Advertisment

ମନ୍ତ୍ର ଧ୍ୱନିରେ କମ୍ପିଲାଣି ଅଯୋଧ୍ୟା, ପ୍ରାଣପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହକୁ ଆସୁଛନ୍ତି ରାମଲାଲା...

ସିଂହାସନ ପୂଜାର୍ଚ୍ଚନା ସହ ସରଜୁ ତଟରେ ହେଲା କଳସ ପୂଜନ । ବିଗ୍ରହ ପ୍ରତିଷ୍ଠା ଦିନକ ପୂର୍ବରୁ ଗର୍ଭଗୃହରେ ଶଙ୍ଖଧ୍ବନି ଓ ବେଦମନ୍ତ୍ର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Ayodhya Rammandir

ସରଜୁ ତଟରେ ମନ୍ତ୍ରପାଠ ସହ ଆଜି ଆରମ୍ଭ ହୋଇଥିଲା ଅଯୋଧ୍ୟାର ସକାଳ। ଅନୁଷ୍ଠିତ ହୋଇଥିଲା କଳସ ପୂଜନ। ଯଜମାନ ଥିଲେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟି ଅନୀଲ ମିଶ୍ର। ନୂଆ କଳସରେ ସରଜୁର ପବିତ୍ର ଜଳକୁ ଭରି ରାମମନ୍ଦିର ପରିସରକୁ ଆଣିଥିଲେ ଅଯୋଧ୍ୟାର ଶତାଧିକ ନାରୀ। ସରଜୁ ସହ ବିଭିନ୍ନ ତୀର୍ଥକ୍ଷେତ୍ରରୁ ଆସିଥିବା ଜଳରେ ଆସନ୍ତାକାଲି ହେବ ରାମଲାଲାଙ୍କ ଜଳାଧିବାସ ।

Advertisment

ଏପଟେ ମନ୍ଦିରରେ ଗତକାଲି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ ହୋଇଥିବା ବେଳେ, ଆଜି ପ୍ରଥମ ଥର ପାଇଁ ନବନିର୍ମିତ ମନ୍ଦିରର ଗର୍ଭଗୃହରେ ହୋଇଛି ପୂଜାର୍ଚ୍ଚନା। ରାମଲାଲା ବିରାଜମାନ ହେବା ଆଗରୁ ବିଧି ମୁତାବକ ସିଂହାସନ ପରିକ୍ରମା କରି ପୂଜାର୍ଚ୍ଚନା ଓ ଆଳତୀ କରିଛନ୍ତି ପୂଜକ ସୁନୀଲ ଦାସ।

ରାମଲାଲାଙ୍କ ନବନିର୍ମିତ ବାଳୁତ ବିଗ୍ରହ ଦେଖିବାକୁ ବ୍ୟାକୁଳ ସାରା ଦେଶ। ତେବେ ସୂଚନା ଅନୁସାରେ, ଆସନ୍ତାକାଲି ସକାଳ ସୁଦ୍ଧା ରାମଲାଲାଙ୍କର ହେବ ମନ୍ଦିର ପ୍ରବେଶ। ଏନେଇ ସୂଚନା ଦେଇଛନ୍ତି ଅଯୋଧ୍ୟା ରାମମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର। ଗର୍ଭଗୃହରେ ଆଗାମୀ ୪ ଦିନ ଧରି ଚାଲିବ ବିଭିନ୍ନ ପବିତ୍ର ଦ୍ରବ୍ୟରେ ଅଭିଷେକ, ଅଧିବାସ ଓ ସ୍ୱତନ୍ତ୍ର ଅନୁଷ୍ଠାନ। ୧୨୧ ଜଣ ଆଚାର୍ଯ୍ୟ ଏହାକୁ ସମାପନ କରିବେ। ପ୍ରମୁଖ ଆଚାର୍ଯ୍ୟ ଭାର ବହନ କରିବେ କାଶୀ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ। ଏହାପରେ ୨୨ ତାରିଖ ଦିନ ୧୨ଟା ୨୦ରେ ହେବ ପ୍ରାଣ ପ୍ରତିଷ୍ଠା । ଯେଉଁଥିରେ ମୁଖ୍ୟ ଯଜମାନ ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶ ବିଦେଶରେ ୭ ହଜାର ଅତିଥି ଯୋଗ ଦେବାକୁ ଥିବାରୁ, କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା। ଅତିଥିମାନେ ବିମାନବନ୍ଦରରୁ ସଡ଼କପଥରେ ରାମମନ୍ଦିରକୁ ଯିବେ। ସେଥିପାଇଁ ଲତା ମଙ୍ଗେସକର ଚୌକ ସମେତ ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ଆଣ୍ଟି-ଟେରରିଷ୍ଟ ସ୍କ୍ବାଡ୍ ବା ଏଟିଏସ୍ କମାଣ୍ଡୋ। ସନ୍ଥ, ରାଜନେତା, କଳାକାର, ଉଦ୍ୟୋଗୀ ଓ ସେଲିବ୍ରିଟିମାନଙ୍କ ସହ ବିଦେଶରୁ ପ୍ରାୟ ୧୦୦ ଜଣ ପ୍ରତିନିଧି ଅଯୋଧ୍ୟା ଆସିବାର କାର୍ଯ୍ୟକ୍ରମ ରହିଛି । ଅତିଥିଙ୍କ ନିରାପତ୍ତା ଦୃଷ୍ଟିରୁ NDRF ବି ସେଠି ତୟାର ରହିଛି।

ସେପଟେ ଅଯୋଧ୍ୟାକୁ ବିଭିନ୍ନ ସ୍ଥାନରୁ ଉପହାରର ସୁଅ ଏବେବି ଜାରି ରହିଛି। ହାଇଦ୍ରାବାଦରୁ ଅଯୋଧ୍ୟାକୁ ଆସୁଛି ୧୨ଶହ ୬୫ କେଜିର ଲଡ଼ୁ । ସେପଟେ ରାମନଗରୀରେ ରାମନାମ ଭଜନ-କୀର୍ତ୍ତନ ତ ଅହରହ ଲାଗି ରହିଛି ।

Ram Temple In Ayodhya Ayodhya Ram Temple Ram Temple
Advertisment
Advertisment