• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଶତ ଚେଷ୍ଟା ପରେ ବି ବଞ୍ଚିପାରିଲାନି ଜୀଵନ । ସତେ ଯେମିତି ଏହା ବିଧିର ବିଧାନ ଥିଲା । କଥାରେ ଅଛି, ଯେବେ ଯମ ଦଉଡି ବାନ୍ଧିବା ନେଇ ସ୍ଥିର ହୋଇ ସାରିଥିବ । ଯେତେ ଚେଷ୍ଟା କଲେ ବି ଆଉ ଜୀବନ ବଞ୍ଚେଇବା ସମ୍ଭବ ହୋଇନଥାଏ । ନିଜ ପରିବାର ମୁହଁରେ ଆହାର ଦେବା ପାଇଁ ସମସ୍ତେ କିଛି ନା କିଛି କାର୍ଯ୍ୟ କରିଥା'ନ୍ତି । କିନ୍ତୁ, କର୍ମକ୍ଷେତ୍ରରେ ଯେ ଜୀବନ ଚାଲିଯିବ ଏକଥା କେହି କେବେ ଚିନ୍ତା କରିନଥା'ନ୍ତି । ଅନେକ ସମୟରେ କିଛି ବ୍ୟକ୍ତିଙ୍କର କର୍ମ କ୍ଷେତ୍ରରେ ଜୀବନ ଚାଲିଯାଏ ।

ଏମିତି କିଛି ଦୁଖଃଦ ଘଟଣା ଘଟିଛି ଜଣେ ଟ୍ରକ୍ ଡ୍ରାଇଭରଙ୍କ ସହ । କଣ୍ଟାବାଞ୍ଜି ରାସ୍ତାର ବେଲପଡା ଥାନା ଭରୁଆମୁଣ୍ଡା ଛକ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍‌ଟି ଭାରସାମ୍ୟ ହରାଇବା ଫଳରେ ଦୁର୍ଘଟଣା ଘଟିଥିବା ନେଇ ଅନୁମାନ କରାଯାଉଛି । ଟ୍ରକ୍‌ଟି ଦୁର୍ଘଟଣା ଫଳରେ ଦୀର୍ଘ ୪ ଘଣ୍ଟାଧରି ଗାଡି ଭିତରେ ଫସି ରହିଥିଲେ ଡ୍ରାଇଭର ।

ଏହି ଖବର ପାଇବା ପରେ ପାଟଣାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଦେବଦୂତ ସାଜି କଟର ମାଧ୍ୟ୍ୟମରେ ଟ୍ରକ୍‌ର ବିଭିନ୍ନ ଅଂଶକୁ କାଟିବାପରେ ଡ୍ରାଇଭରକୁ ଉଦ୍ଧାର କରିଥିଲେ । ହେଲେ ତଥାବି ପ୍ରାଣ ହରାଇଲେ ଡ୍ରାଇଭର । ଡ୍ରାଇଭର ଜଣକ ଚିକିତ୍ସାଧିନ ଅବସ୍ଥାରେ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁବରଣ କରିଛନ୍ତି ।

ମୃତକ ଡ୍ରାଇଭର ଜଣକ ବୋଡେନ ଥାନା ଅଞ୍ଚଳର ବୋଲି ସୂଚନା ଦେଇଛି ସ୍ଥାନୀୟ ପୋଲିସ । ଟ୍ରକ୍‌ଟି କଣ୍ଟାବାଞ୍ଜି ପଟୁ ପାଟଣାଗଡ ଆଡକୁ ଯିବା ସମୟରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିଲା । ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାବେଳେ ହେଲ୍‌ପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଟ୍ରକ୍‌ର ମାଲିକ କିଏ ? ଏହି ଟ୍ରକ୍‌ କେଉଁଠିକୁ ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଟ୍ରକ୍‌ଟି ଛତିଶଗଡ ଅଞ୍ଚଳର ବୋଲି ଅନୁମାନ କରାଯାଉଛି । ତେବେ ଘଟଣା ସ୍ଥଳରେ ବେଲପଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ପୁଣି ଫେରିଲେ ବବି, ଅରୁଣ, ସଞ୍ଜୟ, ଅତନୁ, ଏମାନଙ୍କୁ ଆଗକୁ ଛାଡ଼ିଲା ଦଳ

OTV is now on Whatsapp

Join and get latest news update delivered to you via whatsapp

Join Now