• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବ୍ୟାଙ୍କ ଖାତାରେ ନିୟମିତ କାରବାର କରୁଛନ୍ତି ତ ? ଦୀର୍ଘଦିନ ଧରି ଆକାଉଣ୍ଟ ବ୍ୟବହାର ନହୋଇ ପଡି ରହିଥିଲେ ଏହା ଅଚଳ ହୋଇଯିବା ଆଶଙ୍କା ରହିଛି । କାରଣ ଇନ୍ଅପରେଟିଭ ଓ ଅନ୍‌କ୍ଲେମ୍‌ଡ ଆକାଉଣ୍ଟ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଦେଶରେ ଏଭଳି ବ୍ୟାଙ୍କ ଖାତା ସଂଖ୍ୟା ବଢ଼ୁଥିବାରୁ ସେଗୁଡ଼ିକୁ ସଚଳ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । କ’ଣ ରହିଛି ଆରବିଆର ପୂରା ନିର୍ଦ୍ଦେଶାବଳୀ ଆସନ୍ତରୁ ଜାଣିବା ।

୨ ବର୍ଷରୁ ଅଧିକ ସମୟ ହେଲା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ କାରବାର କରିନାହାନ୍ତି କି ? ଯଦି ହଁ, ତେବେ ଅଚଳ ହୋଇଯିବ ଆପଣଙ୍କ ଆକାଉଣ୍ଟ । ସେହିଭଳି ୧୦ ବର୍ଷରୁ ଅଧିକ କୌଣସି ନେଣଦେଣ ନ ହେଲେ ତାହା ଅନ୍‌କ୍ଲେମ୍‌ଡ ବା ଅଣଦାବିଦାର ହୋଇଯିବ । ଆଉ ଏ ଅର୍ଥ ଆରବିଆଇ ଦ୍ୱାରା ପରିଚାଳିତ ଜମାକରୀ ଶିକ୍ଷା ଓ ସଚେତନତା ପାଣ୍ଠିକୁ ଚାଲିଯିବ । ଆସନ୍ତା ଏପ୍ରିଲ ପହିଲାରୁ ଲାଗୁ ହେବ ଏ ନୂଆ ନିୟମ । ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସବୁ ବ୍ୟାଙ୍କକୁ ଏଭଳି ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛି ।

ଅଚଳ ଓ ଅଣଦାବିଦାର ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା କମାଇବା ପାଇଁ ବ୍ୟାଙ୍କଗୁଡ଼ିକୁ କଡ଼ା ନିର୍ଦ୍ଦେଶ ବି ଦେଇଛି । ଆରବିଆଇ କହିଛି, ଅଚଳ ଓ ଅଣଦାବିଦାର ବ୍ୟାଙ୍କ ଆକାଉଣ୍ଟ ନେଇ ବ୍ୟାଙ୍କଗୁଡ଼ିକ ଖାତାଧାରୀଙ୍କୁ ପ୍ରତି ୩ ମାସ ବ୍ୟବଧାନରେ ଚିଠି, ଇମେଲ ଓ ଏସ୍ଏମ୍ଏସ୍ ଜରିଆରେ ସୂଚନା ଦିଅନ୍ତୁ । ଯଦି ନୋମିନି ଥିବେ, ତାଙ୍କ ଜରିଆରେ ଗ୍ରାହକଙ୍କୁ ଠାବ କରନ୍ତୁ । ତଥାପି ଯଦି ଖାତାଧାରୀ ଚିହ୍ନଟ ହୋଇପାରୁନାହାନ୍ତି, ଖାତା ଖୋଲିଲା ବେଳର ପରିଚୟକର୍ତ୍ତାଙ୍କୁ ଚିହ୍ନଟ କରି ତାଙ୍କ ଜରିଆରେ ଆକାଉଣ୍ଟଧାରୀଙ୍କୁ ଠାବ କରାଯାଉ । ସ୍ପେଶାଲ ଡ୍ରାଇଭ ଜରିଆରେ ବି ଅଚଳ ଓ ଅଣଦାବିଦାର ଆକାଉଣ୍ଟଧାରୀଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛି ରିଜର୍ଭ ବ୍ୟାଙ୍କ ।

