• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଇସ୍ରାଏଲ୍-ହମାସ୍ ଯୁଦ୍ଧ ପ୍ରଭାବରେ ପୁଣି ଉପରମୁହାଁ ସୁନା- ରୁପା ଦର। ଯେବେଠୁ ଯୁଦ୍ଧ ଲାଗିଲାଣି, ତାପରଠୁ ଅର୍ଥାତ୍ ଗତ ୪ ଦିନରେ ସୁନା ୧୪ ଶହ ଟଙ୍କା ମହାଙ୍ଗା ହୋଇଥିଲା ବେଳେ ରୁପା ଦର ବି କିଲୋ ପିଛା ହଜାରେ ଟଙ୍କା ବଢ଼ିଲାଣି । ତେବେ ଯୁଦ୍ଧର ଠିକ୍ ପୂର୍ବରୁ ସୁନା ଦରରେ ପାଖାପାଖି ୨ ହଜାର ଟଙ୍କା ହ୍ରାସ ଘଟି ପାର୍ବଣ ବଜାରରେ ଯେଉଁ ଉତ୍ସାହ ଭରିଥିଲା, ଏବେକାର ସ୍ଥିତି ସେଥିରେ ପାଣି ଢାଳି ଦେଇଛି। ବିଶେଷଜ୍ଞଙ୍କ ମତରେ ଏ ଦର ଆଗକୁ ବି ବଢ଼ି ଚାଲିବ।

ଯୁଦ୍ଧ ଓ ସୁନା। ଏ ଦୁଇଟିର ସଂପର୍କ ବେଶ୍ ପୁରୁଣା। ଯେବେ ଯେବେ ଯୁଦ୍ଧ ଲାଗିଛି, ସେବେ ସେବେ ସୁନା ବଢ଼ିଛି। ଯେବେ ଯେବେ ବଜାର ଅସ୍ଥିର ହୋଇଛି ସେବେ ସେବେ ସୁନାରେ ନିବେଶ ବଢ଼ିଛି। ଦର ମହଙ୍ଗାରୁ ଅତି ମହଙ୍ଗା ହୋଇଛି। ଏକଥା ଋଷ-ୟୁକ୍ରେନ୍ ଯୁଦ୍ଧର ଆରମ୍ଭ ସମୟରେ ଆମେ ଦେଖିଥିଲେ। ଏକଥା ଏବର ଇସ୍ରାଏଲ୍-ହମାସ ଯୁଦ୍ଧରୁ ବି ସ୍ପଷ୍ଟ ହେଲାଣି। କାରଣ ଯୁଦ୍ଧ ଲାଗିବା ପରଠୁ ନିୟମିତ ସୁନା ଦରରେ ବୃଦ୍ଧି ପାଇ ୪ ଦିନରେ ୧୪ ଶହ ଟଙ୍କା ମହଙ୍ଗା ହେଲାଣି।

ଗତ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୫୨ ହଜାର ୬ ଶହ ଟଙ୍କା ଥିଲା ବେଳେ ଆଜି ତାହା ୫୪ ହଜାର ଟଙ୍କାରେ ପହଞ୍ଚିଛି। ସବୁଠୁ ବଡ଼ କଥା ହେଉଛି, ଯେତେବେଳେ ଇସ୍ରାଏଲ୍-ହମାସ ଯୁଦ୍ଧର ଆଭାସ ନଥିଲା ସେତେବେଳେ ଏହା ପୂର୍ବ ୩୦ ଦିନ ତୁଳନାରେ ସୁନା ଦରରେ ପାଖାପାଖି ୨ ହଜାର ଟଙ୍କାର ବଡ଼ ହ୍ରାସ ଘଟିଥିଲା। ଯାହା ପାର୍ବଣ ବଜାରରେ ଖୁସି ଭରିଥିଲା। ହେଲେ ହଠାତ୍ ଏ ଦରବୃଦ୍ଧି ଗ୍ରାହକଙ୍କୁ ନିରାଶ
କରିଛି।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ। ଭାରତ ମାର୍କେଟରେ ପ୍ରଭାବ। ଯୁଦ୍ଧ ଭଳି ସ୍ଥିତିରେ କାହିଁକି ବଢ଼େ ସୁନା ? ବିଶେଷଜ୍ଞଙ୍କ ମତରେ ଯୁଦ୍ଧ ସମୟରେ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଦେଖାଦିଏ। ବିଶେଷ କରି, ଷ୍ଟକ୍ ମାର୍କେଟରେ ଅସ୍ଥିରତା କାରଣରୁ ଏହା ଉପରୁ ଭରସା ତୁଟାଇ ନିବେଶକମାନେ ସୁନା-ରୁପା ଭଳି ଧାତୁରେ ନିବେଶକୁ ନିରାପଦ ଭାବନ୍ତି। ଏ ସବୁରେ ଅଧିକରୁ ଅଧି ପୁଞ୍ଜି ଖଟାନ୍ତି। ଫଳରେ ବଜାରରେ ଚାହିଦା ବଢ଼ିବାରୁ ସୁନା ଦରରେ ବି ବୃଦ୍ଧି ଘଟିଥାଏ।

ଋଷିଆ-ୟୁକ୍ରେନ୍ ଯୁଦ୍ଧ ଲମ୍ବା ସମୟ ଧରି ଚାଲିବା ପରେ ବଜାରରେ ଯେଉଁ ସ୍ଥିରତା ଫେରିଥିଲା, ଇସ୍ରାଏଲ୍-ହମାସ ଯୁଦ୍ଧରେ ତାହା ପୁଣି ଅସ୍ଥିର ହେବାରେ ଲାଗିଛି। ଫଳରେ ସୁନା ମହଙ୍ଗା ହୋଇଛି। ତେଣୁ ନିକଟ ଭବିଷ୍ୟତରେ ବି ଦର ଆହୁରି ବଢ଼ିବା ନେଇ ଆଶଙ୍କା କରିଛନ୍ତି ବିଶେଷଜ୍ଞ। ଖାଲି ସୁନା ନୁହେଁ, ଗଲା ୪ ଦିନରେ ରୁପା ଦର ବି କିଲୋ ପିଛା ହଜାରେ ଟଙ୍କା ବଢ଼ି ୭୧ ହଜାର ଟଙ୍କାରେ ପହଞ୍ଚିଛି ।

 

  • Reported by:
  • GAUTAM PANDA , KAPILENDRA PRADHAN , NIRANJAN REDDY