• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାହାଘର ହୋଇଥିଲା...ହାତଗଣ୍ଠିରେ ଭିଣୋଇଙ୍କ ସହ କିଛି ବେଦୀ ଉପରେ ମଜାମସ୍ତି କରିଥିଲେ ଶାଳୀ । ହାତଗଣ୍ଠି ଲାଗି ଡିମାଣ୍ଡ ବି କରିଥିଲେ...ଏତିକି ଦେଲେ ହାତ ଗଣ୍ଠି ଫିଟାଇବି ନହେଲେ ନାହିଁ । ଭଉଣୀର ବାହାଘର ଥିବାରୁ ସାନ ଭଉଣୀ ବି ବହୁତ ଖୁସି ଥିଲେ । ଭାବିଥିଲେ ମନବୁତାବକ ପାଉଣା ପାଇବା ପରେ କେତେ କଣ କିଣିବେ ବୋଲି? ହେଲେ ସିଏ କଣ ଜାଣିଥିଲେ କି ମାତ୍ର ୨ ରୁ ୪ ଘଂଟା ପରେ ସେ ସବୁଦିନ ପାଇଁ ଦୁନିଆ ଚାଲିଯିବେ ବୋଲି...ହଁ...ଦର୍ଶକବନ୍ଧୁ ହାତଗଣ୍ଠି ଫିଟାଇବାର ମାତ୍ର କିଛି ମୁହୂର୍ତ୍ତ ପରେ ଜଣେ ଯୁବତୀଙ୍କର ଚାଲିଗଲା ଜୀବନ । ଖାଲି ସିଏ ନୁହେଁ ବରଂ ତାଙ୍କ ସହ ପ୍ରାୟ ୧୧ ଜଣଙ୍କ ଚାଲିଯାଇଛି ଜୀବନ ।

ସୁନାର ସଂସାରକୁ ଚୁନା କରିଦେଲା ବସ ଦୁର୍ଘଟଣା । ବାହାଘରର ଖୁସିକୁ ଧୂଳିସାତ କରିଦେଲା ଦୁର୍ଘଟଣା । ଗୋଟିଏ ପଟେ ଝିଅ ହାତରୁ ମେହେନ୍ଦୀ ଲିଭିନି....ଝିଅ ବିଦାର କାନ୍ଦ କମିନି...ଏପଟୁ ଫୋନ୍‌ ଗଲା ଭୟଙ୍କର ଦୁର୍ଘଟଣାର । କଥାରେ ଅଛି ଝିଅ ବିଦା ଆଉ କୋକୋଇ ଉଠା ସମୟରେ ଆଖିର ଲୁହକୁ କେହି ଅଟକାଇପାରନ୍ତି ନାହିଁ । ଆଉ ବିଧିର ବିଧାନ ବୋଧହୁଏ ଏଇଠି ଖେଳିଲା ଖେଳ । ସେଇଥି ପାଇଁ ତ, ଝିଅ ବିଦା ହେଉ ହେଉ ପୁଣି ପ୍ରସ୍ତୁତ ହେଲା କୋକେଇ...ଆଉ ପୁଣି ଥରେ ଲୁହରେ ଭିଜିଲା ଗାଁ ।

ବ୍ରହ୍ମପୁର ବ୍ରହ୍ମାନଗରରେ ବାହାଘର ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ କନ୍ୟାଯାତ୍ରୀ । ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁରୁ କନ୍ୟାଯାତ୍ରୀ ଯାଇଥିଲେ । କନ୍ୟାକୁ ଛାଡିବା ପରେ ଭୋଜି ଖାଇ ଏକ ମିନି ବସରେ ପ୍ରାୟ ୩୦ ଜଣ ଫେରୁଥିଲେ । ରାତି ପ୍ରାୟ ସାଢେ ଗୋଟାଏ ବେଳେ ମଳାଭଂଜା ନିକଟରେ ମିନି ବସଟି ପହଞ୍ଚିଥିଲା । ବିପରୀତ ଦିଗରୁ ଆସୁଥିବା ଓଏସଆରଟିସି ବସ୍ ଦ୍ରୁତ ଗତିରେ ମିନି ବସକୁ ଧକ୍କା ଦେଇଥିଲା । ମୁହାଁମୁହିଁ ଧକ୍କା ଯୋଗୁଁ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଘରକୁ ପହଞ୍ଚିବାକୁ ଆଉ ମାତ୍ର ୭ କିଲୋମିଟର ବାଟ ଥିବା ବେଳେ ଚାହୁଁଚାହୁଁ ୧୨ ଜଣଙ୍କର ଜୀବନ ଚାଲିଗଲା । ଆଉ ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ଲୋକ, ସଂପର୍କୀୟ ଓ ଅଗ୍ନିଶମ ଦଳ ଉଦ୍ଧାର ଲାଗି ପହଞ୍ଚିଥିଲେ ହେଲେ ସେତେବେଳଖୁ ସବୁ କିଛି ସରିଯାଇଥିଲା...ସତରେ ଏମିତି ଭୟଙ୍କର ଦୁର୍ଘଟଣା ବୋଧହୁଏ କେହି କେବେ ଆଗରୁ ଦେଖିନଥିଲେ ।

 

  • Reported by:
  • ASHOK BRAHMA , JAGANATH SAHU