• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଧୁନିକତାର ଛାପରେ ଆମ ଚଳଣିରୁ ହଜିଗଳାଣି କଂସା ବାସନ । କେବଳ ଝିଅ ଶାଶୁଘର ଗଳାବେଳେ ସଜରେ କଂସା ଓ ପିତଳ ସାମଗ୍ରୀର ରହିଛି ସ୍ୱତନ୍ତ୍ର ସ୍ଥାନ । ସରକାରଙ୍କ ପକ୍ଷରୁ କଂସା କାରିଗରଙ୍କୁ କୈାଣସି ସହାୟତା ମିଳିନଥିବା ବେଳେ ଏହାକୁ ଜୀବିତ କରିଥିବା କାରିଗରମାନେ ନିଜ କୈାଳିକ ବୃତ୍ତିକୁ ଛାଡି ଏବେ ହାତବାନ୍ଧି ବସିଛନ୍ତି । ଆସନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରୁ ଦେଖିବା ଏଇ ରିପୋର୍ଟ ।

ଓଡିଶାରେ କଂସା ବାସନର ପ୍ରଚଳନ ଖୁବ ପୁରୁଣା । କାହିଁ କେଉଁ କାଳରୁ କଂସା ବାସନ ଆମ କଳା,ସଂସ୍କୃତି, ଐତିହ ସହିତ ଜଡିତ । ଏହି ବାସନ ଦେଖିବାକୁ ଯେଉଁଭଳି ଆକର୍ଷଣୀୟ ଏହାର ଔଷଧିୟ ଗୁଣ ବି ସେହିଭଳି । ସେଇଥିପାଇଁ କଂସା ବାସନର ଚାହିଦା କାହିଁରେ କଣ ଥିଲା । ଲୋକେ ଦିନେ କଂସା ଥାଳିରେ ଭାତ ଖାଉଥିଲେ,କଂସା ଗିନାରେ ଡାଲି,ତରକାରି ଖାଉଥିଲେ ଏବଂ କଂସା ଖୁରୀରେ ବାସି ପଖାଳ ଖାଇବାର ମଜା ନେଉଥିଲେ ।

ତେବେ କଂସା ବାସନରେ ଖାଇ ଲୋକେ ସୁସ୍ଥ ଜୀବନ ଯାପନ ବି କରୁଥିଲେ । କଂସା ବାସନ ତିଆରି ପାଇଁ ପ୍ରସିଦ୍ଧି ଅର୍ଜନ ମଧ୍ୟ କରିଥିଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା । ଦିନଥିଲା ସହରର କଂସାରୀପଡାରେ ଶୁଭୁଥିଲା କଂସା ବାସନ ତିଆରିର ଠକ୍ ଠକ୍ ଶଦ୍ଦ । ପୁର୍ବରୁ ବିନିକାରେ ୬୦ରୁ ଅଧିକ ଏବଂ ଗୁଲାପଡାରେ ୪୦ରୁ ଅଧିକ କଂସାରୀ ଶାଳଥିବା ବେଳେ ବର୍ତମାନ ବିନିକାରେ ଗୋଟିଏ ବି ନାହିଁ । କେବଳ ସହରର ଗୁଲାପଡାରେ ନାମକୁ ମାତ୍ର ଗୋଟିଏ କଂସାରୀ ଶାଳ ରହିଛି । ବର୍ତମାନ ଷ୍ଟିଲ,ପ୍ଲାଷ୍ଟିକ ଓ ଚିନାମାଟିର ବାସନ କୁସନର ଚାହିଦା ରହିଛି ।

ତେବେ ପରିତାପର ବିଷୟ, ସରକାରଙ୍କ ବିଶ୍ୱକର୍ମା ଯୋଜନା ଠାରୁ ଆରମ୍ଭକରି ସରକାରଙ୍କ କୈାଣସି ସହାୟତା ଏଇ କଂସା କାରିଗରଙ୍କୁ ମିଳୁନାହିଁ ।ଫଳରେ ନିଜ କୈାଳିକ ବୃତିକୁ ଛାଡି କିଏ କିରାଣା ଦୋକାନ ଖୋଲିଛି ତ କିଏ ପୁଣି କପଡା ତ ଆଉ କିଏ ପାନ ଓ ଚପଲ ଦୋକାନ ଖୋଲି ନିଜ ପରିବାର ଚଳାଉଛନ୍ତି ।ଏବେ ସମସ୍ତ କଂସାରୀ ଶାଳ ଖାଁ ଖାଁ ରହିଛି ।ଅପରପକ୍ଷରେ ଏନେଇ ବିନିକା ଏନଏସି ଅଧ୍ୟକ୍ଷକଙ୍କୁ ପଚରାଯିବାରୁ ବର୍ତ୍ତମାନ କୁଟୀର ଶିଲ୍ପ ବୁଡିଯାଉଛି, ସରକାରଙ୍କୁ ଜଣାଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
 

         

  • Reported by:
  • Dilip Sahoo
ଓଟିଭି ବିଜ୍ଞାପନ