• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଘରେ ଲାଗିଗଲା ନିଆଁ । ଅଗ୍ନିକାଣ୍ଡରେ ମା’ ସହ ଜୀଅନ୍ତା ଜଳିଗଲେ ୫ ଶିଶୁ । ଦେଖୁଦେଖୁ ନିଆଁର ଆଁରେ ଚାଲିଗଲା ୬ଜଣଙ୍କ ଜୀବନ । ମୃତ ୫ଜଣ ପିଲାମାନଙ୍କ ବୟସ ୧୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି । ଏପରି ଏକ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବାବେଳେ ପୋଲିସ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛି ।

ପୋଲିସର କହିବା ଅନୁସାରେ ଶୋଇଥିବା ସମୟରେ ହଠାତ୍‌ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ୩୮ ବର୍ଷୀୟ ମା’ ସଙ୍ଗୀତାଙ୍କ ସହ ତାଙ୍କର ପାଞ୍ଚ ପିଲା ଘର ଭିତରେ ଫସି ରହିଥିଲେ । ଘର ଭିତରୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଫଳରେ ସଙ୍ଗୀତାଙ୍କ ସହ ତାଙ୍କ ୫ଜଣ ପିଲା ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିଥିଲେ ।

ଏନେଇ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତକମାନଙ୍କୁ ଉଦ୍ଧାର କରିଥିଲା । ହେଲେ ନିଆଁରେ ପୋଡ଼ି ହୋଇଚାଲିଯାଇଥିଲା ଗୋଟିଏ ପରିବାରର ୬ ସଦସ୍ୟଙ୍କ ଜୀବନ ।

ମୃତକ ପିଲାମାନେ ହେଲେ ‍ବର୍ଷକର ପୁଅ ବାବୁ, ୨ ବର୍ଷୀୟ ଝିଅ ଗୀତା, ୩ ବର୍ଷୀୟ ଝିଅ ରୀତା, ୯ ବର୍ଷୀୟ ପୁଅ ଲକ୍ଷ୍ମଣ ଓ ୧୦ ବର୍ଷୀୟ ଝିଅ ଅଙ୍କିତା ।  ସର୍ଟ-ସର୍କିଟରୁ ଏପରି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଏପରି ଏକ ଦୁଃଖଦ ଘଟଣା ଉତ୍ତରପ୍ରେଦଶର ଊର୍ଦ୍ଧ୍ୱ ଗାଁରୁ ଆସିଛି ।

ଘରେ ନିଆଁ ଲାଗିବାର କିଛି ସମୟ ପରେ ନିଆଁ ରୋଷେଇ ଘରକୁ ବ୍ୟାପିଯାଇଥିଲା । ରୋଷେଇ ଘରେ ରହିଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଅଗ୍ନିକାଣ୍ଡ ସମୟରେ ମୃତ ମହିଳାଙ୍କ ସ୍ୱାମୀ, ତାଙ୍କ ବାପା ଓ ମା’ ଅନ୍ୟତ୍ର ବାହାରେ ଶୋଇଥିଲେ । ଫଳରେ ସେମାନେ ଏହି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଏହାକୁ ନେଇ ପୋଲିସ ତାର ପ୍ରତିକ୍ରିୟାରେ କହିଛି, ଏହି ଅଗ୍ନିକାଣ୍ଡ ଭୟାବହ ଥିଲା । ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ । ହେଲେ ଏଥିରେ ସଫଳ ହୋଇପାରିନଥିଲେ । ଫଳରେ ୬ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତି ମୃତକଙ୍କ ପିଛା ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।