Advertisment

ସୁଇସାଇଡ୍ ଜୋନ୍ ପାଲଟିଛି କି କଟକର ମହାନଦୀ-କାଠଯୋଡି ବ୍ରିଜ୍‌ ?

ଆତ୍ମହତ୍ୟାର ହଟସ୍ପଟ୍ ପାଲଟିଛି କି କଟକ ? କାଠଯୋଡ଼ି ଓ ମହାନଦୀ ଉପରେ ନିର୍ମିତ ସେତୁ ପାଲଟିଛି ସୁଇସାଇଡ୍ ପଏଣ୍ଟ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Bridge in Cuttack

Bridge in Cuttack

କଟକର କାଠଯୋଡ଼ି ଓ ମହାନଦୀ ଉପରେ ନିର୍ମିତ ସେତୁ ଏବେ ସୁଇସାଇଡ ଜୋନ୍ ଭାବେ ପରିଗଣିତ ହୋଇଛି। ଗତ ୫ ଦିନ ଭିତରେ ୪ ଜଣ ନଦୀକୁ ଡେଇଁ ଆତ୍ମହତ୍ୟା କରିସାରିଲେଣି । ବର୍ଷା ଦିନେ ଉଛୁଳା ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ସହରବାସୀଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି କରିଛି । ହେଲେ ମନସ୍ତତ୍ୱବିତଙ୍କ ମତରେ ଏହା ଏକ ମାନସିକତା ବା ଟେଣ୍ଡେସି । ମାନସିକ ସ୍ତରରେ ଚାପଗ୍ରସ୍ତ ଲୋକେ ମୃତ୍ୟୁ ପାଇଁ ଏହାକୁ ସହଜ ପନ୍ଥା ବୋଲି ଭାବୁଛନ୍ତି । ସେମାନଙ୍କୁ ଏଥିରୁ ନିବୃତ୍ତ ରଖିବା ପାଇଁ ଅଧିକରୁ ଅଧିକ କାଉଁସେଲିଂ ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ। 

Advertisment

ଆତ୍ମହତ୍ୟାର ହଟସ୍ପଟ୍ ପାଲଟିଛି କି କଟକ ? କାଠଯୋଡ଼ି ଓ ମହାନଦୀ ଉପରେ ନିର୍ମିତ ସେତୁ ପାଲଟିଛି ସୁଇସାଇଡ୍ ପଏଣ୍ଟ । ନଦୀକୁ ଡେଇଁ ଆତ୍ମହତ୍ୟା କରୁଛନ୍ତି ଲୋକେ। ଗତ ୩ ଦିନରେ କେବଳ କାଠଯୋଡ଼ି ନଦୀକୁ ଡେଇଁ ତିନି ଜଣ ନିଖୋଜ ହେଲେଣି । ହୀରାକୁଦ ଡ୍ୟାମରୁ ବର୍ଷା ଜଳ ଛଡ଼ାଯିବା ପରେ ଏବେ କାଠଯୋଡ଼ି ଓ ମହାନଦୀରେ ପ୍ରଖର ପାଣି । ଏହାରି ଭିତରେ ବ୍ରିଜ୍ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତିକୁ ବାଛି ନେଉଛନ୍ତି । ଜୁଲାଇ ୩୧ ତାରିଖର ଭୋର ସମୟରେ କଟକ ଓଡ଼ିଆ ବଜାର ଅଞ୍ଚଳର ଶିକ୍ଷୟତ୍ରୀ ମମତା ସାହୁ ତାଙ୍କ ସ୍କୁଟି ଓ ଚପଲ ରଖି ନେତାଜୀ ସୁବାସ ସେତୁରୁ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ। ଏ ପର୍ଯ୍ୟନ୍ତ ସେ ନିଖୋଜ ଅଛନ୍ତି। ସେହିଦିନ ଅପରାହ୍ନରେ ଭୁବନେଶ୍ବରର ବ୍ୟବସାୟୀ ତୁଷାର ଭଟ୍ଟ ମଧ୍ୟ ନେତାଜୀ ସେତୁରେ ତାଙ୍କ କାର ଓ ଚପଲ ରଖି କାଠଯୋଡ଼ି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ପର୍ଯ୍ୟନ୍ତ ତାଙ୍କର ମଧ୍ୟ କୌଣସି ପତ୍ତା ମିଳିପାରି ନାହିଁ। 

