• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅଭାଗିନୀ ହୋଇଗଲା ଗର୍ଭଧାରିଣୀ ସ୍ତ୍ରୀ । ପେଟ ଭିତରେ ବଢ଼ୁଛି ଉତ୍ତର ଦାୟାଦ । କିନ୍ତୁ ସେ ଦୁନିଆକୁ ଆସିବା ଆଗରୁ ପାଲଟିଗଲା ଅନାଥ । ଯେ ସବୁ ଦୁଃଖରେ ବଜ୍ର ପରି ସାହାର ଦେଇଥାଆନ୍ତା, ସେହି ବାପା ଆଉ ଏ ଦୁନିଆରେ ନାହିଁ । ଦୁର୍ଘଟଣାରେ ଚାଲିଯାଇଛି ପ୍ରାଣ । ସୁଦୂର କୁଏତରେ ମହମ୍ମଦ ଜହୁରଙ୍କର ମୃତ୍ୟୁ ହୋଇଯାଇଛି ।

ଘରେ ଅଛନ୍ତି ପତ୍ନୀ । ଅଳ୍ପ କେତେ ବର୍ଷ ତଳେ ଏ ଦୁହିଁଙ୍କର ବିବାହ ହୋଇଥିଲା । କଟକ ଜିଲ୍ଲା ତିଗିରିଆରେ ରହୁଥିଲେ ଉଭୟ ଦମ୍ପତ୍ତି । ପତ୍ନୀ ସାତ ମାସର ଗର୍ଭବତୀ ଅଛନ୍ତି । କିନ୍ତୁ ଦୁଃଖଦ ଘଟଣା ହେଉଛି ସ୍ୱାମୀଙ୍କର ଅକାଳ ବିୟୋଗ ହୋଇଯାଇଛି । ମହମ୍ମଦ ଜହୁରଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ମହମ୍ମଦ କୌରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଜହୁରଙ୍କ ଘର କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁରେ । ଜହୁର କୁଏତରେ ୨୦୧୭ ମସିହାରୁ ଲାବରୋଟାରୀ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ । ଛୁଟିରେ ଆସି ଗତ ମେ’ ମାସରେ ସେ ପୁଣି କୁଏତକୁ ଯାଇଥିଲେ । ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଛି ପୂରା ପରିବାର । ତାଙ୍କ ପତ୍ନୀ ଏବେ ୭ ମାସର ଗର୍ଭବତୀ ଅଛନ୍ତି । ସେପଟେ ସନ୍ତୋଷଗୌଡ଼ଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ତାଙ୍କ ଘର କେଉଁଠି ସେନେଇ ମଧ୍ୟ ଖବର ମିଳିନି ।

କୁଏତ ଟ୍ରାଜେଡିରେ ଯାଇଛି ୪୫ ଭାରତୀୟଙ୍କ ଜୀବନ । ଆଜି ୨ ଓଡ଼ିଆଙ୍କ ସମେତ ଭାରତୀୟଙ୍କ ମୃତଦେହ ସ୍ୱଦେଶରେ ଆସୁଛି । ମୃତକଙ୍କ ଭିତରେ କେରଳର ସର୍ବାଧିକ ୨୦ ଜଣ ଅଛନ୍ତି । ଏହି ଅଗ୍ନିକାଣ୍ଡରେ ମୋଟ୍ ୪୯ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ୪୫ ଭାରତୀୟ । କୁଏତ ହସ୍ପିଟାଲକୁ ଯାଇ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ ।

ବୁଧବାର ଦକ୍ଷିଣ କୁଏତର ମଙ୍ଗାଫ ସହରର ଏକ ୬ ମହଲା କୋଠାରେ ନିଆଁ ଲାଗିଥିଲା । ରୋଷେଇ ଘରେ ନିଆଁ ଲଗିବା ପରେ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ସମୟରେ ସେହି ବିଲ୍ଡିଂରେ ପ୍ରାୟ ୧୯୬ ଜଣ ଶ୍ରମିକ ରହୁଥିଲେ । ଏନବିଟିସି ସଂସ୍ଥା ତାର ଶ୍ରମିକ ମାନଙ୍କୁ ରଖିବାକୁ ଭଡ଼ା ସୂତ୍ରରେ ଏହି ବିଲ୍ଡିଂକୁ ନେଇଥିଲା। ଆବଶ୍ୟକତାଠାରୁ ବିଲ୍ଡିଂରେ ଅଧିକ ଶ୍ରମିକ ରହୁଥିଲେ । ଅଗ୍ନିକାଣ୍ଡ ସମୟରେ କିଛି ଶ୍ରମିକ ନାଇଟ୍ ସିଫ୍ଟ ସାରି ଶୋଇଥିଲେ । ନିଆଁ ଲାଗିବା ପରେ କ୍ଷୀପ୍ର ବେଗରେ ବ୍ୟାପି ଯାଇଥିଲା । ଫଳରେ ଶ୍ରମିକମାନେ ବାହାରି ପାରିନଥିଲେ ।

କୁଏତ ସରକାର ବିଲ୍ଡିଂ ମାଲିକ ଏବଂ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ପିଏମ୍ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦନ କରିବାକୁ ଘୋଷଣା କରିଛନ୍ତି । କୁଏତର ଉପମୁଖ୍ୟମନ୍ତ୍ରୀ ଶେଖ ଫାହଦ ୟୋସେଫ ସୌଦ ଅଲ୍‌-ସାବ ଘଟଣାସ୍ଥଳ ପରିଦର୍ଶନ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ ସେ ରିଏଲ୍ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି । ରିଅଲ୍ ଇଷ୍ଟେଟ୍‌ ଭୁଲ୍‌ ଯୋଗୁଁ ଏହି ଭୟାନକ ଘଟଣା ଘଟିଥିବା ସେ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now