• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବସ୍‌ ଯାତ୍ରା ହେଲା ଶେଷ ଯାତ୍ରା । କିଏ ଅନେକ ଦିନ ପରେ ଘରକୁ ଫେରୁଥିଲା, ଆଉ କିଏ ପିଲାଛୁଆଙ୍କ ସହ ସମୟ କାଟିବା ପାଇଁ ବାହାରିଥିଲା । ହେଲେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ । ଦକ୍ଷିଣ ଆମେରିକା ମହାଦ୍ୱୀପ ସ୍ଥିତ ପେରୁରେ ଶନିବାର ଦିନ ବିଳମ୍ବିତ ରାତ୍ରୀରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉତ୍ତର ପେରୁର ଏକ ପାହାଡ଼ ଉପରୁ ଖସିପଡି ଥିବାବେଳେ, ଏଥିରେ ୨୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଗଣମାଧ୍ୟମକୁ ପୋଲିସ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି । ଡେଭିଲ୍‌ କର୍ଭ ନାମକ ଏକ ଉଠାଣିଆ ସ୍ଥାନରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ପେରୁର ପରିବହନ ପର୍ଯ୍ୟବେକ୍ଷକ ଏଜେନ୍ସି (SUTRAN) ପକ୍ଷରୁ ଏକ ବିବୃତ୍ତି ଦିଆଯାଇ ଏହି ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟ କରାଯାଇଛି । କିନ୍ତୁ ଏଜେନ୍ସି ପ’ରୁ ମୃତ୍ୟୁ ସଂଖ୍ୟା ଏବଂ ଆହତଙ୍କ ସଂଖ୍ୟା ଦିଆଯାଇ ନାହିଁ । ଉତ୍ତର ପେରୁର ଆଲ୍ଟୋର ଜିଲ୍ଲାରେ ଏହି ବସ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ବସରୁ ଡେଇଁପଡି ନିଜକୁ ରକ୍ଷା ଜୀବନ ରକ୍ଷା କରିପାରିଛନ୍ତି । ତେବେ ବସ୍‌ ଦୁର୍ଘଟଣାର ଦୃଶ୍ୟ ସତରେ ଖୁବ୍‌ ବିଚଳିତ କରୁଛି । ବସ୍‌ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ମୃତଦେହ ଗୁଡ଼ିକ ଛିନଛତର୍‌ ହୋଇ ଏପଟ ସେପଟ ପଡ଼ି ରହିଛି । 

ହେଲେ ଅଧିକାଂଶ ଯାତ୍ରୀ ଗାଡ଼ି ଭିତରେ ଫସି ରହି ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଆହତ ଯାତ୍ରୀମାନଙ୍କୁ ଲିମାଠାରୁ ପ୍ରାୟ ୧୦୦୦ କିଲୋମିଟର ଉତ୍ତରରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା କରାଯାଉଛି।