ଗତ ଶୁକ୍ରବାର ରାତିରେ କାଠଯୋଡ଼ି ବ୍ରିଜ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଖାନନଗର ଅଞ୍ଚଳର ମନୋଜ ବେହେରା। ସେ ତାଙ୍କ ମାଙ୍କ ସହ ଅଟୋରେ ଘରକୁ ଯିବା ସମୟରେ ବାଟରେ ଅଟୋ ଅଟକାଇ ନଦୀକୁ ଡେଇଁ ପଡିଥିଲେ। ନଦୀରେ ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଏବେ ପର୍ଯନ୍ତ ୩ ଜଣାଙ୍କ ପତ୍ତା ମିଳି ପାରିନାହିଁ। ଅଗ୍ନିଶମ ବାହିନୀ ୩ ଜଣଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି। ମାନସିକ ଦୁଶ୍ଚିନ୍ତାରେ ଆସି ଏଭଳି ଢଙ୍ଗରେ ଆତ୍ମହତ୍ୟା କରୁଛନ୍ତି ଜଣଙ୍କ ପରେ ଜଣେ। ତୁରନ୍ତ ବ୍ରିଜ ଓ ସେତୁରେ ସିସିଟିଭି କ୍ୟାମେରା ଲଗାଇବା ସହ ନାଇଟ ପାଟ୍ରୋଲିଂ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

Advertisment

ଅନ୍ୟପଟେ କଟକ ସହରରେ ମହାନଦୀ ଓ କାଠଯୋଡ଼ିକୁ ଡେଇଁ ଆତ୍ମହତ୍ୟା କରିବା, ଗାଧୋଇବା ସମୟରେ ବୁଡିଯିବା ଘଟଣା ମଧ୍ୟ ଆଶ୍ଚର୍ଯ୍ୟଜନକ ରହିଛି। ଗୋଟିଏ ସପ୍ତାହରେ ୮ ଜଣ ନଦୀରେ ବୁଡି ଥିବା ବା ଆତ୍ମହତ୍ୟା କରିଥିବା ଖବର ଆସିଛି। ଜୁଲାଇ ୨୦୨୩ରୁ ଏପର୍ଯ୍ୟନ୍ତ ଅର୍ଥାତ ଏକ ବର୍ଷ ମଧ୍ୟରେ ଉଭୟ ମୋଟ୍ ୩୯ ଜଣ ବୁଡିବା ଓ ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଖବର କଟକ ଦମକଳ ବାହିନୀକୁ ମିଳିଛି। ସେଥିରୁ ୯ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୨୭ ଜଣଙ୍କ କେବଳ ମୃତଦେହ ଉଦ୍ଧାର କରିଛି କଟକ ଦମକଳ ବାହିନୀ। 

ସେପଟେ ମାନସିକ ଦୁଶ୍ଚିନ୍ତା ଓ ଅବସାଦରେ ଆସି ଲୋକ ଆତ୍ମହତ୍ୟା କରୁଥିବା ବେଳେ ଏଥିରେ ରୋକ ଲଗାଇବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ । ମାନସିକ ଚାପ କିମ୍ବା ମାନସିକ ଅବସାଦ ଆସିଲେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ସହ ନିଜ ସମ୍ପର୍କୀୟ, ବନ୍ଧୁ ବାନ୍ଧବଙ୍କ ସହ ସବୁ କଥା ସେୟାର କଲେ ଆଉ ଆତ୍ମହତ୍ୟା କରିବା କଥା ମନକୁ ଆସିବ ନାହିଁ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର। 

Cuttack Bridge
Advertisment
Advertisment