• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କରମଣ୍ଡଳର କରାଳଛାୟାକୁ ଭୁଲି ହେଉନଥିବା ବେଳେ ଯାଜପୁରର ଟ୍ରେନ ଟ୍ରାଜେଡି ଦୋହଲାଇ ଦେଇଛି ସମସ୍ତଙ୍କୁ । ଛିଡ଼ା ହୋଇଥିବା ମାଲଗାଡ଼ିର ବଗି ମାଡ଼ିଯାଇ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶରୀରକୁ ଯେଭଳି ଖଣ୍ଡ ବିଖଣ୍ଡ କରି ମାରିଦେଲା, ଭାବିଲେ ଦେହ ଶୀତେଇ ଉଠୁଛି । ଖଟିଲେ ଯେଉଁ ପରିବାରରେ ଚୁଲି ଜଳେ, ମେହନତି ମଣିଷଙ୍କ ଆବର୍ତ୍ତମାନରେ ଲୁହ ଆଉ କୋହ ଭିତରେ ଏବେ ଜଡ଼ସଡ଼ ସେହି ପରିବାର । କିନ୍ତୁ କାହା ଅବହେଳାରୁ ଘଟିଗଲା, ଏତେବଡ଼ ଅଘଟଣ ? ତାହା ଜଣା ପଡ଼ିନଥିବାବେଳେ ରେଲୱେ ଖୋଳତାଡ଼ ଚଳାଇଛି।

ଆପଣ କାହାକୁ ଦେବେ ଶାନ୍ତ୍ୱନା । କାହା ଆଖିର ଲୁହକୁ ବା ରୋକିପାରିବେ । ଆପଣାର ମଣିଷଙ୍କୁ ହରାଇଥିବା ଅଭାଗାଙ୍କୁ କେଉଁ ଆଶ୍ୱାସନା ଦେଇ ବୁଝାଇବେ । ପରିବାରର ଏକମାତ୍ର ରୋଜଗାରିଆ ମୂରବୀର ଅନ୍ତେ ଆଜି ଉଜୁଡ଼ିଯାଇଛି ପରିବାର । ଯାଜପୁର ବନ୍ଦାଳ ପଞ୍ଚାୟତର ପ୍ରଶାନ୍ତ ଜେନାଙ୍କ 

ପତ୍ନୀ ମୁଣ୍ଡ ଉପରେ ତ ସତେଯେମିତି ଛିଣ୍ଡିପଡ଼ିଛି ଆକାଶ । ଗଲାବେଳେ ସ୍ୱାମୀ ପ୍ରଶାନ୍ତଙ୍କୁ କହିଥିଲେ, ଝିଅ ପାଇଁ ଗପ ବହିଟିଏ ଦରକାର ଅଛି, ଆଣିଦେବ । ହେଲେ ପ୍ରଶାନ୍ତ ଆସିଲେନି ସିନା, ଆଜୀବନ ପାଇଁ ଧରାଇ ଦେଇଗଲେ ସଂସାର ଉଜୁଡ଼ାର କୋହଭରା ଗପ । ଏବେ ୩ ଝିଅ ଓ ଗୋଟିଏ ପୁଅକୁ ନେଇ କେମିତି ବଞ୍ଚିବେ ଗୀତାଞ୍ଜଳି, ଦିବ୍ୟାଙ୍ଗ ବଡ଼ଝିଅକୁ କେମିତି ସମ୍ଭାଳିବେ, ଚାରିଦିଗ ଅନ୍ଧାର ।

