• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଏବେ ବି ଆଖି ସାମ୍ନାରୁ ଯାଉନି ସେ ଦୃଶ୍ୟ...ଭୁଲି ହେଉନି ସେ ଚିତ୍କାର । ଟିଭିରେ ବି ବାହାନଗା ନାଁ ଶୁଣିଲେ ଡର ଲାଗୁଛି । ବାପାଙ୍କୁ ହରାଇବା ପରେ ଟ୍ରେନ୍‌ରେ ଆମେ କେବେ ଯିବୁ ବୋଲି ସାହସ ଜୁଟାଇପାରୁନୁ । ବାହାଘରର ୧୦ ଦିନ ପରେ ବାପାକୁ ହରାଇଥିବା ଝିଅଟି କହୁଛି ଏମିତି କଥା ।

ନୀଳଗିରି ବ୍ଲକ ଅଯୋଧ୍ୟା ଗାଁରେ ଏବେ ବି ସେହି କାଳରାତିକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ସେହି କାଳ ଶୁକ୍ରବାର ଦିନ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଘରର ଏକମାତ୍ର ରୋଜଗାରିଆ ମୁରବିକୁ ହରାଇଛନ୍ତି ଅନେକ ପରିବାର । କାରଣ ଗାଁରେ ଝିଅର ବାହାଘର ବଡ଼ ଆଡମ୍ବରରେ କରିଥିଲେ । ବାହାଘରରେ ଯେମିତି କୌଣସି ଅସୁବିଧା ନହୁଏ ସେଥିଲାଗି ଧାରକରଜ ବି କରିଥିଲେ । ସେଇଥି ଲାଗି ତ ବାହାଘର ସରିବା ପରେ ଚେନ୍ନାଇ ଯାଉଥିଲେ ରୋଜଗାର କରିବା ଲାଗି । ହେଲେ ସବୁ ଉଜାଡିଦେଲା କରମଣ୍ଡଳ ।

ତାରିଖ- ଜୁନ୍‌-୨, ସମୟ- ସଂଧ୍ୟା ୭ଟା, ସ୍ଥାନ-ବାହାନଗା ବଜାର ଷ୍ଟେସନ୍‌ । ହଠାତ୍‌ ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଟ୍ରେନ୍‌ । ଚାହୁଁଚାହୁଁ ଶହଶହ ଲୋକ ପ୍ରାଣ ହରାଇଥିଲେ । ଆଉ ସେହି ଦୁର୍ଘଟଣାରେ ନୀଳଗିରିର ମୋନାଲିସାଙ୍କ ବାପା ସବୁଦିନ ଲାଗି ଆଖି ବୁଜିଥିଲେ । ବାହାଘରର ମାତ୍ର ୧୦ ଦିନ ପରେ ବାପା ଆଖି ବୁଜିଥିବାରୁ ଏବେ ବି କାନ୍ଦିକାନ୍ଦି ଦିନ କାଟୁଛନ୍ତି ମୋନାଲିସା । ଆଉ କହୁଛନ୍ତି ମତେ ବେଳେ ବେଳେ ଲାଗୁଛି ବାପା ଚେନ୍ନାଇରେ ଅଛନ୍ତି ।

ଖାଲି ଝିଅ ନୁହେଁ ବରଂ ଭାଇକୁ ହରାଇ କାନ୍ଦି କାନ୍ଦି ନୟାନ୍ତ ହେଲାଣି ଭଉଣୀ । କହୁଛନ୍ତି, ପ୍ରତିବର୍ଷ ଭାଇକୁ କୁହେ ଯେବେ ଘରକୁ ଆସୁଛ ଆସ କିଛି ନାହିଁ କିନ୍ତୁ ପ୍ରତିବର୍ଷ ରାକ୍ଷୀ ପୁନେଇକୁ ଆସିବ । ହେଲେ ମାସଟା ପରେ ରାକ୍ଷୀ ପୁନେଇ ଏବେ ରାକ୍ଷୀ ମୁଁ କାହା ହାତରେ ବାନ୍ଧିବି? ବାସ୍‌ ଏତିକି କହି କାନ୍ଦି ପକାଉଛନ୍ତି । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଶହଶହ ଲୋକଙ୍କର ପ୍ରାଣ ଚାଲିଯାଇଛି । କିଏ ବାପାକୁ ତ କିଏ ଭାଇକୁ ତ ଆଉ କିଏ ସ୍ୱାମୀକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଆଉ ସେ ଟ୍ରେନ୍‌ ଦୁର୍ଘଟଣାର ପୁନରାବୃତ୍ତି ନହେଉ ବୋଲି କହୁଛି ।

 

 

  • Reported by:
  • DEBASHISH MOHANTY