Advertisment

ଅଲୌକିକ ମୁହୂର୍ତ୍ତ; ଅଦ୍ଭୁତ ଅନୁଭବ...ସୂର୍ଯ୍ୟଙ୍କ ଆଭାରେ ଝଲସିଲା ରାମଲାଲାଙ୍କ ଲଲାଟ...

ରାମନବମୀରେ ବହୁ ପ୍ରତୀକ୍ଷିତ ସୂର୍ଯ୍ୟତିଳକ ଦେଖି ଭାବବିହ୍ବଳିତ ପୂଜକ ଓ ସାଧୁସନ୍ଥ, ରୋମାଞ୍ଚିତ ସାରା ବିଶ୍ବର ରାମଭକ୍ତ। ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଥମ ରାମନବମୀ । ଦୀର୍ଘ ୫ଶହ ବର୍ଷ ପରେ, ନିଜ ମୂଳ ଆସ୍ଥାନରେ ରାମଲାଲାଙ୍କ ଜନ୍ମୋତ୍ସବ।

author-image
Sujit kumar Swain
undefined

Ayodhya Ram Mandir

ଦୀର୍ଘ ୫ଶହ ବର୍ଷ ପରେ ପବିତ୍ର ରାମନବମୀରେ ପୁନଃମୁଖରିତ ଅଯୋଧ୍ୟା ନଗରୀ । ନିର୍ଦ୍ଧାରିତ କ୍ଷଣରେ ସଂପନ୍ନ ହେଲା ଐତିହାସିକ ସୂର୍ଯ୍ୟତିଳକ । କୋଟିସୂର୍ଯ୍ୟର ଆଭାରେ ଝଲସିଲା ରାମଲାଲାଙ୍କ ଲଲାଟ । ଏହାକୁ ଦେଖି ଭାବମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅଗଣିତ ରାମଭକ୍ତ । 

Advertisment

ରାମନବମୀରେ ବହୁ ପ୍ରତୀକ୍ଷିତ ସୂର୍ଯ୍ୟତିଳକ ଦେଖି ଭାବବିହ୍ବଳିତ ପୂଜକ ଓ ସାଧୁସନ୍ଥ, ରୋମାଞ୍ଚିତ ସାରା ବିଶ୍ବର ରାମଭକ୍ତ। ନବନିର୍ମିତ ଭବ୍ୟ ମନ୍ଦିରରେ ପ୍ରଥମ ରାମନବମୀ । ଦୀର୍ଘ ୫ଶହ ବର୍ଷ ପରେ, ନିଜ ମୂଳ ଆସ୍ଥାନରେ ରାମଲାଲାଙ୍କ ଜନ୍ମୋତ୍ସବ। ଏଥିପାଇଁ ରଙ୍ଗବେରଙ୍ଗର ପୁଷ୍ପରେ ନବବଧୂ ଭଳି ସଜେଇ ହୋଇଥିଲା ରାମ ରାମମନ୍ଦିର । ଭଜନ କୀର୍ତ୍ତନ ଓ ମନ୍ତ୍ରଧ୍ବନିରେ ମୁଖରିତ ହୋଇଥିଲା ପରିବେଶ । 

ବିଭିନ୍ନ ପବିତ୍ର ଦ୍ରବ୍ୟରେ ଶ୍ରୀବିଗ୍ରହଙ୍କୁ ସ୍ନାନ କରାଇ ପୂର୍ବାହ୍ନରେ ହୋଇଥିଲା ଦିବ୍ୟ ଅଭିଷେକ। ଏହାପରେ ପୀତ ବସ୍ତ୍ର, ଦୁର୍ମୂଲ୍ୟ ସ୍ବର୍ଣ୍ଣ ଓ ରତ୍ନ ଆଭୁଷଣ, ଆୟୁଧ ଓ ପୁଷ୍ପମାଳାରେ ହୋଇଥିଲା ରଘୁନନ୍ଦନଙ୍କ ଦିବ୍ୟ ଶୃଙ୍ଗାର। ଆଉ ତା ପରେ ମଧ୍ୟାହ୍ନର ଠିକ୍ ୨ ମିନିଟ୍ ପୂର୍ବରୁ ଆସିଥିଲା ସେହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ବାଜି ଉଠିଥିଲା ଶଙ୍ଖଧ୍ବନି, ଘଣ୍ଟଘଣ୍ଟା ଓ ଅନ୍ୟ ବାଦ୍ୟ । ୧୧ ଟା ୫୮ ବେଳେ ୬୦ରୁ ୭୦ ମିଲିମିଟରର ସୂର୍ଯ୍ୟରଶ୍ମୀ କେନ୍ଦ୍ରିଭୂତ ହୋଇଥିଲା ସୂର୍ଯ୍ୟବଂଶୀ ଶ୍ରୀରାମଚନ୍ଦ୍ରଙ୍କ ଲଲାଟ ମଧ୍ୟସ୍ଥଳରେ । ପ୍ରାୟ ୩ ମିନିଟ ଯାଏଁ ଦେଖିବାକୁ ମିଳିଥିଲା ଏହି ଅବିସ୍ମରଣୀୟ ଦୃଶ୍ୟ।

