• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଏପ୍ରିଲ ୧ରୁ ସାରା ରାଜ୍ୟରେ ବାଧ୍ୟତାମୂଳକ ହେବାକୁ ଯାଉଛି ହଲମାର୍କ ସୁନା ବିକ୍ରି । ଏଣିକି ରାଜ୍ୟର ଛୋଟବଡ଼ ପ୍ରତ୍ୟେକ ଗହଣା ଦୋକାନରେ ବ୍ୟବସାୟୀ ବିକ୍ରି କରିବେ ହଲମାର୍କ ଚିହ୍ନିତ ସୁନା ଗହଣା । ଫଳରେ ସୁନା କିଣିବା ପୂର୍ବରୁ ଏହାର ମାନକୁ ଗ୍ରାହକଙ୍କ ଭିତରେ ଯେଉଁ ଦ୍ୱନ୍ଦ୍ୱ ରହୁଥିଲା ତାହା ଦୂର ହୋଇପାରିବ । ସେପଟେ ସୁନାର ମାନ ଗ୍ୟାରେଣ୍ଟିଯୁକ୍ତ ହେଉଥିଲେ ବି ଗଲା କିଛି ଦିନ ଧରି ସୁନା ଦର ହୁ ହୁ ହୋଇ ବଢୁଥିବାରୁ ଏହା ମଧ୍ୟବିତ୍ତ ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ।

ସୁନା କିଣିବା ବେଳେ ଆଉ ମାନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିବେନି ଗ୍ରାହକ । ଛୋଟ ହେଉ କି ବଡ଼, ଏଥର ରାଜ୍ୟର ସବୁ ଗହଣା ଦୋକାନରେ ବିକ୍ରି ହେବ ହଲମାର୍କ ଯୁକ୍ତ ସୁନା ଗହଣା । ଏପ୍ରିଲ ପହିଲାରୁ ସାରା ରାଜ୍ୟରେ ବାଧ୍ୟତାମୂଳକ ହେବାକୁ ଯାଉଛି ହଲମାର୍କିଂ ସୁନା ଗହଣା ବିକ୍ରି । ଫଳରେ ଏଣିକି କୌଣସି ଗହଣା ଦୋକାନରୁ କେହି ସୁନା କିଣିବା ବେଳେ ଶୁଦ୍ଧତା ନେଇ ଆଉ ଠକାମୀରେ ପଡ଼ିବାର ଆଶଙ୍କା ନାହିଁ । ପୂର୍ବରୁ ରାଜ୍ୟର ୯ଟି ଜିଲ୍ଲାରେ ହଲମାର୍କ ଗହଣା ବିକ୍ରିକୁ ବାଧ୍ୟତାମୂଳକ କରାଯାଇଥିଲା ।

ଏପ୍ରିଲ ୧ ତାରିଖରୁ ଏ ନିୟମ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି । କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟର ଏ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଗ୍ରାହକ । ଏପଟେ ସୁନା ହଲମାର୍କିଂ ନେଇ ସରକାରଙ୍କ ନୂଆ ନିୟମ କାର୍ଯ୍ୟକାରୀ ହେବା ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଗହଣା ବ୍ୟବସାୟୀଙ୍କୁ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଛି ଭାରତୀୟ ମାନକ ବ୍ୟୁରୋ BIS ।

ଏବେ ନଜର ପକାନ୍ତୁ କ’ଣ ଏହି ନୂଆ ହଲ୍ମମାର୍କିଂ ବ୍ୟବସ୍ଥା ? ହଲ୍ ମାର୍କିଂ ବିଶେଷଜ୍ଞଙ୍କ ମତରେ, ନୂଆ ବ୍ୟବସ୍ଥାରେ ବିକ୍ରି ହେବାକୁ ଥିବା ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ । ଗୋଟିଏ ବିଆଇଏସ୍ ଲୋଗୋ, ସୁନା ଗହଣା ଶୁଦ୍ଧତାର ଚିହ୍ନ ଓ HUID । HUIDରେ ୬ଟି ଆଲ୍ଫାନ୍ୟୁମେରିକ୍ ନମ୍ବର ବିଶିଷ୍ଟ କୋଡ୍ ରହିବ । ଏହି କୋଡ୍ ମାଧ୍ୟମରେ BIS CARE ଆପ୍ ଜରିଆରେ ସୁନା ଗହଣାର ଶୁଦ୍ଧତା, ଏହାର ନିର୍ମାତା ଓ ହଲ୍ ମାର୍କିଂ କରିଥିବା ସଂସ୍ଥା ଓ ବିକ୍ରି କରିଥିବା ଗହଣା ପ୍ରତିଷ୍ଠାନ ସମ୍ପର୍କରେ ସବୁ ଜାଣିପାରିବେ ଗ୍ରାହକ ।

ସୁନାର ସୁଦ୍ଧତାକୁ ନେଇ ଗ୍ରାହକ ନିଶ୍ଚିତ ହେବାକୁ ଯାଉଥିବା ବେଳେ ସେପଟେ ଏଇ କିଛି ଦିନ ଧରି ସୁନାର ଆକାଶଛୁଆଁ ଦର ନିମ୍ନ ମଧ୍ୟମ ବର୍ଗଙ୍କୁ ଚିନ୍ତାରେ ପକାଇଛି । କାରଣ ୨୨ କ୍ୟାରେଟ୍ ସୁନା ଦର ଆଜିକୁ ୧୫ ଦିନ ଧରି ପ୍ରାୟ ୫୫ ହଜାର ଟଙ୍କା ରହିଛି । ଆମେରିକା ଓ ୟୁରୋପରେ ବ୍ୟାଙ୍କିଙ୍ଗ୍ ସଙ୍କଟ ଯୋଗୁଁ ସୁନାରେ ନିବେଶ ବଢୁଥିବାରୁ ଭାରତରେ ସୁନା ଦରରେ ନିଆଁ ଲାଗିଛି । ଏମିତିକି ଆଗକୁ ସୁନାର ୧୦ ଗ୍ରାମ ମୂଲ୍ୟ ୭୦ ହଜାର ଡେଇଁବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ଅଶୋକଙ୍କ ସହ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି