/odishatv-khabar/media/post_attachments/uploadimage/library/16_9/16_9_0/Deadbody_1754911897.jpg)
Deadbody
ଅମିତ ଯାଦବ ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀ ଗ୍ୟାର୍ସିଙ୍କ ମୃତଦେହକୁ ବାଇକରେ ବାନ୍ଧି ଜାତୀୟ ରାଜପଥରେ ନେଉଥିବାର ଭିଡିଓ ଭାଇରାଲ୍ ହେଉଛି । ନାଗପୁର-ଜବଲପୁର ଜାତୀୟ ରାଜପଥରେ ସେ ତାଙ୍କ ପତ୍ନୀଙ୍କ ମୃତଦେହ ନେଇଥିଲେ ବୋଲି ପୋଲିସ କହିଛି । ଏହି ଘଟଣା ଅଗଷ୍ଟ ୯ ତାରିଖ ଅର୍ଥାତ ରାକ୍ଷୀପୂର୍ଣ୍ଣିମା ଦିନ ଘଟିଥିଲା। ନାଗପୁରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା ।
ଅମିତ ଯାଦବ ଓ ତାଙ୍କ ପତ୍ନୀ ଗ୍ୟାର୍ସି ନାଗପୁରର ଲୋନାରା ଅଞ୍ଚଳରୁ ମଧ୍ୟପ୍ରଦେଶର କରାନପୁରକୁ ବାଇକରେ ଯାତ୍ରା କରୁଥିଲେ। ମୋରଫାଟା ନିକଟରେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ଗ୍ୟାର୍ସି ରାସ୍ତାରେ ଛିଟିକି ପଡ଼ିଥିଲେ। ଅମିତ ସୁରକ୍ଷିତ ଥିଲେ, କିନ୍ତୁ ଗ୍ୟାର୍ସି ରାସ୍ତାରେ ଛିଟିକି ପଡ଼ିଥିବା ବେଳେ ତାଙ୍କ ଉପରେ ଟ୍ରକ ମାଡ଼ି ଯାଇଥିଲା । ଫଳରେ ଗ୍ୟାର୍ସି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଅମିତ ତାଙ୍କ ପତ୍ନୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପାଖରେ ରାସ୍ତା କଡ଼ରେ ବସି ରହିଥିଲେ । ରାସ୍ତାରେ ଯାଉଥିବା ଲୋକଙ୍କୁ ସାହାଯ୍ୟ ପାଇଁ କାନ୍ଦି କାନ୍ଦି ଅନୁରୋଧ କରିଥିଲେ। କିନ୍ତୁ କେହି ତାଙ୍କୁ ସହଯୋଗ କରିନଥିଲେ। ଅସହାୟ ଅବସ୍ଥାରେ ଅମିତ ଶେଷରେ ନିଜ ପତ୍ନୀଙ୍କ ମୃତଦେହକୁ ବାଇକରେ ବାନ୍ଧିଥିଲେ । ତା ପରେ ମଧ୍ୟପ୍ରଦେଶରେ ଥିବା ନିଜ ଗାଁ ସେଓନି ଅଭିମୁଖେ ବାହାରିଥିଲେ। ସେ ଏକାମୁହାଁ ହୋଇ ବାଇକ୍ ଚଲାଇଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ବାଟରେ ଥିବା ଗୋଟିଏ ଟୋଲଗେଟ୍ ନିକଟରେ ତାଙ୍କୁ ଅଟକାଯାଇଥିଲା । କିନ୍ତୁ ସେ ଅଟକିନଥିଲେ । ମୃତଦେହ ବାଇକରେ ନେଉଥିବାରୁ ପୋଲିସ ମଧ୍ୟ ତାଙ୍କ ପିଚ୍ଛା କରିଥିଲା । ସେ ତାଙ୍କ ଘରେ ପହଞ୍ଚିବା ପରେ ପୋଲିସ ବି ପହଞ୍ଚିଥିଲା ।
ପୋଲିସ ଗ୍ୟାର୍ସିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନାଗପୁରର ଇନ୍ଦିରା ଗାନ୍ଧି ମେଡିକାଲ କଲେଜକୁ ପଠାଇଥିଲା। ପୋଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି।
କେହି ସାହାଯ୍ୟ କରିବାକୁ ଆଗେଇ ନଆସିବାରୁ ଅମିତ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ସମାଜରେ ମାନବିକତାର ଅଭାବକୁ ମଧ୍ୟ ପ୍ରତିଫଳିତ କରୁଛି । ଅମିତଙ୍କୁ ରାସ୍ତାରେ କେହି ସାହାଯ୍ୟ କରିଥିଲେ, ହୁଏତ ସେ ଏଭଳି ନିଷ୍ପତ୍ତି ନେଇନଥାଆନ୍ତେ । ସୋସିଆଲ ମିଡିଆରେ ଏହି ଘଟଣାରେ ଅନେକ ଲୋକ ଅନେକ ପ୍ରତିକ୍ରିୟା ଦେଉଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ଏବଂ ଟ୍ରକ ଚାଳକକୁ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)