Advertisment

ଦେବଦେବୀଙ୍କ ସୂର୍ଯ୍ୟାଭିଷେକ ଓ କିରଣୋତ୍ସବ ଭାରତୀୟ ପରଂପରାରେ କିଛି ନୂଆ ନୁହେଁ । ଆଜି ବି ବହୁ ପ୍ରାଚୀନ ହିନ୍ଦୁ ଓ ଜୈନ ମନ୍ଦିରରେ ଦେବାଦେବୀଙ୍କ ବିଗ୍ରହକୁ ସ୍ପର୍ଶ କରେ ସୂର୍ଯ୍ୟାଲୋକ। କିମ୍ବଦନ୍ତୀ କହେ, ଏକଦା କୋଣାର୍କ ମନ୍ଦିରରେ ମଧ୍ୟ ସୂର୍ଯ୍ୟଦେବଙ୍କ ଚରଣ ସ୍ପର୍ଶ କରୁଥିଲା ଉଦିତଭାନୁଙ୍କ ପ୍ରାତଃକିରଣ । ହେଲେ ଅଯୋଧ୍ୟା ମନ୍ଦିରରେ ଆଧ୍ୟାତ୍ମିକତା ସହ ହୋଇଛି ବିଜ୍ଞାନର ସଙ୍ଗମ । ତୃତୀୟ ମହଲାରେ ରିଫ୍ଲେକ୍ଟର ବକ୍ସ ଓ ଗୋଟିଏ ଦର୍ପଣ ଲଗାଇ, ୬୫ ଫୁଟର ଏକ ପିତ୍ତଳ ପାଇପ୍ ଓ ୩ ଲେନ୍ସ ସାହାଯ୍ୟରେ ସୂର୍ଯ୍ୟ ରଶ୍ମୀକୁ ଅଣାଯାଇଥିଲା ପ୍ରଥମ ମହଲା ଯାଏଁ । ସେଠାରେ ଆଉ ଏକ ଦର୍ପଣ ଲଗାଇ ଏହାକୁ ୯୦ ଡିଗ୍ରୀ ମୋଡ଼ି ବିଗ୍ରହର ଲଲାଟରେ କେନ୍ଦ୍ରୀଭୂତ କରାଯାଇଥିଲା।ଆଉ ସୂର୍ଯ୍ୟରଶ୍ମି ପାଇଁ ଝଲସି ଉଠିଥିଲା ରତ୍ନଖଚିତ ଦିବ୍ୟ ତିଳକ। 

ଖାଲି ଏତିକି ନୁହେଁ, ପ୍ରତିବର୍ଷ ରାମ ନବମୀରେ କିପରେ ତୃତୀୟ ମହଲାରେ ଥିବା ରିଫ୍ଲେକ୍ଟର ବକ୍ସ ନିଖୁଣ ଭାବେ ସୂର୍ଯ୍ୟମୁହାଁ ହୋଇରହିବ, ସେଥିପାଇଁ ଜଟିଳ ଗିୟର ମେକାନିଜିମ୍ ତିଆରି କରିଛନ୍ତି ବେଙ୍ଗଳୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଆଷ୍ଟ୍ରୋଫିଜିକ୍ସ ବୈଜ୍ଞାନିକ। ଏହି ପୂରା ଯନ୍ତ୍ର ପ୍ରଣାଳୀ ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି । 

ସେପଟେ ରାମଲାଲାଙ୍କ ସୂର୍ଯ୍ୟତିଳକ ଦେଖି ଭାବବିହ୍ବଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆସାମ ନଳବାଡ଼ିରେ ରାଲି ପରେ ସେ ଏହି ଦୃଶ୍ୟ ଦେଖିବା ସହ, ସୂର୍ଯ୍ୟ ତିଳକ ଆମ ଜୀବନରେ ଶକ୍ତି ସଂଚାରୁ ବୋଲି ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ଏଥିସହ ଅଯୋଧ୍ୟାରେ ଭବ୍ୟ ରାମନବମୀକୁ ଐତିହାସିକ ବୋଲି ଲେଖିଛନ୍ତି ମୋଦି । ଏହା ପୂର୍ବରୁ ମଧ୍ୟାହ୍ନରେ ସଭାକୁ ସମ୍ବୋଧିତ କରିବା ବେଳେ ସୂର୍ଯ୍ୟତିଳକ କଥା ଉଲ୍ଲେଖ କରି, ଲୋକଙ୍କୁ ଶ୍ରୀରାମଙ୍କ ଜୟଜୟକାର କରିବାକୁ ଆହ୍ବାନ ଦେଇଥିଲେ ମୋଦି । 

Ayodhya Ram Mandir Ram Mandir
Advertisment
Advertisment