• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୁଏତ୍‌ରୁ ଆସିଲା ଆଉ ଏକ କାହାଣୀ । ପ୍ରଥମେ କହିଲେ ସ୍ୱାମୀ ଜୀବିତ, ପରେ ଖବର ମିଳୁଛି କି ମୃତ । ଏପରି ଏକ ଘଟଣା ବର୍ତ୍ତମାନ ଦେଶରେ ହଇଚଇ ସୃଷ୍ଟି କରିଛି । କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ । ମୃତକଙ୍କ ଭିତରେ କେରଳର ସର୍ବାଧିକ ୨୦ ଜଣ ଅଛନ୍ତି । ଏହି ଅଗ୍ନିକାଣ୍ଡରେ ମୋଟ୍ ୪୯ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ୪୫ ଭାରତୀୟ । ତେବେ ମୃତକଙ୍କ ମଧ୍ୟରେ ଚେନ୍ନାଇ ରାୟପୁରମ୍‌ର ଶିବଶଙ୍କର ରହିଛନ୍ତି ।

ପ୍ରଥମେ ସେ ମରିନଥିବା ନେଇ ଖବର ପରିବାର ବର୍ଗଙ୍କୁ ଜଣାଇ ଦିଆଯାଇଥିଲା । କିନ୍ତୁ ପରେ ପୁଣି ଥରେ କୁହାଯାଇଥିଲା କି, ସେ ମୃତ । ଏହାକୁ ପରିବାର ବର୍ଗ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ସ୍ୱାମୀଙ୍କୁ ଫେରାଇ ଆଣିବାକୁ ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ । ମୋ ସ୍ୱାମୀ ମରିନାହାଁନ୍ତି । ମୋତେ ମିଛ କୁହନି । ଯଦି ମରିଛନ୍ତି ତାଙ୍କ ମୃତଦେହ ମୋତେ ଦେଖାଅ ବୋଲି ସରକାରଙ୍କ ନିକଟରେ ଅଡ଼ି ବସିଛନ୍ତି ପତ୍ନୀ ।

ମହିଳାଙ୍କ ସ୍ୱାମୀ ଶିବଶଙ୍କର ଗତ ବର୍ଷ ଯାଇଥିଲେ କୁଏତ୍ । ସେଠାରେ ଏକ କଂପାନୀରେ ଡ୍ରାଇଭର ଭାବେ କାମ କରୁଥିଲେ । ଗତ ୧୨ ତାରିଖରେ କୁଏତ୍‌ର ଯେଉଁ ଆପାର୍ଟମେଣ୍ଟରେ ନିଆଁ ଲାଗିଥିଲା, ସେଇଠି ରହୁଥିଲେ ଶିବ । ଏପଟେ ଚେନ୍ନାଇରେ ରହୁଥିଲେ ପତ୍ନୀ ହେମନ୍ତ କୁମାରୀ ଓ ଦୁଇ କୁନି ପୁଅ ଝିଅ ।

ଟିଭିରୁ ଅଗ୍ନିକାଣ୍ତ ବିଷୟରେ ଖବର ପାଇଥିଲେ ପରିବାର ବର୍ଗ । ପରେ ଶିବଶଙ୍କରଙ୍କ ଜଣେ ବନ୍ଧୁ ହେମନ୍ତ କୁମାରୀଙ୍କୁ ଏହି ଅଗ୍ନିକାଣ୍ଡ ବାବଦରେ ଜଣାଇଥିଲେ । ସୌଭାଗ୍ୟବଶତଃ ଶିବଶଙ୍କର ଏଥିରୁ ବଞ୍ଚିଯାଇଥିବା ଉକ୍ତ ବନ୍ଧୁଜଣକ କହିଥିଲେ । ଏଣୁ ପତ୍ନୀ ବଡ଼ ଆତୁର ସହ ସ୍ୱାମୀଙ୍କ କଲ୍‌କୁ ଅପେକ୍ଷା କରି ରହିଲେ ।

କିନ୍ତୁ ନା ସ୍ୱାମୀ ଆସିଲେ, ନା ତାଙ୍କର କଲ୍ ଆସିଲା । ଆସିଲା ତ କେବଳ ମୃତ୍ୟୁ ଖବର । ବନ୍ଧୁ ଯାହା କହିଥିଲେ ତାହା ଥିଲା ଅଗ୍ନିକାଣ୍ଡର ପ୍ରାଥମିକ ରିପୋର୍ଟ ଉପରେ ଆଧାରିତ । ଆଉ ସେଥିରେ ଶିବଶଙ୍କରଙ୍କ ନାମ ନଥିଲା । କିନ୍ତୁ ଯେତେବେଳେ ଅନ୍ୟ ରିପୋର୍ଟ ଆସିଲା, ସେଥିରେ ଶିବଶଙ୍କର ମୃତ ବୋଲି ଦର୍ଶାଯାଇଥିଲା ।

ହେଲେ ଏକଥାକୁ ସହଜରେ ବିଶ୍ୱାସ କରି ପାରୁନାହାଁନ୍ତି ଶିବଶଙ୍କରଙ୍କ ପତ୍ନୀ ହେମନ୍ତ କୁମାରୀ । କେବଳ ବାହୁନି ବାହୁନି କାନ୍ଦୁଛନ୍ତି । ଆଉ କହୁଛନ୍ତି, ସମସ୍ତେ ମୋତେ ମିଛ କହୁଛନ୍ତି, ମୋ ସ୍ୱାମୀ ବଞ୍ଚିଛନ୍ତି, ସେ ନିଶ୍ଚୟ ଫେରିବେ । କିନ୍ତୁ ମୃତ୍ୟୁର କୋଳରୁ କିଏ ବା କେମିତି ତାଙ୍କ ସ୍ୱାମୀଙ୍କୁ ଫେରେଇ ଆଣିପାରିବ । ସର୍ବଗ୍ରାସୀ ନିଆଁ ଏମିତି ପୋଡ଼ି ମାରିଛି ଯେ, ଅଧିକାଂଶ ଶବ ଆଉ ଚିହ୍ନିବା ଅବସ୍ଥାରେ ନାହିଁ । କିଏ ତାଙ୍କ ସ୍ୱାମୀଙ୍କ ଶବ ଚିହ୍ନେଇବ ।

ଅନ୍ୟପଟେ ଏନେଇ ତାମିଲନାଡୁ ସରକାରଙ୍କୁ ବି ଗୁହାରି କରିଛନ୍ତି ହେମନ୍ତ କୁମାରୀ । ସେପଟେ ମୃତକଙ୍କ ପରିବାରକୁ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଲେଖାଁ କ୍ଷତି ପୂରଣ ରାଶି ଦେବାକୁ ଘୋଷଣା କରିଛନ୍ତି । ତାମିଲନାଡୁରୁ ମୋଟ୍ ଉପରେ ୭ ଜଣଙ୍କ ଜୀବନ ଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now