• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କରମଣ୍ଡଳ ଏକ୍ସପ୍ରେସ କାହା କୋଳ ଖାଲି କରି ଦେଇଛି ତ ଆଉ କାହାର ସିନ୍ଥିରୁ ସିନ୍ଦୂର ପୋଛି ଦେଇଛି। କୁନିକୁନି ବାଳୁତ ଶିଶୁଙ୍କୁ ବାପ ଛେଉଣ୍ଡ କରି ଦେଇଛି ଶୁକ୍ରବାର କାଳରାତିର କରମଣ୍ଡଳ ।

କୁନି ଝିଅଟି ବାପା ବୋଉଙ୍କ ସୁନ୍ଦର ଫଟୋକୁ ଜାବୁଡି ଧରି ଦେଖାଇ ଦେଉଛି, କହୁଛି ଇଏ ମୋ ବାପା, ମତେ କାଖେଇଛନ୍ତି । ମୋ ବାପା ମତେ ବହୁତ୍ ଭଲ ପାଆନ୍ତି, ସେ ଡ୍ୟୁଟିରୁ ଘରକୁ ଫେରିଲେ ମୋ ପାଇଁ ଖେଳଣା ଆଣିବେ। ହେଲେ କୁନି ଝିଅଟି ଜାଣିନି ତା ବାପା ଆଉ ଏ ଦୁନିଆରେ ନାହାନ୍ତି । ମାଆ କାନ୍ଦୁଛି, ବୁଢ଼ି ମାଆ ମନ ମାରି ବସିଛି । ଘରେ ଶୋକର ଛାୟା ଖେଳିଯାଇଛି, କାରଣ କୁନି ଝିଅଟିର ବାପା ଆଉ କେବେ ଘରକୁ ଫେରିବେନି । କରମଣ୍ଡଳ ଏକ୍ସପ୍ରେସରେ ସେ କେଉଁ ଅଫେରା ରାଇଜକୁ ଚାଲିଯାଇଛନ୍ତି ଯେ ତାର ଠିକଣା ନାହିଁ । 

ଘର ଅଧା ଗଢା ହୋଇ ପଡ଼ିଛି, କାନ୍ଥରୁ ବାହାଘରର ଚିହ୍ନ ଧୀରେ ଧୀରେ ଲିଭି ଲିଭି ଯାଉଛି, ମାତ୍ର ୫ ବର୍ଷର ବୈବାହିକ ଜୀବନକୁ ବିକ୍ଷୀପ୍ତ କରି ସେ ଚାଲି ଯାଇଛନ୍ତି । ବାଲେଶ୍ୱର ଜିଲ୍ଲା ଝିଙ୍କିରିଆ ପଞ୍ଚାୟତ ସିଙ୍ଗିପୁର ଗାଁର ଏ ମହିଳା ଜଣକ ତାଙ୍କ ସ୍ୱାମୀ ବିକ୍ଷୀପ୍ତ ପଲାଇଙ୍କୁ କରମଣ୍ଡଳ ରେଳ ଦୁର୍ଘଟଣାରେ ହରାଇଛନ୍ତି, ଯିଏ କହୁଥିଲେ, ଏଥର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ।

ମାଆ କୋଳରେ ବସି କାନ୍ଦୁଥିବା କୁନି ପିଲାଟି ବି ଜାଣିନି ସେ ଏଠିକୁ କାହିଁକି ଆସିଛି । ଘର ପଶ୍ଚିମବଙ୍ଗ ସେମନଗର ଗାଁରେ। ବାଲେଶ୍ୱର ରେଳ ଷ୍ଟେସନରେ ପିଲାଟି ମାଆ କୋଳରେ ବସିଛି । ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ପଡ଼ୋଶୀ ପଶ୍ଚିମବଙ୍ଗର ସାଲମା ଖାତୁନ୍ । ତାଙ୍କ ସ୍ୱାମୀ ହାଲିମ ଉଲ୍ଲା ସଦାବେଳେ କରମଣ୍ଡଳ ଏକ୍ସପ୍ରେସରେ ବାହାର ରାଜ୍ୟକୁ ଯାଇ ରାଜମସ୍ତ୍ରୀ କାମ କରନ୍ତି । ଗତ ଶୁକ୍ରବାର ବି ସେ କରମଣ୍ଡଳରେ ବସିଥିଲେ। ହେଲେ ଜାଣି ନ ଥିଲେ ଶୁକ୍ରବାରର କରମଣ୍ଡଳ ତାଙ୍କ ପାଇଁ କାଳ ସାଜିବ ବୋଲି।

ଆଜି ସାଲମା ବାଲେଶ୍ୱର ଆସି ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଉଥିବା ୧୦ ଲକ୍ଷଟଙ୍କାର କ୍ଷତିପୁରଣ ପାଇଛନ୍ତି। ହେଲେ ତାଙ୍କର ଯେଉଁ କ୍ଷତି ହୋଇଛି ଏ ଅର୍ଥରାଶି ଯେ ପୂରଣ କରିପାରିବନି ସେ କଥା ସେ କାହାକୁ କହିବେ। ସବୁଠି ହସିଲା ସଂସାର ଉଜିଡି ଯାଇଛି । ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଦିନ ଗଡ଼ିବା ସହିତ ଏମିତି ଛାତିଫଟା କାହାଣୀ ସାମ୍ନାକୁ ଆସୁଛି । 

  • Reported by:
  • Niranjan Behera