• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମୃତ୍ୟୁ କାହା ପାଇଁ କେମିତି ଆସେ, ଆକଳନ କରିବା ଅସମ୍ଭବ । ନବରଙ୍ଗପୁର ଉମରକୋଟ୍‌ରେ ପତି, ପତ୍ନୀ ଓ ୨ ସମ୍ପର୍କୀୟଙ୍କୁ ମିଶାଇ ୪ ଜଣଙ୍କ ଯେଭଳି ପ୍ରାଣହାନୀ ହେଲା, ନା କେହି ଜାଣିପାରିଥିଲେ ନା କେହି ଭାବିଥିଲେ । ପ୍ରଥମେ କୁହାଯାଉଥିଲା, ବିବାହ ଭୋଜି ଖାଇ ଛତିଶଗଡ଼ରୁ ଫେରିବା ବେଳେ ତାଙ୍କୁ ଅପହରଣ କରାଯାଇଛି । ଥାନାରେ ଏତଲା ବି ଦିଆଯାଇଥିଲା । ଶେଷରେ ଜଣାପଡ଼ିଲା ଅପହରଣ ନୁହେଁ, ବରଂ ଦୁର୍ଘଟଣାରେ ୪ ଜଣଙ୍କର ପ୍ରାଣଯାଇଛି । ରାୟପୁର-ଜଗଦଲପୁର ଏନ୍ଏଚ୍ କଡ଼ ଏକ ପରିତ୍ୟକ୍ତ କୂଅରୁ କାର୍ ସହ ୪ ଜଣଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।

ଯାଇଥିଲେ ବିବାହ ଭୋଜିକୁ, ଫେରିବା ବାଟରେ ପାଲଟିଗଲେ ଶବ । ଯାଇଥିଲେ ନବଦମ୍ପତ୍ତିଙ୍କୁ ଆଶିର୍ବାଦ ପାଇଁ କିନ୍ତୁ ନିଜେ ଅଭିଶପ୍ତ ସାଜି ହାତ ଧରାଧରି ହୋଇ ଚାଲିଗଲେ ଚାରି ଚାରି ଜଣ । ରାସ୍ତାକଡ଼ରେ ଯମଭଳି ଛକି ରହିଥିବା ମୃତ୍ୟୁର କୂଅଁରୁ ମିଳିଛି ୪ ଜଣଙ୍କ ମଲାଦେହ । ସେମାନେ ହେଲେ ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ଶାଳକ ବିଶ୍ୱଜିତ ଅଧିକାରୀ ଓ ସମ୍ପର୍କୀୟ ହାଜାରି ଢାଲି । ଯାହାଙ୍କ ମୃତ୍ୟୁରେ ଆଜି ଭାଙ୍ଗିପଡ଼ିଛି ସାରା ପରିବାର । ସ୍ତବ୍ଧ ନବରଙ୍ଗପୁର ଉମରକୋଟ ସହର ।

ଡିସେମ୍ବର ୧୦ ତାରିଖ, ଛତିଶଗଡ଼ କାଙ୍କେରରେ ସଂପର୍କୀୟଙ୍କ ବିବାହ ଭୋଜିରେ ଯୋଗଦେଇ କାର୍‌ରେ ପତ୍ନୀ, ଶାଳକ ଓ ସଂପର୍କୀୟଙ୍କୁ ଧରି ପ୍ରଥମେ କୋଣ୍ଡାଗାଁ ଅଭିମୁଖେ ବାହାରିଥିଲେ ରାଇଘର ତହସିଲ ଅଫିସର୍ ସୁପରଭାଇଜର୍ ସପନ ସରକାର । ତା’ପରଦିନ ପତ୍ନୀ ସହ ଉମରକୋଟ ଫେରିଥାନ୍ତେ । ହେଲେ ନା ପହଞ୍ଚିଥିଲେ ନା କୁଆଡ଼େ ଗଲେ, କାହା ପାଖରେ ନଥିଲା ଖବର । ସମସ୍ତଙ୍କ ମୋବାଇଲ୍ ବି ସୁଇଚ୍ ଅଫ୍ ଥିଲା । ଶେଷରେ ପରିବାର ଲୋକେ କିଡ୍‌ନାପ୍‌ ଆଶଙ୍କା କରି କାଙ୍କେର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତ କରିବା ସହ କାଙ୍କେର ସହରଠୁ କିଛି ଦୂରରେ ଥିବା କୁଅଁରୁ ଉଦ୍ଧାର କରିଥିଲା ମୃତଦେହ । ପାରିପାର୍ଶ୍ୱିକ ସ୍ଥିତିରୁ ପୋଲିସ ଏହାକୁ ଦୁର୍ଘଟଣା ବୋଲି କହିଛି । 