ଗୀତାଞ୍ଜଳିଙ୍କ ଭଳି ବନ୍ଦାଳ ଓ ମୁକୁନ୍ଦପୁର ପଞ୍ଚାୟତର ଅନ୍ୟ ପାଞ୍ଚ ଶ୍ରମିକଙ୍କ ପରିବାରରେ ବି ଏଭଳି ଶୋକାକୂଳ ସ୍ଥିତି । କାରଣ ଖଟିଲେ ଚୁଲି ଜଳେ, ହାଡ଼ ଭଙ୍ଗା ପରିଶ୍ରମ କଲେ ଚା’ଖଣ୍ଡେ ପେଟ ପୂରେ । ଦି’ମୁଠା ଦାନା ଯୋଗାଡ଼ ପାଇଁ ଯାଇ ବନ୍ଦାଳ ପଞ୍ଚାୟତର ପ୍ରଶାନ୍ତଙ୍କ ସମେତ ଗୌତମ ସାମଲ, ମାନସ ସାମଲ, ଭୀମସେନ ଜେନା, ସୁଶାନ୍ତ ଜେନା ଏବଂ ମୁକୁନ୍ଦପୁର ପଞ୍ଚାୟତର ଦୋଳଗୋବିନ୍ଦ ପ୍ରଧାନ ପ୍ରାଣ ହରାଇଥିଲେ ଯାଜପୁର  ରୋଡ ରେଳଷ୍ଟେସନ ଚୂନଭାଟି ପ୍ଲଟ ନିକଟରେ । କାଳବୈଶାଖୀ ମାଡ଼ିଆସିବାରୁ ସେଫ୍ଟି ଲାଇନରେ ଛିଡ଼ା ହୋଇଥିବା ବଗି ତଳେ ଆଶ୍ରୟ ନେଇଥିଲେ ଏମାନେ । ତେବେ ପବନ ଯୋଗୁ ଇଞ୍ଜିନ ବିହୀନ ବଗି ଗୁଡ଼ିକ ଗଡ଼ିବା ସହ ମାଡ଼ିଯାଇଥିଲା ୮ ଜଣ ଶ୍ରମିକଙ୍କ ଉପରେ। ଆଉ ଚାଲିଯାଇଥିଲା ୬ ଜଣଙ୍କ ଜୀବନ ।

ଏହି ଦୁର୍ଭାଗ୍ୟଜନକ ଘଟଣାର ଏବେ ଚାଲିଛି ଖୋଳତାଡ଼ । ଆଜି ଯାଜପୁର ରୋଡ ଷ୍ଟେସନରେ ପହଞ୍ଚି ତଦନ୍ତ କରିଛନ୍ତି ରେଲୱେ ସେଫଟି ଟିମ୍ । ସେଫ୍ଟି ଲାଇନରେ କେତେଦିନ ଧରି ପଡ଼ିରହିଥିଲା ଇଞ୍ଜିନ ବିହୀନ ମାଲଗାଡ଼ି ? କାହିଁକି ନଥିଲା ଲକିଂ ସିଷ୍ଟମ ? କେଉଁ ପରିସ୍ଥିତିରେ ଟ୍ରାକରେ ଗଡ଼ିଥିଲା ବଗି ? ୪ ଜଣିଆ ଟିମ୍ ତଦନ୍ତ କରିଛନ୍ତି । ଆଉ ଏହି ଖୋଳତାଡ଼ ଭିତରେ ଲୁହା ଆଉ କାଠର ଲକ୍ ଲଗାଇ ମାଲଗାଡ଼ିର ବଗି ଗୁଡ଼ିକୁ ଏମିତି ରଖିଛି ରେଲୱେ ବିଭାଗ । 

ନିୟମ କହୁଛି, ସେଫ୍ଟି ଲାଇନରେ ରଖାଯାଇଥିବା ବଗି ଗୁଡ଼ିକୁ ସ୍କିଡ୍ କିମ୍ବା ଚେନ୍ ଦ୍ୱାରା ଲକ୍ କରି ରଖାଯାଏ । ଆରପିଏଫ୍ ଏହାର ତଦାରଖ ମଧ୍ୟ କରିଥାଏ । ହେଲେ ପ୍ରାୟ ସ୍ଥାନରେ ଢିଲା ମେଲା ଅବସ୍ଥା । ଖୋର୍ଦ୍ଧା ଟାଉନ ଷ୍ଟେସନରେ ଖାମଖିଆଲି ଛାଡ଼ି ଦିଆଯାଇଛି ରେଳ ବଗିଗୁଡ଼ିକୁ । ଯେଉଁଠି ମାସ ମାସ ଧରି ବଗି ଗୁଡ଼ିକ ଏମିତି ଛିଡ଼ା ହୋଇ ରହୁଥିଲେ ବି ନା କୌଣସି ଲକିଂ ସିଷ୍ଟମ ଅଛି ନା କୌଣସି ସୁରକ୍ଷା ବ୍ୟବସ୍ଥା । କିନ୍ତୁ ଷ୍ଟେସନ୍ କର୍ତ୍ତୃପକ୍ଷ କହୁଛନ୍ତି, ସୁରକ୍ଷିତ ଭାବେ ଲକ୍ କରି ବଗି ଗୁଡ଼ିକୁ ରଖାଯାଉଛି ।

  • Reported by:
  • BALRAM LENKA , JANMEJAY DASH , Sanjip ku. Nayak