• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଳ ଶୂନ୍ୟ କରିଦେଲା କରମଣ୍ଡଳ ଦୁର୍ଘଟଣା । ରାଜଧାନୀ ଭୁବନେଶ୍ୱରର ସବୁ ହସ୍ପିଟାଲରେ ଗୋଟିଏ ପ୍ରକାର ଦୃଶ୍ୟ । କେଉଁଠି ବାପା ମଲା ପୁଅକୁ ଖୋଜୁଛି ପୁଣି କେଉଁଠି ମୁର୍ଦ୍ଦାରଘର ଅଣ୍ଡାଳୁଛି ମା’ । ପୁଣି ଆଉ କେଉଁଠି ଆତ୍ମିୟ ସ୍ୱଜନକୁ ହରାଇ ବନ୍ଧୁ ପରିବାର ବର୍ଗ ସ୍ତବ୍ଧ ହୋଇଯାଇଛନ୍ତି । ଆଉ କେହି କେହି ଶବ ଚିହ୍ନଟ ନହୋଇପାରିବାରୁ ଭାଙ୍ଗି ପଡ଼ିଲେଣି  । ଏପରି ଜଣେ ହତଭାଗା ବାପା ବଙ୍ଗର ମୁର୍ସିଦାବାଦରୁ ଆସି ଚାରି ଦିନ ହେଲା ପୁଅକୁ ଖୋଜୁଛି ।

ସେ କହିଛନ୍ତି, ‘ଦୁର୍ଘଟଣା ପର ଠାରୁ ହସ୍ପିଟାଲ ଦଉଡ଼ି ଦଉଡ଼ି ଥକି ଗଲିଣି । ହେଲେ ପୁଅକୁ କେଉଁଠୁ ହେଲେ ପାଉନି । ପୁଅ ସାବିଗୁଲ୍‌ ଶେଖ୍ ପାଇଁ ଏମିତି କୌଣସି ଡାକ୍ତରଖାନା ନାହିଁ, ଯେଉଁଠାକୁ ସେ ଯାଇ ନାହାନ୍ତି । ବେଙ୍ଗାଲୁରୁରେ କାମ କରୁଥିବା ପୁଅ ସେଦିନ ଯଶୋବନ୍ତପୁର ଏକ୍ସପ୍ରେସ୍‌ରେ ଘରକୁ ଫେରୁଥିଲା । ହେଲେ ଦୁର୍ଘଟଣା ପର ଠାରୁ ୨୪ ବର୍ଷର ପୁଅର ସନ୍ଧାନ ମିଳୁନି । ଦୁର୍ଘଟଣା ପୂର୍ବରୁ ସେ ଘର ଲୋକଙ୍କ ସହ କଥା ହୋଇଥିଲା । ହେଲେ ଦୁର୍ଘଟଣା ପର ଠାରୁ ତା’ ସହ କୌଣସି ପ୍ରକାର କଥାବାର୍ତ୍ତା ନାହିଁ । ମୋବାଇଲ୍‌ ସ୍ୱିଚ୍‌ ଅଫ୍‌ ହୋଇଯାଇଛି । ହସ୍ପିଟାଲରେ ଖୋଜି ଖୋଜି କେଉଁଠୁ ବି ପାଉନୁ । ପୁଅ ବଞ୍ଚିଛି ବୋଲି ଆଉ ଆଶା ନାହିଁ । ଫଟୋ ଦେଖାଇ ଦେଖାଇ ଥକି ଗଲୁଣି ହେଲେ ତା’କୁ ଖୋଜି ପାଉନୁ କହିଲାବେଳେ ତାଙ୍କର ଗଳା ରୁନ୍ଧି ହୋଇଯାଉଛି ।

ଯେଉଁ ପୁଅ ଦିନେ ତାଙ୍କୁ କାନ୍ଧରେ ଉଠାଇ ମଶାଣି ନେଇ ଯାଇଥାଆନ୍ତା, ସେ ଆଜି ମରିଛି କି ବଞ୍ଚିଛି ଜଣାନାହିଁ । ଏପରି ସ୍ଥିତିରେ କେଉଁ ବାପା ବା ସମ୍ଭାଳିପାରିବ । କେତେ ସାହସ ସଞ୍ଚୟ କରି ଯେ ସେ ନିଜ ପୁଅକୁ ଖୋଜୁଛନ୍ତି, ଏହା କେବଳ ତାଙ୍କୁ ହିଁ ଜଣା ।

ସେପଟେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ୧୭୭ ଜଣଙ୍କ ମୃତଦେହ ଚିହ୍ନଟ ସରିଛି । ଅବଶିଷ୍ଟ ୧୦୧ ଜଣଙ୍କ ମୃତଦେହ ଏଯାଏଁ ଚିହ୍ନଟ ହୋଇନି । ଚିହ୍ନଟ ହୋଇନଥିବା ମୃତଦେହକୁ ଭୁବନେଶ୍ୱର ଏମ୍ସ, କ୍ୟାପିଟାଲ, ସମ୍, କିମ୍ସ ଓ ହାଇଟେକ ମେଡିକାଲରେ ରଖାଯାଇଥିବା ଖୋର୍ଦ୍ଧା ଡିଆରଏମ୍ ରିଙ୍କେଶ ରାୟ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିଲେ ପ୍ରାୟ ୧୧୦୦ ଜଣ । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨ ଶହ ତଳକୁ ଖସିଛି ।