ଏହି ୪ ଜଣଙ୍କୁ ଠାବ କରିବା ଛତିଶଗଡ଼ ପୋଲିସ ପାଇଁ ଥିଲା ବଡ଼ ଚାଲେଞ୍ଜ । କାଙ୍କେର ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ପ୍ରଥମେ ସିସିଟିଭି ଫୁଟେଜ୍‌ରୁ ଯାଞ୍ଚ କରାଯାଇଥିଲା । ଘଟଣାଦିନ ରାତିରେ କାଙ୍କେର୍‌ର ତେଲ ଟ୍ୟାଙ୍କିରେ ତେଲ ପକାଇଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହାପରେ ମୋବାଇଲ୍ ନମ୍ବରକୁ ଟ୍ରାକ୍ କରିଥିଲା ପୋଲିସ । କିନ୍ତୁ ରାତି ପ୍ରାୟ ସାଢ଼େ ୧୦ଟା ବେଳକୁ ସୁଇଚ୍ ଅଫ୍ ହୋଇଯାଇଥିଲା ମୋବାଇଲ୍ । ସବୁ ମୋବାଇଲ୍‌ର ଲାଷ୍ଟ ଲୋକେସନ୍ ଥିଲା, କାଙ୍କେରଠୁ କିଛି ଦୂରରେ ଥିବା ହାଇୱେ କଡ଼ର ଏକ କୂଅ ଯାଏଁ । 

ଏହାପରେ ଅତିରିକ୍ତ ଏସ୍ପି ଘଟଣାସ୍ଥଳକୁ ଆସି ଛାନ୍‌ଭିନ୍‌ କରିଥିଲେ । ଆଉ ଦେଖିବାକୁ ପାଇଥିଲେ ଭାଙ୍ଗିଯାଇଥିବା ଖଜୁରୀ ଗଛକୁ ଓ କାର୍‌ର ଚକ ଚିହ୍ନକୁ । ଏପରିକି ପୋଲିସ ସହ ସାଙ୍ଗରେ ଯାଇଥିବା ସପନ ସରକାରଙ୍କ ପୁଅ ଏକ ବ୍ୟାଗ ସହ ବାପାଙ୍କ ଔଷଧକୁ ଚିହ୍ନଟ କରିଥିଲେ । ଏହାପରେ ପୋଲିସ କ୍ରେନ୍ ଲଗାଇ କୂଅ ଭିତରୁ କାର୍ ସହ ୪ ଜଣଙ୍କ ଡେଡ୍‌ବଡ଼ି ଉଦ୍ଧାର କରିଥିଲା । ଦୁର୍ଘଟଣା ହେବା କ୍ଷଣି କୂଅ ଭିତରେ ଫସିରହିଥିବା ଅବସ୍ଥାରେ ଶାଳକ ବିଶ୍ୱଜିତ କାଙ୍କେର ସ୍ଥିତ ସଂପର୍କୀୟଙ୍କୁ ୩ ଥର କଲ୍ କରିଥିଲେ, କିନ୍ତୁ କେହି ରିସିଭ୍ କରିନଥିବା କୁହାଯାଉଛି । 

ଏଭଳି ମୃତ୍ୟୁକୁ ନେଇ ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ ଦୁର୍ଘଟଣାର କାରଣ ସଂପର୍କରେ ଖୋଳତାଡ଼ କରୁଛି ଛତିଶଗଡ଼ ପୋଲିସ ।

(ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ୍, ମାଲାକାନଗିରିରୁ ଜିତେନ୍ଦ୍ର ବେଉରା ଓ ଉମରକୋଟରୁ କାର୍ତ୍ତିକ ମଲ୍ଲିକ) 

ବିବାହ ଭୋଜିକୁ ଯାଇ ୪ ଜଣଙ୍କ ମୃତୁ୍ୟ ମାମଲା
ଉମରକୋଟର ପତି,ପତ୍ନୀଙ୍କ ସହ ୪ ଜଣଙ୍କ ମୃତୁ୍ୟରେ ଟୁଇଷ୍ଟ
ଦୁର୍ଘଟଣାରୁ ପରିତ୍ୟକ୍ତ କୁଅରେ ପଡ଼ି ପ୍ରାଣ ହରାଇଛନ୍ତି ସମସ୍ତେ
ମୋବାଇଲ୍ ଟ୍ରାକ୍ କରି ମୃତଦେହ ଉଦ୍ଧାର କଲା ଛତିଶଗଡ଼ ପୋଲିସ
ଦୁର୍ଘଟଣାର କାରଣ ଖୋଜୁଛି ପୋଲିସ