• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବଗି ନବଦାଇଥିଲେ ଆମେ ମରିଯାଇଥାଆନ୍ତୁ...ଟିକିଏ ଟିକିଏ ଲାଗି ବଞ୍ଚିଗଲା ଜୀବନ । ଟ୍ରେନ୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଗୋଟିଏ ପରିବାର କ୍ୟାମେରା ସାମ୍ନାରେ କିଛି ଏମିତି ଡଙ୍ଗରେ ବଖାଣିଥିଲେ କେମିତି ସେଦିନ ବଂଚାଇଥିଲେ ଜୀବନ । ବ୍ରହ୍ମପୁର ଗୋଷାଣିଆ ନୂଆ ଗାଁର ଏକ ଆପାର୍ଟମେଣ୍ଟରେ ରହୁଥିଲେ ଏଜିକେଲ୍‌ ଦାସ । ପତ୍ନୀ ସୁମିତା ଓ ପୁଅ ଜାକବ । ଏଜିକେଲ୍‌ଙ୍କ ବଡ଼ ଭାଇ ପଶ୍ଚିମବଙ୍ଗର ଖଡ଼ଗପୁରରେ ରୁହନ୍ତି । ତାଙ୍କର ଜନ୍ମଦିନ ପାଳନ ପାଇଁ ପୂରା ପରିବାର ଯାଇଥିଲେ ଖଡ଼ଗପୁର । ସେଦିନ ଥିଲା ଜୁନ୍‌-୨, ଶୁକ୍ରବାର । ଜନ୍ମଦିନ ପାର୍ଟି ସେଲିବ୍ରେସନ୍‌ ସରିବା ପରେ ଖଡ଼କପୁରରୁ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ ଏଜିକେଲଙ୍କ ପରିବାର ।

ପ୍ଲାନ୍‌ ଅନୁସାରେ କରମଣ୍ଡଳରେ କରାଯାଇଥିଲା ଟିକେଟ୍‌ । ତେଣୁ ଟ୍ରେନ୍‌ ଆସିବା ପୂର୍ବରୁ ଷ୍ଟେସନ୍‌ରେ ପହଞ୍ଚିଲେ ପୂରା ପରିବାର । ପୁଅ ଜାକବଙ୍କ ‘ବି ୮’ ବଗିରେ ଟିକେଟ୍‌ ହୋଇଥିଲା । ହେଲେ ଏଜିକେଲ୍‌ ଓ ତାଙ୍କ ପତ୍ନୀଙ୍କର ଟିକେଟ୍‌ କନଫର୍ମ ଥିଲା ‘ବି ୨’ ବଗିରେ । ପ୍ରଥମେ ଉଭୟେ ଚିନ୍ତା କରିଥିଲେ ବି-୮ ବଗିରେ ଚଢିବାକୁ । ହେଲେ ମନରେ କିଛି ଦ୍ୱନ୍ଦ୍ୱ ହେବା ପରେ ପୂରା ପରିବାର ବସିଥିଲା ବି-୨ରେ ।

ନିର୍ଦ୍ଧାରିତ ସମୟରେ ଷ୍ଟେସନ ଛାଡିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ହେଲେ ବାଲେଶ୍ୱର ଷ୍ଟେସନ ପାଖରେ ଟିଟିଇ ଆସିବା ପରେ ସିଟ୍‌ ବଦଳାଇବାକୁ କହିଥିଲେ । ହେଲେ ଟିଟିଇ କହିଥିଲେ ବି-୮ରେ ଥିବା ଟିଟିଇଙ୍କ ସହ କଥା ହେବା ପରେ ହିଁ ସିଟ୍‌ ବଦଳାଇ ହେବ । ସମୟ ୬ଟା ୫୦...ଜାକବ୍‌ କହିଥିଲେ କି କଟକରେ ଡିନର କରିବା ପରେ ଟିଟିଇଙ୍କ ସହ କଥା ହେବେ ବୋଲି । ବାସ୍‌ ଏହାର ୧୦ ମିନିଟ୍‌ ପରେ ଶୁଭିଥିଲା ଭୟଙ୍କର ଚିତ୍କାର । ଆଉ ଚାହୁଁଚାହୁଁ ଦିଶିଥିଲା ଶବର ପାହାଡ଼ । ସ୍ଥିତି ଏମିତି ହୋଇଥିଲା କି, ଟ୍ରେନ୍‌ ପଡିଥିବା ପାଖରେ ପ୍ରାୟ ୧୦ ଫୁଟ୍‌ର ଗାତ ଥିଲା । ତେଣୁ ନିଜେ ଟ୍ରେନ୍‌ରୁ ବାହାରି ପୂରା ପରିବାରକୁ ବଂଚାଇବାକୁ ଚେଷ୍ଟା କରିଥିଲେ ଜାକବ୍‌ । ନିଜ ପରିବାରକୁ ସିନା ବଞ୍ଚାଇଦେଲେ ହେଲେ ଆଖି ସାମ୍ନାରେ ସେ ଯେଉଁ ଦୃଶ୍ୟ ଦେଖିଛନ୍ତି ତାହା ତାଙ୍କୁ ଶୁଆଇ ଦେଉନି ବୋଲି କହିଛନ୍ତି ।

କରମଣ୍ଡଳର କରୁଣ କାହାଣୀକୁ ନେଇ ଏବେ ସବୁଠି ଦେଖିବାକୁ ମିଳୁଛି ଦୃଦୟ ବିଦାରକ ଦୃଶ୍ୟ । ଆଉ ଏହାରି ମଧ୍ୟରେ ଟ୍ରେନ୍‌ରୁ ବଞ୍ଚିଥିବା ଯାତ୍ରୀ ଯେମିତି ଲୋମଟାଙ୍କୁରା କାହାଣୀ ବଖାଣୁଛନ୍ତି ତାହା ଶୁଣିଲେ ଯେକେହି ବାକ୍‌ଶୂନ୍ୟ ହୋଇଯିବେ ।

  • Reported by:
  • JAGANATH SAHU