ଘାଟିରେ ଓଲଟିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଆଜି ଭୋରରୁ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ 10 ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାରେ କାହାର ମୃତ୍ୟୁ ନେଇ ସୂଚନା ନାହିଁ ।
ଅଧିକ ପଢ଼ନ୍ତୁ: ୧୫ ଫୁଟ୍ ତଳକୁ ଖସିଲା ବସ୍; ଜଣେ ମୃତ, ୩୦ ଆହତ
ମିଳିଥିବା ସୂଚନା ମୁତାବକ, ଖମ୍ବେଶ୍ୱରୀ ନାମକ ଘରୋଇ ବସଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ହେଲେ କଳିଙ୍ଗା ଘାଟି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ବସ୍ । ଏହି ଦୁର୍ଘଟଣାରେ ବସ୍ରେ ଥିବା ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ଆଜି ଭୋର୍ ପ୍ରାୟ ସାଢେ ୫ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ କୌଣସି ବଡ଼ ଧରଣର ଅଘଟଣ ଘଟିନାହିଁ । ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଏପରି ଏକ ଯାତ୍ରାବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଥିଲେ । ବସ୍ଟି ଯାତ୍ରୀମାନଙ୍କୁ ନେଇ ଚିଙ୍ଗିରିକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଆସୁଥିଲା । ପ୍ରଥମେ ବସ୍ ଏକ ବାଇକକୁ ଧକ୍କା ଦେଇଥିଲା । ଏହାପରେ ଭାରସାମ୍ୟ ହରାଇ ୧୫ ଫୁଟ୍ ତଳକୁ ଖସି ପଡ଼ିଥିଲା ।