• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜି ୧୪ ଏପ୍ରିଲ...ଆଜିର ଦିନରେ ଗଭୀର ସମୁଦ୍ରରେ ବୁଡ଼ିଯାଇଥିଲା ବିଶ୍ୱର ସବୁଠୁ ବଡ଼ ଓ ବିଳାସପୂର୍ଣ୍ଣ କ୍ରୁଜ୍ ସିପ୍ ଟାଇଟାନିକ୍‌ । ଖାଲି ବୁଡ଼ିଥିଲା ତାହା ନୁହେଁ ବରଂ ୧୫ ଶହ ଲୋକଙ୍କ ପ୍ରାଣ ବି ଯାଇଥିଲା । ଯାହାକୁ ନେଇ ଏବେ ବି ଚର୍ଚ୍ଚା ହୁଏ । କିଏ କିଏ କ୍ୟାପଟେନ୍‌ଙ୍କୁ ଦୋଷ ଦିଅନ୍ତି ତ ଆଉ କିଏ କିଏ ପାଣିପାଗକୁ ଦୋଷ ଦିଅନ୍ତି । ତେବେ ଜାଣନ୍ତୁ କେମିତି ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା ?

୧୦ ଏପ୍ରିଲ ୧୯୧୨ । ଇଂଲଣ୍ଡର ସାଉଥହାଂପଟନରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ସେତେବେଳେ ବିଶ୍ୱର ସବୁଠୁ ବିଳାସପୂର୍ଣ୍ଣ କ୍ରୁଜ୍ ସିପ୍ ଟାଇଟାନିକ୍‌ । କୌଣସି ପରିସ୍ଥିତିରେ ବି ଜାହାଜ ବୁଡିବ ନାହିଁ, ସେଇ ଢାଞ୍ଚାରେ ତିଆରି ହୋଇଥିଲା ଏହି ଲକଜୁରୀ ସିପ୍‌ । ସେଥିଲାଗି ଏହାକୁ କୁହାଯାଉଥିଲା ଅନସିଙ୍କେବଲ । ଜାହାଜରେ ଥିଲେ ୨୨୨୪ ଜଣ ଯାତ୍ରୀ । ପ୍ରାୟତଃ ସମସ୍ତେ ଥିଲେ ଉଚ୍ଚ ଓ ସଂଭ୍ରାନ୍ତ ଶ୍ରେଣୀର ।

ବ୍ରିଟିଶ କମ୍ପାନୀ ହର୍ଲାଣ୍ଡ ଆଣ୍ଡ ଉଲ୍ ଫ ଟାଇଟାନିକର ନିର୍ମାଣ କରିବା ବେଳେ ହ୍ୱାଇଟ ଷ୍ଟାର ଲାଇନ କଂପାନି ଏହାର ପରିଚାଳନା ଦାୟିତ୍ୱରେ ଥିଲା । ୩ ବର୍ଷ ଧରି ୩ ହଜାର ଶ୍ରମିକ ଅକ୍ଲାନ୍ତ ପରିଶ୍ରମରେ ଆତ୍ମପ୍ରକାଶ କରିଥିଲା ଟାଇଟାନିକ। ଏହାର ନିର୍ମାଣରେ ୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଏଥିରେ ମହଜୁଦ ଥିଲା ।

