• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପନ୍ଥଙ୍କ କାର୍ ଆକ୍ସିଡେଣ୍ଟର ୨ଟି ଛାତିଥରା ଚିତ୍ର ହେଉଛି ଭାଇରାଲ । ଗୋଟିଏରେ ଡିଭାଇଡରରେ ଗାଡ଼ିଟି ପିଟି ହେଉଛି । ଆଉ ଅନ୍ୟଟିରେ ହୁତୁ ହୁତୁ ହୋଇ କାର୍ ଜଳୁଛି । ଭୟଙ୍କର ଦୁର୍ଘଟଣା ସତ୍ତ୍ୱେ ସୌଭାଗ୍ୟକ୍ରମେ ବଞ୍ଚିଯାଇଛି ଜୀବନ । 

ସମୟ ସକାଳ ପ୍ରାୟ ସାଢ଼େ ୫ଟା । ସ୍ଥାନ ଦିଲ୍ଲୀ-ହରିଦ୍ୱାର ରାସ୍ତା । ଉତ୍ତରାଖଣ୍ଡର ରୁରକି ନିକଟରେ ହଠାତ୍ ଯୁବ କ୍ରିକେଟର ରିଷବ ପନ୍ଥଙ୍କ ଦୃତଗାମୀ ମର୍ସିଡିଜ୍ କାର ରାସ୍ତାର ବାମପଟ ଡିଭାଇଡର ରେଲିଂରେ ପିଟି ହୋଇଯାଇଥିଲା । ତାର ମାତ୍ର କେଇ ସେକେଣ୍ଡ ପରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା, ଆଉ ହୁତୁ ହୁତୁ ହୋଇ ଜଳିଥିଲା । ନିଜେ ଗାଡ଼ି ଡ୍ରାଇଭିଂ କରି ଯାଉଥିଲେ ୨୫ ବର୍ଷିୟ ଷ୍ଟାର କ୍ରିକେଟର ପନ୍ଥ । ଦୁର୍ଘଟଣା ପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ କାର ଭିତରୁ ପନ୍ଥଙ୍କୁ ସୁରକ୍ଷିତ ବାହାର କରି ଆଣିଥିଲେ ।

ପ୍ରଥମେ ରୁରକି ହସ୍ପିଟାଲରେ ପନ୍ଥଙ୍କ ପ୍ରାଥମିକ ଚିକିତ୍ସା ପରେ ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ରିଷଭ ପନ୍ତ ଏବେ ବିପଦମୁକ୍ତ ଅଛନ୍ତି । ତେବେ ଶରୀରରେ ଆଘାତ ଲାଗିଛି । ବିସିସିଆଇ ପକ୍ଷରୁ ଜାରି ବିବୃତି ଅନୁସାରେ, ରିଷଭଙ୍କ କପାଳରେ ଦୁଇଟି କ୍ଷତ ସହ ଡାହାଣ ଆଣ୍ଠୁର ଲିଗାମେଣ୍ଟରେ ଆଘାତ ଲାଗିଛି । କହୁଣୀ, ଗୋଇଠି ଓ ପିଠିରେ ବି ଆଘାତ ଲାଗିଛି । ରିଷଭଙ୍କୁ ଚିକିତ୍ସା ପାଇଁ ପ୍ଲାଷ୍ଟିକ ସର୍ଜରୀ ଓ ଅସ୍ଥିଶଲ୍ୟ ବିଭାଗର ଡାକ୍ତରଙ୍କୁ ନେଇ ଟିମ୍ ଗଠନ କରାଯାଇଛି, କିଛି ଇଣ୍ଟରନାଲ ଇନଜୁରି ଅଛି କି ନାହିଁ ତାର ଅନୁଧ୍ୟାନ ଚାଲିଛି ।

