାରତ ନୁହେଁ, ଯୁଦ୍ଧର ପ୍ରଭାବ ପୁରା ବିଶ୍ବର ସେୟାର ମାର୍କେଟ ଉପରେ ପଡ଼ିଥିଲା । ଗତ ୬ ଦିନରେ ବିଏସଇ ସେନସେକ୍ସରେ ୩୨୦୦ ପଏଣ୍ଟ ହ୍ରାସ ଘଟିଥିଲା । ନିଫ୍ଟିରେ ମଧ୍ୟ ୯୩୪ ପଏଣ୍ଟ ହ୍ରାସ ଘଟିଥିଲା । ମାତ୍ର ୬ ଦିନର କାରବାରରେ ନିବେଶକମାନେ ୧୮ ଲକ୍ଷ କୋଟି ଟଙ୍କା ହରାଇଥିଲେ ।

ଇସ୍ରାଏଲ-ହମାସ ଯୁଦ୍ଧ ବ୍ୟତୀତ ଅଶୋଧିତ ତୈଳଦରରେ କ୍ରମାଗତ ବୃଦ୍ଧି, ବିଶ୍ବ ବଜାରରେ ଲାଗି ରହିଥିବା ଅସ୍ଥିରତା, ବଣ୍ତ ଇଲ୍ଡରେ ବୃଦ୍ଧି ଷ୍ଟକ ମାର୍କେଟର ଅସ୍ଥିରତା ପାଇଁ ମୁଖ୍ୟତଃ ଦାୟୀ । ଗତକାଲି ଗୋଟାଏ ଦିନରେ ହିଁ ନିବେଶକଙ୍କ ସମ୍ପତ୍ତିରେ ୩ ଲକ୍ଷ କୋଟି ଟଙ୍କାର ହ୍ରାସ ଦେଖିବାକୁ ମିଳିଥିଲା । ବିଦେଶୀ ପୁଞ୍ଜି ନିବେଶକମାନେ ନିଜର ସେୟାର ପ୍ରତ୍ୟାହାର କରି ନେବାରୁ ଏପରି ସ୍ଥିତି ଉପୁଜିଥିଲା ।

ତେବେ ଅସ୍ଥିର ବଜାରର ଏକମାତ୍ର ବିକଳ୍ପ ଭାବେ ସୁନା ଭରସାଯୋଗ୍ୟ ହୋଇ ପାରିଛି । ଏଣୁ ନିବେଶକମାନେ ସୁନାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି । ଫଳରେ ସୁନା ମୁଲ୍ୟରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି । ଏଣୁ ଦୀପାବଳି ସୁଦ୍ଧା ସୁନା ୬୨ ହଜାର ଛୁଇଁବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।

ସେହି ଅନୁପାତରେ ରୂପା ମୁଲ୍ୟ ମଧ୍ୟ ବୃଦ୍ଧି ପାଇଛି । କେବଳ ଏହିମାସରେ ରୂପା କିଲୋଗ୍ରାମ ପିଛା ୩୦୦୦ ଟଙ୍କା ବଢ଼ିଛି । ପାର୍ବଣ ସମୟରେ ମୂଲ୍ୟ ବୃଦ୍ଧି ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ଆଗକୁ ବିବାହ ଋତୁଥିବାରକୁ ସୁନା ରୂପା ଦର ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

ଅନ୍ୟପଟେ ଆଜି କାରବାର ଆରମ୍ଭ ସୁଦ୍ଧା ବିଏସଇ ସେନସେକ୍ସ ୫୦୦ ପଏଣ୍ଟ ବୃଦ୍ଧି ପାଇ ୬୩ ହଜାର ୬୦୦ ରେ ପହଞ୍ଚିଛି । ସେହିପରି ନିଫ୍ଟି ମଧ୍ୟ ୧୯ ହଜାର ପଏଣ୍ଟରେ ପହଞ୍ଚିଛି । ଆଇଟି, ବ୍ୟାଙ୍କ, ଅଟୋ, ତୈଳ ଆଦି ସେକ୍ଟରରେ ନିବେଶ ବୃଦ୍ଧି ପାଇଛି ।