• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କାନ୍ଦ ବୋବାଳିରେ ଫାଟିପଡ଼ୁଛି ଘର । ଦାଣ୍ଡ ଦୂଆରେ ଚାଲିଛି କୋକେଇ ବନ୍ଧା । ମା’ କାନ୍ଦିକାନ୍ଦି ମାଟିରେ ଲୋଟି ପଡ଼ୁଛନ୍ତି । ଆଉ ଯାହା ହାତଧରି ଘର ଅଗଣାକୁ ବୋହୂକରି ନେଇ ଆସିଥିଲେ ସେ ଆଜି ଛାତି ଫଟାଇ ସ୍ୱାମୀର ଶବ ପାଖରେ ଚିତ୍କାର କରୁଛି । ବାପା ଛେଉଣ୍ଡ ହୋଇଯାଇଛି ଚାରି ମାସର କନ୍ୟା ସନ୍ତାନ । ବାହାଘରର ଚିତା ସିନା ଘର କାନ୍ଥରେ ଦାଉ ଦାଉ ହୋଇ ଜଳୁଛି ହେଲେ ସମସ୍ତଙ୍କୁ କନ୍ଦାଇ ଦେଇ ଚାଲିଯାଇଛନ୍ତି ଭେଣ୍ଡିଆ ପୁଅ ଦୀପକ ବିଷୋୟୀ ।

ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ରାଜପୁର ଗାଁରେ । ଗତ ଶନିବାର ଅନଙ୍ଗପୁର ଛକରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୀପକ RI ଚାକିରି ପାଇଁ ପରୀକ୍ଷା ଦେବାକୁ ଯାଉଥିବାବେଳେ ତାଙ୍କୁ ଏକ ମହିନ୍ଦ୍ରା ଥର୍ ଧକ୍କା ଦେଇଥିଲା । ଫଳରେ ସେ କିଛି ଦୂରରେ ଛିଟିକି ପଡ଼ିଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୀପକଙ୍କ ମୃତ୍ୟୁ ହୋଇଛି । 

ଦେଢ଼ ବର୍ଷ ତଳେ ବିବାହ କରିଥିଲେ ଦୀପକ । ହେଲେ ଲିଭିଯାଇଛି ଏବେ ପତ୍ନୀଙ୍କ ମଥାରୁ ସିନ୍ଦୂର । ଚାରି ମାସର ନିଷ୍ପାପ ଶିଶୁ ବାପା ଛେଉଣ୍ଡ ହୋଇଯାଇଛି । ସେପଟେ ପରିବାରକୁ କ୍ଷତି ପୂରଣ ଯୋଗାଇଦେବା ସହ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ଓ ସମ୍ପର୍କୀୟ ।  

ପୋଲିସ ମହିନ୍ଦ୍ରା ଥାର୍‌କୁ ଜବତ କରିଛି । ଡ୍ରାଇଭରକୁ ଗିରଫ କରି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛି । ହେଲେ ପୁଅକୁ ହରାଇ ଖାଲି ହୋଇଯାଇଛି ମା’ର କୋଳ । ନିଷ୍ପାପ ଶିଶୁ ମଧ୍ୟ ହୋଇଯାଇଛି ବାପା ଛେଉଣ୍ଡ । ଆଉ ପତ୍ନୀ ମଥାରୁ ଲିଭିଯାଇଛି ସିନ୍ଦୂର । 

OTV is now on Whatsapp

Join and get latest news update delivered to you via whatsapp

Join Now