• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍। ଦ୍ରୁତ ଗତିରେ ଯୁବତୀଙ୍କ ଉପରେ ମାଡିଗଲା। ଯେଉଁଥିରେ ଯୁବତୀଙ୍କ ହାତ କଟିଯାଇଛି, ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି। ଆଜି ସକାଳେ ରାଜଧାନୀର ଚନ୍ଦ୍ରଶେଖରପୁର ଅଂଚଳରେ ଏହି ଦୁର୍ଘଟଣା ପରେ ୩ ଘଣ୍ଟା ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଡ୍ରାଇଭରକୁ ଅଟକ ରଖିବା ପରେ ସ୍ବାଭାବିକ ହୋଇଥିଲା ସ୍ଥିତି। ତେବେ ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସ୍ ଚାଳକଙ୍କ ବେପରୁଆ ଚାଳନାକୁ ନେଇ ତେଜୁଛି ଅସନ୍ତୋଷ। ସେପଟେ ଏବାବଦରେ କିନ୍ତୁ କ୍ରୁଟ୍ କର୍ତ୍ତୃପକ୍ଷ ଚୁପ୍।

ରାଜଧାନୀର ଚନ୍ଦ୍ରଶେଖରପୁର ଅଂଚଳ। ଦିନ ପ୍ରାୟ ସାଢେ ୧୧ଟା। ବ୍ୟସ୍ତବହୁଳ, ଟ୍ରାଫିକ ଭିଡ ଭିତରେ ରାସ୍ତା ପାର୍ ହେଉଥିବା ଯୁବତୀଙ୍କୁ ଧକ୍କା ଦେଇଥିଲା ଦ୍ରୁତ ଗତିରେ ଆସୁଥିବା ମୋ ବସ୍। ସ୍ଥାନୀୟ ଏକ ବିଉଟି ପାର୍ଲରେ କାମ କରୁଥିବା ସମ୍ବଲପୁରର ୨୦ ବର୍ଷୀୟ ଯୁବତୀ ଜଣକ ତଳେ ପଡି ଛଟପଟ ହେଉଥିବା ବେଳେ ଗାଡ଼ି ଧରି ଚମ୍ପଟ ମାରିଥିଲା ଡ୍ରାଇଭର। ଏହାପରେ ରାସ୍ତାକୁ ଓହ୍ଲାଇ ଆସିଥିଲେ ଉତ୍ତେଜିତ ସ୍ଥାନୀୟ ବାସିନ୍ଦା।

ଜୟଦେବ ବିହାର-ନନ୍ଦନକାନନ ରୁଟରେ ଚାଲୁଥିବା ୧୫ରୁ ଅଧିକ ମୋ ବସକୁ ଅଟକାଇ ଆରମ୍ଭ କରିଥିଲେ ପ୍ରତିବାଦ। ଯୁବତୀଙ୍କୁ କ୍ଷତିପୂରଣ ସହ କ୍ରୁଟ୍ ଅଧିକାରୀ ଘଟଣାସ୍ଥଳକୁ ଆସିବା ଜିଦରେ ଅଡି ବସିଥିଲେ। ଫଳରେ ଠପ୍ ହୋଇଯାଇଥିଲା ଗାଡି ଚଳାଚଳ। ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍। ୩ ଘଣ୍ଟା ଧରି ଜାରି ରହିଥିଲା ଉତ୍ତେଜନା। ପୋଲିସ ଡ୍ରାଇଭରକୁୁ ଅଟକ ରଖିବା ପରେ ସ୍ବାଭାବିକ ହୋଇଥିଲା ସ୍ଥିତି।

ମୋ ବସ୍, ଏବେ କଟକ-ଭୁବନେଶ୍ୱରର ଲାଇଫ୍ ଲାଇନ୍। ୫୦ ପ୍ରତିଶତରୁ ଅଧିକ ରାଜଧାନୀ ବାସିନ୍ଦା ଏହା ଉପରେ ନିର୍ଭରଶୀଳ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବି ମୋ ବସ୍ ସେବା ଅଧିକ ଗ୍ରହଣୀୟ। ହେଲେ ଡ୍ରାଇଭରଙ୍କ ବେପରୁଆ ଚାଳନା, ମୋ ବସ ସେବାକୁ କାଠଗଡ଼ାକୁ ଟାଣିଲାଣି। ବାରମ୍ବାର ଘଟୁଛି ଦୁର୍ଘଟଣା ଘଟୁଛି।

୨୯ ଅକ୍ଟୋବର। କଟକ ନେତାଜୀ ବସ୍ ଟର୍ମିନାଲରେ ମୋ ବସ ଦୁର୍ଘଟଣାରେ ଯାଇଥିଲା ଜଣେ ବୃଦ୍ଧାଙ୍କ ଜୀବନ। ବସ୍ ରୁ ଓହ୍ଲାଇବା ବେଳେ ଚାଳକଙ୍କ ଅସାବଧାନତା ଯୋଗୁଁ କଟକ ସିଡିଏ ଅଂଚଳର ସରସ୍ୱତୀ ଗୋଚ୍ଛାୟତଙ୍କ ଉପରେ ଚଢିଯାଇଥିଲା ବସ୍।୨୫ ସେପଟେମ୍ବର। ଭୁବନେଶ୍ବର ରଘୁନାଥପୁର ଅଂଚଳରେ ମୋ ବସ୍ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ୬ ଏପ୍ରିଲ ୨୦୨୪। ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ନାଳକୁ ଖସି ପଡିଥିଲା ମୋ ବସ୍। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ।

ବାରମ୍ବାର ଦୁର୍ଘଟଣା ପରେ ଲୋକେ ଦାବି କରିଛନ୍ତି, ମୋ ବସରେ ତାଲିମପ୍ରାପ୍ତ ଡ୍ରାଇଭରଙ୍କୁ ରଖାଯାଉ। ସେମାନଙ୍କ ହେଭି ଭେହିକିଲ୍ ଲାଇସେନ୍ସର ଯାଂଚ୍ ହେଉ। ଗତି ନିୟନ୍ତ୍ରଣ ସହ ଟ୍ରାଫିକ ନିୟମ ମାନିବା ଏବଂ ଯାତ୍ରୀଙ୍କୁ ବ୍ୟବହାର ଠିକ୍ କରନ୍ତୁ ଗାଡି ଚାଳକ। ସେପଟେ ବାରମ୍ବାର ଦୁର୍ଘଟଣା ବାବଦରେ କ୍ରୁଟ୍ ର କୌଣସି ଅଧିକାରୀ ସାମ୍ନାକୁ ଆସୁନାହାଁନ୍ତି କି କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ରଖୁନାହାନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now