• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସପ୍ତମ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ଆଜି ଆସିକି ଶନିବାର ହେଲାଣି । ତଥାପି ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ସତ୍ତ୍ବେ ଶ୍ରମିକମାନଙ୍କୁ ଉଦ୍ଧାର କରା ଯାଇପାରିନାହିଁ । ଗତକାଲି ଅପରାହ୍ନରେ ଡ୍ରିଲିଂ ଚାଲିଥିବା ବେଳେ କିଛି ଭାଙ୍ଗିବାର ଶବ୍ଦ ହେବାରୁ ତୁରନ୍ତ କାମ ବନ୍ଦ କରାଯାଇଥିଲା ।

ଆଶଙ୍କା କରାଯାଉଛି, ଆହୁରି ମାଟି ଅତଡ଼ା ଧସିପାରେ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଟନେଲରେ ୬୦ ମିଟର ଭିତରକୁ ପ୍ରାୟ ୧ ମିଟର ଓସାରର ପାଇପ ପୁରାଇ ସେଥିରେ ଶ୍ରମିକମାନଙ୍କୁ ଆଣିବାର ଯୋଜନା କରାଯାଇଛି । କିନ୍ତୁ ପାଇପ ପ୍ରବେଶ କରାଇବା ପାଇଁ ଡ୍ରିଲିଂ କରିବା ସମୟରେ ସମସ୍ୟା ହେଉଛି ।

କେତେବେଳେ ଡ୍ରିଲିଂ ମେସିନ ଖରାପ ହେଉଛି ତ କେତେବେଳେ ଡ୍ରିଲିଂ ସମୟରେ ଆହୁରି ମାଟି ଅତଡ଼ା ଧସୁଛି । ଆଶ୍ବାସନାର କଥା ଏତିକି ଯେ, ସମସ୍ତ ଶ୍ରମିକ ସୁସ୍ଥ ଅଛନ୍ତି । ସେମାନଙ୍କ ପାଖକୁ ପାଇପରେ ଖାଇବା ପିଇବା ଓ ଅକ୍ସିଜେନ ପଠାଯାଉଛି । ଗତକାଲି ଦିଲ୍ଲୀରୁ ଅଣାଯାଇଥିବା ଆମେରିକାନ ଅଗର ଡ୍ରିଲ ସାହାଯ୍ୟରେ ୨୪ ମିଟର ଡ୍ରିଲ କରାଯାଇଥିବା ବେଳେ ଏକ ମେଟାଲ ପ୍ଲେଟରେ ମାଡ ହେବାରୁ ଖୋଳା କାମ ବନ୍ଦ ରହିଛି ।

ଆହୁରି ୩୦ରୁ ୪୦ ମିଟର ଡ୍ରିଲିଂ କରିବାକୁ ପଡ଼ିବ । ଅଧିକ ଖନନ ପାଇଁ ଇନ୍ଦୋରରୁ ଆଉ ଏକ ମେସିନ ଏୟାର ଲିଫଟିଂ କରାଯାଇଛି । ଥାଇଲାଣ୍ଡ ଓ ନରୱେରୁ ମଧ୍ୟ ଆସିଛନ୍ତି ବିଶେଷଜ୍ଞ ଟିମ୍ । ଓଡ଼ିଶାରୁ ଯାଇଥିବା ଶ୍ରମ ଅଧିକାରୀ ଘଟଣାସ୍ଥଳକୁ ଯାଇ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି ।

ଅନ୍ୟପଟେ ଓଡ଼ିଆ ଶ୍ରମିକଙ୍କ ସହ ଓଡ଼ିଆ ଶ୍ରମ ଅଧିକାରୀ ଆଲୋଚନା କରିଛନ୍ତି । ସରୁ ପାଇପ ଯୋଗେ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଅଧିକାରୀ । ସମସ୍ତ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ବ୍ୟବସ୍ଥା କରାଯାଉଥିବା ସେ ଜଣାଇଛନ୍ତି । ଏପଟେ ଅପେକ୍ଷା କରି କରି ଧୈର୍ଯ୍ୟ ଭାଙ୍ଗିଲାଣି ଶ୍ରମିକଙ୍କର । ପରିବାର ମଧ୍ୟ ନିରାଶ ହୋଇ ଗଲାଣି ।

ସୁରକ୍ଷିତ ଉଦ୍ଧାର ନେଇ ମନରେ ଆଶା ଥିଲେ ମଧ୍ୟ, ଦିନ ଗଡ଼ିବା ସହ ଧୈର୍ଯ୍ୟ ମଧ୍ୟ ବନ୍ଧ ଭାଙ୍ଗୁଛି । ନାନା ବାଧାବିଘ୍ନ ସତ୍ତ୍ୱେ ଜୀବନରୁ ପାଣି ଛଡ଼ାଇ ଉଦ୍ଧାର କରିବାକୁ ଲାଗିଛନ୍ତି ଉଦ୍ଧାରକାରୀ ଦଳ । କିନ୍ତୁ ଶ୍ରମିକମାନେ କେବେ ଉଦ୍ଧାର ହେବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଜଣା ପଡ଼ିନାହିଁ ।