ସୂଚନା ଅନୁସାରେ ନିଜ ମାଆଙ୍କୁ ସରପ୍ରାଇଜ୍ ଦେବାକୁ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲେ ୟଙ୍ଗ କ୍ରିକେଟର ରିଷବ ପନ୍ଥ । ଗାଡ଼ି ନିଜେ ଚଳାଉଥିଲେ ଓ ଏକୁଟିଆ ଥିଲେ । ଭୋରରୁ ସାମାନ୍ୟ କୁହୁଡ଼ି ସାଙ୍ଗକୁ ଆଖି ଲାଗିଯାଇଥିବାରୁ ଗାଡ଼ିଟି ପ୍ରଥମେ ଡିଭାଇଡର ଆଡକୁ ପଳାଇଥିଲା ଓ ଲୁହା ରେଲିଂରେ ପିଟି ହୋଇ ନିଆଁ ଧରି ଦେଇଥିଲା । ରାସ୍ତା ଦୁର୍ଘଟଣାରେ ପନ୍ଥ ଗୁରୁତର, ସକାଳ ପାଇଲା ବେଳକୁ ଏ ଖବର ସାରା ଦେଶରେ ଖେଳି ଯାଇଥିଲା । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ତୁରନ୍ତ ପନ୍ଥଙ୍କ ମାଆଙ୍କ ସହ ଫୋନ୍‌ରେ କଥା ହୋଇଥିଲେ । ତାସହ ଆଶୁ ଆରୋଗ୍ୟ କାମନା କରି ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପନ୍ଥଙ୍କ ଗାଡ଼ି ଦୁର୍ଘଟଣାସ୍ଥଳରୁ ନଗଦ ୪ହଜାର ଟଙ୍କା, ସୁନା ଚେନ୍, ବ୍ରେସଲେଟ୍ ମିଳିଛି । ପୋଲିସ ଏସବୁ ସଂଗ୍ରହ କରି ପନ୍ଥଙ୍କ ମାଆଙ୍କୁ ହସ୍ତାନ୍ତର କରିଛି ।

ଉତ୍ତରାଖଣ୍ଡର ହରିଦ୍ୱାରରେ ଜନ୍ମିତ ଓ୍ୱିକେଟ କିପର୍ ବ୍ୟାଟସମ୍ୟାନ୍ ରିଷଭ ପନ୍ଥ ଟିମ୍ ଇଣ୍ଡିଆର ଜଣେ ଉଦୀୟମାନ ଖେଳାଳି । ସବୁ ଫର୍ମାଟ୍‌ରେ ପରଫେକ୍ଟ । ନିକଟରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମ୍ୟାଚ୍ ବିଜୟୀ ୯୩ ରନ୍‌ର ଇନିଂସ ଖେଳିଥିଲେ । ତେବେ କିଛି ଦିନ ଧରି ତାଙ୍କ ପରଫରମାନ୍ସ ଧିମା ହୋଇଛି । ତାଙ୍କୁ ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଦଳରେ ସାମିଲ କରାଯାଇନାହିଁ ।

ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ  ଫିଟ୍‌ନେସ୍ ପାଇଁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀକୁ ଯିବାର ଥିଲା । ଆଗ୍ରେସିଭ୍ ବ୍ୟାଟସମ୍ୟାନ୍ ପନ୍ଥ ଏ ପର୍ଯ୍ୟନ୍ତ ୩୩ଟି ଟେଷ୍ଟ, ୩୦ ଦିନିକିଆ ଏବଂ ୬୬ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ୪ ହଜାରରୁ ଅଧିକ ରନ୍ ସଂଗ୍ରହ କରିିଛନ୍ତି । ଦୁର୍ଘଟଣାରେ ଆହତ ପନ୍ଥଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଟିମ୍‌ ଇଣ୍ଡିଆର ସାଥୀ ଖେଳାଳି ଓ ଅଫିସିଆଲ୍‌ଙ୍କ ସହ କୋଟି କୋଟି ଫ୍ୟାନ୍ ।