ସି ଟ୍ରାଏଲ ପରେ ୧୯୧୨ ଏପ୍ରିଲ ୨ ତାରିଖରେ ସମୁଦ୍ରରେ ଯାତ୍ରା କରିବାକୁ ଟାଇଟାନିକ୍‌କୁ ମିଳିଥିଲା ଗ୍ରୀନ ସିଗ୍‌ନାଲ । ଆଉ ପ୍ରଥମ ଯାତ୍ରାରେ ବାହରିଥିଲେ ବିଶ୍ୱର ବହୁ ଧନୀ ଓ ପ୍ରଖ୍ୟାତ ବ୍ୟକ୍ତି । ଯାତ୍ରୀଙ୍କ ଲାଗି ଜାହାଜରେ A,B ଓ C ଭଳି ବିଭିନ୍ନ ଶ୍ରେଣୀର କକ୍ଷ ଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରଥମ ଶ୍ରେଣୀରେ ଯାତ୍ରା କରିବାକୁ ସେହି ସମୟରେ ୨ ଲକ୍ଷ ୭୦ ହଜାର ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦେବକୁ ପଡିଥିଲା ପ୍ରାୟ ଲକ୍ଷେ ଟଙ୍କା ।

୧୪ ଏପ୍ରିଲ...ଅଧରାତିରେ ସମୁଦ୍ର ବେଶ୍‌ ଶାନ୍ତ ଥିଲା । ତେଣୁ ଫୁଲ ସ୍ପିଡରେ ଆଗକୁ ବଢୁଥିଲା ଟାଇଟାନିକ । ତେବେ ଆଟଲାଣ୍ଟିକ ମହାସାଗରରେ ବିରାଟକାୟ ବରଫ ପାହାଡ ବା ଆଇସବର୍ଗର ଉପସ୍ଥିତି ନେଇ ଟାଇଟାନିକ କ୍ରୁକୁ ସମୁଦ୍ରରେ ଉପସ୍ଥିତ ଅନ୍ୟ ଜାହାଜ ସତର୍କ କରାଇ ଦେଇଥିଲେ । ଏମାନଙ୍କ ମଧ୍ୟରେ ପ୍ରମୁଖ ଥିଲା ଆଣ୍ଟଲାଣ୍ଟିକ ଲାଇନ୍ସ ମେସାବା । ମାତ୍ର ଟାଇଟାନିକର କ୍ୟାପଟେନ୍‌ ସ୍ମିଥ ଏହାକୁ ଅଣଦେଖା କରିଥିଲେ । ଜାହାଜ ପୂରାଦମରେ ଆଗକୁ ମାଡି ଚାଲିଥିବା ବେଳେ ରାତି ଠିକ୍‌ ୧୧.୪୦ ମିନିଟରେ ଟାଇଟାନିକ ଆଗରେ ବିଶାଳକାୟ ବରଫ ପାହାଡ ଦେଖିବାକୁ ମିଳିଥିଲା ।

ଦିଗ ବଦଳାଇବା ସହ ଇଂଜିନକୁ ରିଭର୍ସ କରିବା ଲାଗି କ୍ୟାପଟେନ ସ୍ମିଥଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ସେତେବେଳକୁ ସବୁ ସରିଯାଇଥିଲା । ବରଫରେ ମାଡ ହେବା ପରେ ଟାଇଟାନିକରେ ବିରାଟକାୟ କଣା ହୋଇଯାଇଥିଲା । ଫଳରେ ଧୀରେ ଧୀରେ ବୁଡିବାକୁ ଆରମ୍ଭ କରିଥିଲେ ଅନସିଙ୍କେବଲ ଟାଇଟାନିକ । ଏପ୍ରିଲ ୧୪ କଳାରାତିର ସେଇ ଲୋମଟାଙ୍କୁରା କାହାଣୀକୁ ନେଇ ପରବର୍ତ୍ତୀ ସମୟରେ ନିର୍ମିତ ଚଳଚ୍ଚିତ୍ର ଟାଇଟାନିକ ସାରା ବିଶ୍ୱରେ ଆଦୃତ ହୋଇଥିଲା । ଚଳଚ୍ଚିତ୍ର ହେଲେ ମଧ୍ୟ ଯିଏ ବି ସେଇ ଦୁର୍ଘଟଣାର ଚିତ୍ର ଦେଖିଛନ୍ତି, ସେ ଆଜି ବି ତାକୁ ପାସୋରି ପାରି ନାହାନ୍ତି ।