ଏବେ ପ୍ରଶ୍ନ, କିଭଳି ସଚଳ ହୋଇପାରିବ ଅଚଳ ଓ ଅଣଦାବିଦାର ଆକାଉଣ୍ଟ ? ଏଥିପାଇଁ କ’ଣ ରହିଛି ପ୍ରକ୍ରିୟା ? ଆରବିଆଇ ଗାଇଡଲାଇନ ଅନୁସାରେ ଆକାଉଣ୍ଟଧାରୀ କେୱାଇସି ଜରିଆରେ ନିଜ ଅଚଳ ଆକାଉଣ୍ଟକୁ ସଚଳ କରିପାରିବେ । ନିଜ ଆକାଉଣ୍ଟ ଥିବା ଶାଖା ବ୍ୟତିତ ଦେଶର ଯେକୌଣସି ବ୍ୟାଙ୍କ ଶାଖାରେ ଏହା କରାଯାଇପାରିବ । ଆକାଉଣ୍ଟ ସଚଳ କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବନି । ଅଚଳ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନ ଥିଲେ ବି ବ୍ୟାଙ୍କ କୌଣସି ଜରିମାନା ଲଗାଇପାରିବନି ।

ଖାଲି ସେତିକି ନୁହେଁ, ସଞ୍ଚୟ ବ୍ୟାଙ୍କ ଖାତା ସଚଳ ହେଉ ବା ଅଚଳ, ସେଥିରେ ଜମା ରାଶି ଉପରେ ନିୟମିତ ସୁଧ ପ୍ରଦାନ ପାଇଁ ବି ନିର୍ଦ୍ଦେଶ ଦେଇଛି ଆରବିଆଇ । ଅର୍ଥନୀତି ବିଶାରଦଙ୍କ ମତରେ, ନୋମିନି ନ ଥିବା ସହ ନିଜ ସମ୍ପର୍କୀୟଙ୍କୁ ଜମାରାଶି ସମ୍ପର୍କରେ ନ ଜଣାଇବା କାରଣରୁ ଦେଶରେ ଅଣଦାବିଦାର ବ୍ୟାଙ୍କ ଜମା ବଢ଼ିଚାଲିଛି । ତେଣୁ ବ୍ୟାଙ୍କ ଖାତା ହେଉ ଅନ୍ୟ କୌଣସି ନିବେଶ, ସବୁବେଳେ ନିଜ ଆକାଉଣ୍ଟରେ ନୋମିନି ରଖନ୍ତୁ । ଏମିତିକି ଜମା ରଖିଥିବା ନିଜ କଷ୍ଟୋପାର୍ଜିତ ଅର୍ଥ ସମ୍ପର୍କରେ ଅତିକମ୍ରେ ନିଜ ଜୀବନସାଥୀଙ୍କୁ ଜଣାନ୍ତୁ ।

କେନ୍ଦ୍ର ସରକାରଙ୍କ ତଥ୍ୟ କହୁଛି, ଦେଶର ଇନ୍ଅପରେଟିଭ ବ୍ୟାଙ୍କ ଆକାଉଣ୍ଟରେ ପଡ଼ିରହିଛି ପ୍ରାୟ ୧ଲକ୍ଷ ୩୦ ହଜାର କୋଟି ଟଙ୍କା । ଏମିତିକି ୨୦୨୩ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କଗୁଡ଼ିକ ପାଖରେ ୪୨ ହଜାର ୨୭୦ କୋଟି ଟଙ୍କା ଅଣଦାବିଦାର ହୋଇରହିଛି । ହୁଏତ, ଆରବିଆଇର ଏ ସଂଶୋଧିତ ନିର୍ଦ୍ଦେଶନାମା ଏଭଳି ଆକାଉଣ୍ଟ ସଂଖ୍ୟା କମାଇବାରେ ସହାୟକ ହେବ ।

ଭୁବନେଶ୍ୱରରୁ କ୍ୟାମେରାପର୍ସନ ବିଭୁ ପ୍ରସାଦଙ୍କ ସହ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ଓଟିଭି