• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି । ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି । ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ ।

ଜାନୁଆରୀ ୧୮ ତାରିଖ ସଂଧ୍ୟାରେ ତୀର୍ଥ ପୂଜନ, ଜଳଯାତ୍ରା, ଜଳାଧିବାସ ଓ ଗନ୍ଧାଧିବାସ ରୀତିନୀତି ରହିଛି । ଜାନୁଆରୀ ୧୯ ସକାଳେ ଔଷଧାଧିବାସ, କେଶରାଧିବାସ, ଘୃତାଧିବାସ ଏବଂ ସଂଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି । ସେହିପରି ଜାନୁଆରୀ ୨୦ ତାରିଖ ସକାଳେ ଶର୍କରାଧିବାସ, ଫଳାଧିବାସ ଏବଂ ସଂଧ୍ୟାରେ ପୁଷ୍ପାଧିବାସ ରହିଛି । ଏହା ପରଦିନ ୨୧ ଜାନୁଆରୀ ସକାଳେ ମଧ୍ୟାଧିବାସ ଓ ସଂଧ୍ୟାରେ ଶଯ୍ୟାଧିବାସ ରହିଛି ।

୧୮ ତାରିଖରେ ଦେଢ଼ଶହରୁ ୨ ଶହ କିଲୋଗ୍ରାମ ଓଜନର ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହରେ ସ୍ଥାପନ କରାଯିବ । ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହାର ୫ ଦିନ ପୂର୍ବରୁ ଆଜିଠାରୁ ବିଭିନ୍ନ ଧାର୍ମିକ ରୀତିନୀତି ଆରମ୍ଭ ହେଉଛି ।

ସେପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବାଜିବ ଓଡ଼ିଶାର ମର୍ଦ୍ଦଳ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚଂପତ ରାୟ । ଏଥିଲାଗି ଶ୍ରେଷ୍ଠ ମର୍ଦ୍ଦଳ ବାଦକଙ୍କୁ ଚୟନ କରାଯାଇଛି ।

ମର୍ଦ୍ଦଳ ବାଦ୍ୟରେ କଂପିବ ମନ୍ଦିର ପରିସର । ଖାଲି ମର୍ଦ୍ଦଳ କାହିଁକି, କର୍ଣ୍ଣାଟକର ବୀଣା, ମଧ୍ୟପ୍ରଦେଶର ସନ୍ତୁର, ଆସାମର ନଗାଡାର ଧୁନ୍ ବି ଶୁଣିବାକୁ ମିଳିବ ଭବ୍ୟ କାର୍ଯ୍ୟକ୍ରମରେ । ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ କାର୍ଯ୍ୟକ୍ରମକୁ ଭବ୍ୟ କରିବାକୁ ଜୋରଦାର ପ୍ରୟାସ କରାଯାଉଛି ।