• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ଉତ୍ସବକୁ ଯୋଗଦେବାକୁ ପାଇଁ ହସଖୁସିରେ ବାହାରିଥିଲେ । ହେଲେ ପହଞ୍ଚିବା ପୂର୍ବରୁ ଯମ ନେଇଗଲା ଜୀବନ । ଭରସାମ୍ୟ ହରାଇବା ପରେ ଏକ ଟ୍ରକ ନଦୀକୁ ଖସିପଡ଼ିବା ପରେ ୫ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତଦେହକୁ ଉଦ୍ଧାର କରି ବାହାରକୁ ଅଣାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ଜଣେ ମହିଳା ଅଛନ୍ତି । ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨୮ଜଣ ସାମାନ୍ୟ ଆହତ ହୋଇଛନ୍ତି ।

ବୁଧବାର ଦିନ ସକାଳ ୬ଟା ସମୟରେ ମଧ୍ୟପ୍ରଦେଶର ଦତିଆ ଜିଲ୍ଲାର ବୁହାରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ବ୍ରିଜ ପାର ହେଉଥିବା ବେଳେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଝିଅର ବିବାହ ପାଇଁ ଗ୍ୱାଲିଅରର ଭେଲେଟି ଗାଁରୁ ଟିକାମଗଡ଼ର ଜାଟାରା ଗାଁକୁ ଯାଉଥିଲେ ପରିବାର ଲୋକ । ମଙ୍ଗଳବାର ରାତିରେ ଏକ ଆଇଚର୍ ଗାଡିରେ ସମସ୍ତେ ବିବାହରେ ଯୋଗ ଦେବା ପାଇଁ ବାହାରିଥିଲେ । ନଦୀର ନିର୍ମାଣାଧୀନ ବ୍ରିଜ୍‌ ଉପରେ କିଛି ଦୂର ଯିବା ପରେ ଟ୍ରକଟି ଓଲଟି ପଡିଥିଲା ।

କାମ ଚାଲୁଥିବାରୁ ସେହି ରାସ୍ତା ଦେଇ ଯିବା ପାଇଁ ପରିବାର ଲୋକ ମନା କରୁଥିଲେ । ହେଲେ କାହା କଥା ନମାନି ନିଜ ଇଚ୍ଛା ମୁତାବକ ସେହି ରାସ୍ତାରେ ଆଗକୁ ଗାଡ଼ି ବଢ଼ାଇଥିଲା ଡ୍ରାଇଭର୍‌ । ଫଳରେ ଗାଡ଼ିଟି ନଦୀ ଭିତରକୁ ଗଳି ପଡ଼ିଥିଲା ।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ପୋଲିସ୍‌ । ନଦୀ ଭିତରୁ ମୃତଦେହ ବାହାର କରିବା ସହ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଦତିୟା ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ।

ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କୁ ସବୁ ପ୍ରକାରର ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ମୃତକଙ୍କୁ ୪ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।