• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କେବଳ ରାଜ୍ୟ ରାଜପଥ ନୁହେଁ, ଜାତୀୟ ରାଜପଥ ବି ପାଲଟିଛି ମୃତ୍ୟୁର ସୌଦାଗର । ପ୍ରତିଦିନ ମୁଣ୍ଡ ଗଡୁଛି, ଅକାଳରେ ଧନହାନୀ ସହ ପ୍ରାଣପୀଡ଼ା ହେଉଛି । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଯାଏଁ ଲମ୍ବିଥିବା ଏନ୍.ଏଚ୍. ସତେଯେମିତି ଯାନ ଆରୋହୀଙ୍କୁ ମରଣମୁହଁକୁ ଠେଲି ଦେଉଛି । ୨୦୨୧ର NCRBର ରିପୋର୍ଟ କହୁଛି, ରାଜ୍ୟରେ ଜାତୀୟ ରାଜପଥରେ ୪ ହଜାର ୩୮ଟି ଦୁର୍ଘଟଣା ଘଟି ୧ହଜାର ୮୮୮ ଜଣଙ୍କ ପ୍ରାଣହାନୀ ହୋଇଛି । ହେଲେ କାହିଁକି ଓ କେମିତି ଘଟୁଛି ଦୁର୍ଘଟଣା ଆସନ୍ତୁ ଜାଣିବା ।

ମାଇଲ ମାଇଲ୍ ଧରି ଲମ୍ବିଯାଇଥିବା କଳା ମଚ୍ ମଚ୍ ରାସ୍ତା ଯେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦିଏ ତା’ନୁହେଁ, ବରଂ ଟିକିଏ ଅସାବଧାନତା ହେଲେ ସ୍ୱର୍ଗକୁ ବି ଦେଖାଇ ଦିଏ ବାଟ । ଏଇ ଯେମିତି ଗଞ୍ଜାମ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ । ଯାହା ପୂର୍ବରୁ ଦକ୍ଷିଣ ଭାରତ ଯାଏଁ ଯୋଡେ ଏହି NH । କିନ୍ତୁ ଖଲ୍ଲିକୋଟର ବଡ଼ଘାଟି ଓ ନାରାୟଣୀ ଛକ ମଧ୍ୟରେ ତ୍ରୁଟିପୂର୍ଣ୍ଣ ଡିଜାଇନ ଏବଂ ସତର୍କତା ପାଇଁ ସାଇନବୋର୍ଡ ନଥିବାରୁ ବାରମ୍ବାର ଘଟିଚାଲିଛି ଦୁର୍ଘଟଣା । ପଲାସାରୁ କୋଲକାତା ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ୍ ୪୦ ଫୁଟ ତଳକୁ ଖସିପଡ଼ିଥିଲା । ଯେଉଁଥିରେ ଟ୍ରକ ଡ୍ରାଇଭରଙ୍କ ସମେତ ବାଇକରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କ ପ୍ରାଣହାନୀ ଘଟିଥିଲା । ମୃତ୍ୟୁମୁଖରୁ ବର୍ତ୍ତିଗଲେ ଜଣେ କାର୍ ଚାଳକ । ଏଭଳି ଭାବେ ଏହି ସ୍ଥାନରେ ହିଁ ଗତ ୬ ମାସ ମଧ୍ୟରେ ସର୍ବାଧିକ ଦୁର୍ଘଟଣା ଘଟି ପ୍ରାୟ ୧୫ ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି ।

