• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଜ୍ରପାତରେ ଜଳିଗଲେ ଯୁବକ । ଏଭଳି କିଛି ଘଟଣା ଘଟିଛି ବାଲେଶ୍ୱର ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ । ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ । ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ସେ ପାଖରେ ଥିବା ଏକ ଚାଳ ଘରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ଯୋଗୁଁ ଚାଳ ଘର ଜଳି ଯାଇଥିଲା ।

ଯେଉଁଥିରେ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ରଞ୍ଜନ । ଘଟଣାକୁ ନେଇ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେପଟେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ । ସକାଳୁ ସକାଳୁ ବାଲେଶ୍ୱରର ବିଭିନ୍ନ ଅଞ୍ଚଳରେ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇଛି । ସକାଳୁ କୋହଲା ପାଗ ପରେ ହଠାତ୍ ମାଡ଼ି ଆସିଥିଲା ଝଡ଼ତୋଫାନ ।

ଅଧିକ ପଢ଼ନ୍ତୁ: ଜଙ୍ଗଲ ବିଭାଗ ଲଗାଇବ ତାଳ ଗଛ; ରୋକିବ ବଜ୍ରପାତ ଜନିତ କ୍ଷତି

ବିଜୁଳି ଘଡଘଡି ସହ କିଛି ସମୟ ଲାଗି ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ପ୍ରାୟ ୪୦ରୁ ୫୦ କିଲୋମିଟର ବେଗରେ ବହିଥିଲା ପବନ । ବାଲେଶ୍ୱର, ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୧୯ ଏବଂ ୨୦ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ।

୪୦ରୁ ୫୦ କିମି ବେଗରେ ବହିପାରେ ପବନ । ଏ ନେଇ ୧୯ ତାରିଖରେ ୧୨ ଜିଲ୍ଲା ଏବଂ ୨୦ ତାରିଖରେ ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୧୯ ତାରିଖରେ କଟକ, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଂଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗିର ଏବଂ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୯ ତାରିଖରେ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି । ସେହିପରି ୨୦ ତାରିଖରେ କଟକ, ଖୋର୍ଦ୍ଧା, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।