• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଡଙ୍ଗାବୁଡ଼ିରେ ଚାଲିଗଲା ସାତ ସାତ ଜଣ ନିରୀହଙ୍କ ଜୀବନ । ଖୁସି ମଉଜରେ ପିକନିକ୍ ସାରି ଖୁସିରେ ଖୁସିରେ ଘରକୁ ବାହୁଡ଼ିବା ବେଳକୁ ଅକାଳ ଅଘଟଣ କେଉଁଠି ଥିଲା କେଜାଣି, ଝଡ଼ ଭଳି ମାଡ଼ି ଆସି ଉଜାଡ଼ି ଦେଲା ସବୁକିଛି, ଧୋଇଦେଲା ସବୁ ଖୁସି । ଏବେ କେବଳ କୋହ ଆଉ ଲୁହ। ହେଲେ ପ୍ରଶ୍ନ ଉଠୁଛି, କାହିଁକି ଘଟିଗଲା ଏତେ ବଡ଼ ଅଘଟଣ?

ଏଭଳି ଅଭାବନୀୟ ଘଟଣା ପାଇଁ ଦାୟୀ କିଏ ? ଡଙ୍ଗା ଚାଳକ, ସ୍ଥାନୀୟ ପ୍ରଶାସନ ନା ଡଙ୍ଗାରେ ବସିଥିବା ଯାତ୍ରୀ ? ମିଳିଥିବା ସୂଚନା ଅନୁଯାୟୀ, ନୌସେବା ଯୋଗାଉଥିବା ଶରଧା ଘାଟର ନିଲାମ କରିଥିଲା ରେମଟା ପଞ୍ଚାୟତ । ଡଙ୍ଗାର ଚିତ୍ର ଦେଖିଲେ ହିଁ ଜଣା ପଡ଼ୁଛି କି ଡଙ୍ଗାର ଫିଟନେସ୍ ଥିବ ନା ନାହିଁ ।

ଅଧିକ ପଢ଼ନ୍ତୁ: ମହାନଦୀ ଡଙ୍ଗା ବୁଡ଼ି: ଉଦ୍ଧାର ହେଲା ସମସ୍ତ ମୃତ ଦେହ, ଏବେ ବି ଜଣେ ନିଖୋଜ

ଅଭିଯୋଗ ହୋଇଛି, ଯାତ୍ରୀଙ୍କୁ ନେବା ବେଳେ ଡଙ୍ଗାରେ ନଥିଲା କୌଣସି ଲାଇଫ୍ ଜାକେଟ୍ । ଏଭଳି ଭଙ୍ଗା ଦଦରା ଡଙ୍ଗା ଉପରେ କୁଆଡ଼େ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ୩ଟି ବାଇକ ବି ଲୋଡ୍ କରାଯାଇଥିଲା ଏହି ଡଙ୍ଗାରେ । ଅର୍ଥାତ କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ପରିବହନ କରାଯାଉଥିଲା ଅତି ବିପଦଜନକ ଭାବେ ।

ନିୟମ କହୁଛି, ପଞ୍ଚାୟତ ପକ୍ଷରୁ ଡଙ୍ଗା ଘାଟର ନିଲାମ ହୋଇଥାଏ । ଏହାପରେ ନିର୍ଦ୍ଦିଷ୍ଟ ମାନଦଣ୍ଡ ଗୁଡ଼ିକୁ ଯାଞ୍ଚ କରିବା କଥା । ଯଥା, ଡଙ୍ଗାଘାଟରେ ସମସ୍ତ ବିବରଣୀ ସମ୍ପର୍କିତ ସୂଚନା ଫଳକ ରହିବା କଥା । ଡଙ୍ଗାରେ କେତେ ଯାତ୍ରୀ ରହିବେ, ଲାଇଫ ଜାକେଟ୍, ଡଙ୍ଗାର ଫିଟନେସ୍, ଡଙ୍ଗା ଚାଲିବାର ସମୟ ନିର୍ଘଣ୍ଟ ଆଦି ସୂଚନା ଫଳକରେ ରହିବା ଉଚିତ ।

ଆଉ ଏହି ସମସ୍ତ ବିଷୟ ପଞ୍ଚାୟତରାଜ ବିଭାଗ ଏବଂ ପରିବହନ ବିଭାଗ ଯାଞ୍ଚ କରିବା କଥା । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ଦୁର୍ଘଟଣାଗ୍ରସ୍ତ ଏହି ଡଙ୍ଗାରେ ସେଭଳି କୌଣସି ବ୍ୟବସ୍ଥା ନଥିଲା । ତେବେ କେଉଁ ଆଧାରରେ ଏଭଳି ଏକ ଭଙ୍ଗାଦଦରା ଡଙ୍ଗାକୁ ଦିଆଯାଇଥିଲା ଯାତ୍ରୀ ପରିବହନ ଅନୁମିତି ? କାହିଁକି ପରିବହନ ବିଭାଗ ଏହାକୁ ଯାଞ୍ଚ କଲା ନାହିଁ ?

ବିନା ଲାଇଫ୍ ଜାକେଟରେ ଯାତ୍ରୀଙ୍କୁ ଧରି ଗଭୀର ପାଣି ଭିତରେ ଡଙ୍ଗା ଚାଳକ ପାରି କରାଉଥିଲା କେମିତି ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଛି। ତେବେ ଏନେଇ ପଞ୍ଚାୟତିରାଜ ବିଭାଗ ଏବଂ ପରିବହନ ବିଭାଗ ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ସମସ୍ତ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି RDC ।