୧୬ ନମ୍ବର ଏନଏଚ୍ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍ ତଥା ସହରର ପ୍ରମୁଖ ପ୍ରବେଶ ପଥ । ଓଭରବ୍ରିଜ୍ ନଥିବାରୁ ଦୈନିକ ଏଭଳି ବିପଦଜନକ ଭାବେ ଯିବା ଆସିବା କରୁଛନ୍ତି ଯାତ୍ରୀ । କେବଳ ଲାଞ୍ଜିପଲ୍ଲୀ ବାଇପାସ୍ ନୁହେଁ, ଗୋଷାଣୀ ନୂଆଗାଁ, ପୋକଡ଼ିବନ୍ଧ ଛକ ଆଦି ଏକାଧିକ ସ୍ଥାନ ବିପଦ୍ଜନକ ଅବସ୍ଥାରେ ଅଛି । ୭ଟି ବ୍ଲାକସ୍ପଟ୍ ବି ଚିହ୍ନଟ ହୋଇଛି ।

ସମ୍ବଲପୁର ୫୩ ନମ୍ବର ଏନଏଚ୍ ବି ପାଲଟିଛି ମୃତ୍ୟୁର ଦୂତ । ସମ୍ବଲପୁରର ନିତେଶ ରାସ୍ତା ଅତିକ୍ରମବେଳେ ଗତ ଜୁନରେ ଟ୍ରକ ମାଡ଼ିଯାଇ ତାଙ୍କର ଜଣେ ସଂପର୍କିୟଙ୍କ ମୃତ୍ୟୁ ହୋଇଥିଲା । ଜିଲ୍ଲାରେ ଏମିତି ଅନେକ ନିତେଶ ଅଛନ୍ତି, ଯେଉଁମାନେ ହରାଇଛନ୍ତି ଆତ୍ମୀୟ ସ୍ୱଜନଙ୍କୁ । ୫୩ ନମ୍ବର ଏନ୍ଏଚରେ ଥିବା ଚିହ୍ନଟ ୭ଟି ବ୍ଲାକସ୍ପଟରେ କେଉଁଠି ରାସ୍ତା ଖରାପ ତ କେଉଁଠି ତ୍ରୁଟିପୂର୍ଣ୍ଣ ଡିଜାଇନ୍ ରହିଛି । ଏଇ ଯେମିତି ଟାଙ୍ଗରପାଲିର ଅର୍ଦ୍ଧନିର୍ମିତ ବ୍ରିଜ୍ । କାମ ସରୁନଥିବାରୁ ଏଠି ବାରମ୍ବାର ଦୁର୍ଘଟଣା ଘଟୁଛି ।

କେବଳ ୧୬ କିମ୍ବା ୫୩ ନମ୍ବର ଏନଏଚ୍ ନୁହେଁ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇଯାଇଥିବା ୪୯ ନମ୍ବର ଏନଏଚରେ ବି ସମାନ ଦଶା । ବଡ଼ ବଡ଼ ଗାତ, ଅଙ୍କା ବଙ୍କା ଘାଟି ରାସ୍ତା ବିପଦ ସୃଷ୍ଟି କରିଛି ଏଠି । ଏଭଳି ଅନେକ କାରଣରୁ ରାଜ୍ୟବ୍ୟାପି ଜାତୀୟ ରାଜପଥ ଗୁଡ଼ିକରେ ବେକାବୁ ହେଉଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । NCRBର ସଦ୍ୟତମ ରିପୋର୍ଟ କହୁଛି, ୨୦୨୧ରେ ଓଡ଼ିଶାରେ ମୋଟ ୧୦,୯୮୩ଟି ଦୁର୍ଘଟଣାରେ ୫,୦୮୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜାତୀୟ ରାଜପଥରେ ୪ ହଜାର ୩୮ଟି ଦୁର୍ଘଟଣା ଘଟି ୧,୮୮୮ ଜଣଙ୍କ ପ୍ରାଣହାନୀ ହୋଇଛି । ଯାହା ଚିନ୍ତା ବଢ଼ାଉଥିବାବେଳେ ରାସ୍ତା ନିର୍ମାଣରେ ତ୍ରୁଟି, ଦୂରାବସ୍ଥା ଏବଂ ଦୁର୍ଘଟଣା ବୃଦ୍ଧିକୁ ନେଇ NHAI ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now