/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704465968.jpg)
Hi-Tech Medical
ସେଦିନ ହାଇଟେକ ହସପିଟାଲ ପକ୍ଷରୁ ସଫା ସଫା କୁହାଯାଇଥିଲା ଯେ, ଦୁର୍ଘଟଣାରେ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। କେହି ଗୁରୁତର ହୋଇନାହାଁନ୍ତି । ସମସ୍ତ ଆହତଙ୍କ ହସପିଟାଲରେ ଚିକିତ୍ସା ଚାଲିଛି, ଖୁବଶୀଘ୍ର ସୁସ୍ଥ ହୋଇଯିବେ। ଆଜି ଘଟଣାର ୭ ଦିନ ପରେ ହସପିଟାଲ କର୍ତ୍ତୃପକ୍ଷ କହୁଛନ୍ତି, ସେଦିନ ଆହତ ଏଭଳି ଭାବେ ଜଳିଯାଇଥିଲେ ଯେ, ଚିହ୍ନିବା ମୁସ୍କିଲ ହୋଇପଡିଥିଲା। ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ରଖିବାକୁ ପଡିଥିଲା।
ତେବେ ହସପିଟାଲର କେଉଁ କଥା ସତ ? କାହାକୁ ବିଶ୍ୱାସ କରାଯିବ ? କାହିଁକି ମତ ବଦଳାଉଛି ହାଇଟେକ୍ ହସପିଟାଲ ? ତେବେ ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ ଭିତରେ ଆଜି ନିଜ ଦୋଷ ଝାଡିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। କହିଛନ୍ତି, ଲିଗାଲି, ଏଥିକାଲି ଏବଂ ଲଜିକାଲି ଆମେ ଠିକ୍ । ହସପିଟାଲର କୌଣସି ଭୁଲ ନାହିଁ। ପରିବାର ମୃତଦେହ ଚିହ୍ନଟ କରିପାରିନାହାନ୍ତି, ଆମର ଦୋଷ ନାହିଁ।
କେବଳ ଏତିକି ନୁହେଁ, ହସପିଟାଲ ପକ୍ଷରୁ କୁହାଯାଇଛି ଯେ, ରୋଗୀଙ୍କ ଚିକିତ୍ସା କରିବା ତାଙ୍କ କାମ, ରୋଗୀର ପରିଚୟ ଖୋଜିବା ନୁହେଁ। ଏହି ଘଟଣାରେ ଯେତେବେଳେ ରୋଗୀଙ୍କ ମୃତ୍ୟୁ ହେଲା ମେଡିକାଲ ଲିଗାଲ କେସ୍ ଆଧାରରେ ସେମାନେ ମୃତକଙ୍କର ଡେଡବଡି ପୋଲିସକୁ ହସ୍ତାନ୍ତର କରିଥିଲେ ଏବଂ ପୋଲିସ ପରିବାରକୁ ଡାକି ଚିହ୍ନଟ କରିଛନ୍ତି। ଏଭଳି କହି ସିଧାସଳଖ ପୋଲିସ ଏବଂ ତୃତୀୟପକ୍ଷ ଉପରକୁ ଦୋଷ ଠେଲିଦେଇଛନ୍ତି ହସପିଟାଲ କର୍ତ୍ତୃପକ୍ଷ।
ଏବେ ପ୍ରଶ୍ନ ଉଠୁଛି, ଯଦି ହସପିଟାଲର କିଛି ଭୁଲ ନାହିଁ, ତେବେ ଭୁଲ୍ କଣ ପୋଲିସର ? ପ୍ରକୃତରେ ମୃତଦେହ ଚିହ୍ନଟ କରିବା ଦାୟିତ୍ୱ କାହାର ? ହସପିଟାଲର ନା ପୋଲିସର ? ହାଇଟେକ୍ କର୍ତ୍ତୃପକ୍ଷ ପୋଲିସ ଉପରେ ଦୋଷ ଲଦୁଥିବା ବେଳେ ପାଲଟା ହସପିଟାଲ ଉପରେ ଦୋଷ ଲଦିଛି ପୋଲିସ। ଡିସିପି କହିଛନ୍ତି, ଶବ ଚିହ୍ନଟ କରିବାରେ ପୋଲିସର କୌଣସି ଭୂମିକା ନାହିଁ। ତେବେ କେଉଁ ସ୍ତରରେ ତ୍ରୁଟିରୁ ଏଭଳି ହୋଇଛି ତାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଯଦି ହସପିଟାଲ କିଛି ଭୁଲ କରିନି କି ପୋଲିସର କିଛି ଭୁଲ ନାହିଁ, ତେବେ ଭୁଲ୍ କାହାର ? ମୃତକ ଚିହ୍ନଟରେ ଏଭଳି ଗୁରୁତର ତ୍ରୁଟି ହେଲା କେମିତି ? କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ? ଘଟଣା ପଛରେ କାହାର ଅବହେଳା, ଏଥିପାଇଁ ଦାୟୀ କିଏ ? କାହା ଭୁଲ୍ ପାଇଁ ଅକାରଣରେ ଚାଲିଗଲା ଆଉ ଗୋଟିଏ ଜୀବନ ? ଦିଲୀପ ସାମନ୍ତରାୟଙ୍କ ପତ୍ନୀଙ୍କ ଆତ୍ମହତ୍ୟା ପାଇଁ କିଏ ହେବ ଦାୟୀ ? ହସ୍ପିଟାଲ କର୍ତ୍ତୃପକ୍ଷ, ଆଉଟସୋର୍ସିଂ ଏଜେନ୍ସି ନା ପରିବାରବର୍ଗ ? ଯଦି ମୃତଦେହ ଚିହ୍ନଟ ହୋଇପାରୁନଥିଲା, ଡିଏନଏ ଟେଷ୍ଟ କରାଗଲାନି କାହିଁକି ?
ସେପଟେ ଘଟଣା ପାଇଁ ସିଧାସଳଖ ହାଇଟେକ୍ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଉପରକୁ ଅଙ୍ଗୁଳି ଉଠାଇଛି ଏସି ଟେକନିସିଆନ୍ ଆସୋସିଏସନ୍। କହିଛି, ଏସି ସଜାଡିବା ପାଇଁ ସେଦିନ ନାଇଟ୍ରୋଜେନ୍ ବଦଳରେ ଅକ୍ସିଜେନ୍ ଗ୍ୟାସ ଦିଆଯାଇଥିଲା। ଯେଉଁଥିପାଇଁ ବିସ୍ଫୋରଣ ହୋଇଥିଲା।
ଏହାରି ଭିତରେ ହାଇଟେକ ହସପିଟାଲ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଜ୍ୟୋତିପ୍ରକାଶ ମଲ୍ଲିକଙ୍କ ମାମୁ କହିଛନ୍ତି, ତାଙ୍କୁ ପାଟି ଚୁପ୍ କରିବାକୁ ହାଇଟେକ୍ ହସପିଟାଲ କର୍ତ୍ତୃପକ୍ଷ ବାରମ୍ବାର ଚାପ ପକାଉଛନ୍ତି। ଏପରିକି ୧୦ ଲକ୍ଷ ଟଙ୍କା ଯାଚୁଛନ୍ତି। ହେଲେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି। ଏବେ ଅପେକ୍ଷା ପୋଲିସ ତଦନ୍ତରେ କଣ ସାମ୍ନାକୁ ଆସୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)