Advertisment

ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ଖୁଲାସା, ଏଥର ଟାର୍ଗେଟରେ SEBI ମୁଖ୍ୟ !

ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ଦାବି କରିଛି ହିଣ୍ଡେନବର୍ଗ ରିସର୍ଚ୍ଚ ।

author-image
Santosh Kumar Sahoo
Hindenburg Research

Hindenburg Research

ପୁଣି ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ଖୁଲାସା । ଗତଥର ଆଦାନୀ ଗ୍ରୁପକୁ ଟାର୍ଗେଟ କରିଥିବା ହିଣ୍ଡେନବର୍ଗ ଏଥର SEBIକୁ ନିଶାନା କରିଛି । ଗତକାଲି ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଗମ୍ଭୀର ଅଭିଯୋଗ ଆଣିଥିଲା। ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ବାମୀ ଧବଲ ବୁଚଙ୍କ ଅଂଶଧନ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି । ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ଦାବି କରିଛି ହିଣ୍ଡେନବର୍ଗ ରିସର୍ଚ୍ଚ ।

Advertisment

ହିଣ୍ଡେନବର୍ଗ ରିପୋର୍ଟରେ ଏହା କୁହାଯାଇଛି ଯେ ପୂର୍ବରୁ ଆମେ ଏହା ଅବଗତ ହୋଇ ନ ଥିଲୁ ଯେ ବିନୋଦ ଆଦାନୀ ଯେଉଁ ଜଟିଳ ଉପାୟରେ ସମାନ ଫଣ୍ଡରେ ନିବେଶ କରିଥିଲେ ସେହି ସମାନ ବରମୁଡା ଓ ମରିସସ୍‌ର ଫଣ୍ଡରେ ସେବି ମୁଖ୍ୟ ଏବଂ ତାଙ୍କ ସ୍ବାମୀଙ୍କ ଅଂଶଧନ ରହିଛି । ସିଙ୍ଗାପୁରରେ ୨୦୧୫ ଜୁନ୍‌ ୫ରେ ମାଧବୀ ଓ ତାଙ୍କ ସ୍ୱାମୀ ପ୍ରଥମେ IPE ପ୍ଲସ୍‌ ଫଣ୍ଡ ୧ରେ ସେମାନଙ୍କ ଆକାଉଣ୍ଟ ଖୋଲିଥିଲେ। ଉକ୍ତ ଫଣ୍ଡରେ ଦିଆଯାଇଥିବା ଘୋଷଣାନାମାରେ ନିବେଶର ଉତ୍ସ ବେତନ ବୋଲି ଦର୍ଶାଯାଇଥିଲା । ଦମ୍ପତିଙ୍କ ନିଟ୍‌ ସଂପତ୍ତି ୧୦ ନିୟୁତ ଡଲାର ବୋଲି ଆକଳନ କରାଯାଇଥିଲା ।

ହିଣ୍ଡେନବର୍ଗ ରିସର୍ଚ୍ଚ ଏହାର ଅଭିଯୋଗରେ କହିଛି ଯେ ଏପ୍ରିଲ୍ ୨୦୧୭ ରୁ ମାର୍ଚ୍ଚ 2022 ପର୍ଯ୍ୟନ୍ତ, ମାଧବୀ ପୁରୀ ବୁଚ୍ SEBI ର ଜଣେ ପୂର୍ଣ୍ଣକାଳୀନ ସଦସ୍ୟ ତଥା ଚେୟାରମ୍ୟାନ୍ ଥିଲେ । ସିଙ୍ଗାପୁରର ଅଗୋରା ପାର୍ଟନର୍ସ ନାମକ ଏକ ପରାମର୍ଶଦାତା ସଂସ୍ଥାରେ ତାଙ୍କର ୧୦୦ ପ୍ରତିଶତ ଅଂଶଧନ ଥିଲା । ମାର୍ଚ୍ଚ ୧୬, ୨୦୨୨ରେ SEBI ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହେବାର ଦୁଇ ସପ୍ତାହ ପୂର୍ବରୁ ସେ କମ୍ପାନୀରେ ଥିବା ଅଂଶଧନକୁ ତାଙ୍କ ସ୍ୱାମୀ ଧବଲ ବଚ୍‌ଙ୍କ ନାମରେ ଟ୍ରାନ୍ସଫର୍‌ କରିଥିଲେ । ମାଧବୀ ପୂର୍ଣ୍ଣକାଳୀନ ସଦସ୍ୟ ଥିବାବେଳେ ୨୦୧୯ରେ ତାଙ୍କ ସ୍ବାମୀଙ୍କୁ ବ୍ଲାକଷ୍ଟୋନରେ ବରିଷ୍ଠ ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଥିଲା। ଏଭଳି ଅନେକ ଅଭିଯୋଗ ହିଣ୍ଡେନବର୍ଗ ମାଧବୀ ପୁରୀ ଓ ତାଙ୍କ ସ୍ବାମୀଙ୍କ ନାମରେ ଆଣିଛି।

Advertisment

ହିଣ୍ଡେନବର୍ଗ ରିସର୍ଚ୍ଚର ନୂଆ ଖୁଲାସା ପରେ ପ୍ରତିକ୍ରିୟା ରଖିଛନ୍ତି ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ । ସେ କହିଛନ୍ତି ସମସ୍ତ ଅଭିଯୋଗ ଭିତ୍ତିହୀନ, ଏଥିରେ କୌଣସି ସତ୍ୟତା ନାହିଁ । ବଦନାମ୍ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଗତବର୍ଷ ଜାନୁଆରୀ ୨୩ ତାରିଖରେ ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପର ସେୟାରରେ ହେରଫେର ହୋଇଥିବା ନେଇ ରିପୋର୍ଟ ପ୍ରକାଶ କରିବା ସହ କର୍ପୋରେଟ ଇତିହାସରେ ଏହାକୁ ବଡ଼ ଘୋଟାଲା ବୋଲି ଦାବି କରିଥିଲା। ଏହି ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ସେୟାର ଭୟଙ୍କର ପ୍ରଭାବିତ ହେବା ସହ ଧନୀ ତାଲିକାରେ ବହୁ ତଳକୁ ଖସିଆସିଥିଲେ ଗୌତମ ଆଦାନୀ। ବର୍ଷକ ପରେ ପୁଣି ହିଣ୍ଡେନବର୍ଗର ନୂଆ ଅଭିଯୋଗ ଭାରତୀୟ ବଜାରକୁ ପ୍ରଭାବିତ କରିବ ।

Sebi Adani Group
Advertisment
Advertisment