• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟଳିଗଲା ବଡ଼ ଅଘଟଣ । କଟକ ପୁରୀଘାଟ ଥାନା ନିକଟ ତ୍ରିଶା ହସ୍ପିଟାଲରେ ନିଆଁ ଆଉ ଧୂଆଁରୁ ବର୍ତ୍ତିଗଲା ଅନେକଙ୍କ ଜୀବନ । ହସ୍ପିଟାଲର ତୃତୀୟ ମହଲାରେ ଆଜି ଅପରାହ୍ନରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇ ନିଆଁ ଲାଗିଯାଇଥିଲା । ପରେ ତୃତୀୟ ମହଲାରେ ଥିବା ଜେନେରାଲ ୱାର୍ଡ ଏବଂ ଆଇସିୟୁକୁ ବ୍ୟାପିଯାଇଥିଲା ଧୂଆଁ ।

ଯେଉଁଥିରେ ବିଭିନ୍ନ ବର୍ଗର ରୋଗୀ ଏବଂ ନବଜାତ ଥିବାବେଳେ ୧୫ ଜଣ ଆହତ ହୋଇ ବିଭିନ୍ନ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଘଟିଲା ଏହି ଅଘଟଣ ? ମେଡ଼ିକାଲରେ ନଥିଲା କି ଅଗ୍ନି ନିର୍ବାପନ ବ୍ୟବସ୍ଥା ? ସେନେଇ ଉଠିଛି ନାନା ପ୍ରଶ୍ନ । ଘରୋଇ ହସପିଟାଲରେ ନିଆଁ...ବିକଳ ହେଉଛନ୍ତି ରୋଗୀ...

ନିଆଁ-ଧୂଆଁର ପ୍ରଭାବରେ ଛଟପଟ ହେଉଥିବା କଅଁଳ ପିଲାଙ୍କୁ ନା ଦେଖି ହେଉଛି ନା ଦେଖାଇ ହେଉଛି... ବୀଭତ୍ସ ଆଉ ବେଦନାଦାୟକ ଘଟଣା ପ୍ରତ୍ୟେକଙ୍କୁ ଦୋହଲାଇ ଦେଉଛି । କଟକ ପୁରୀଘାଟ ଥାନା ନିକଟ ତ୍ରିଶା ହସପିଟାଲ୍ । ଚିକିତ୍ସାଧିନ ରୋଗୀଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗର ପ୍ରାଣମୂର୍ଛା ଉଦ୍ୟମ ।

ଜୀବନକୁ ପାଣି ଛଡ଼ାଇ ୩ ମହଲାରୁ ସିଡି ମାଧ୍ୟମରେ ଏମିତି ଜଣଙ୍କ ପରେ ଜଣେ ରୋଗୀଙ୍କୁ ଉଦ୍ଧାର କରୁଛନ୍ତି ଅଗ୍ନିଶମ ବିଭାଗର ବାହାଦୂର କର୍ମଚାରୀ । ଏସବୁ ଭିତରେ ରୋଗୀଙ୍କ ସଂପର୍କୀୟଙ୍କ ମୁହଁରେ ବାରି ହେଉଛି ଭୟ ଆଉ ଆତଙ୍କ । ୩ ମହଲା ବିଶିଷ୍ଟ ତ୍ରିଶା ହସପିଟାଲ୍ । ତୃତୀୟ ମହଲାରେ ରହିଛି ଜେନେରାଲ୍ ୱାର୍ଡ ସହ ଆଇସିୟୁ ।

ଏହି ଫ୍ଲୋରରେ ବିଭିନ୍ନ ବର୍ଗର ରୋଗୀଙ୍କ ସହ ନବଜାତ ଶିଶୁଙ୍କୁ ବି ରଖାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ, ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ତୃତୀୟ ମହଲାରେ ହଠାତ ପ୍ରଚଣ୍ଡ ଶବ୍ଦ ହେବା ସହ ଲାଗି ଯାଇଥିଲା ନିଆଁ । ଆଉ ତାପରେ ଚାହୁଁ ଚାହୁଁ ୱାର୍ଡ ଚାରିଆଡ଼େ ମାଡ଼ିଗଲା ଧୂଆଁ । ଅଣନିଶ୍ୱାସୀ ହୋଇପଡ଼ିଲେ ରୋଗୀଙ୍କ ସହ ନବଜାତ ।

ଅଗ୍ନିକାଣ୍ଡର ଖବର ପାଇ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ କରିଥିଲେ ଅଗ୍ନିଶମ କର୍ମଚାରୀ । ଆଉ ଉଦ୍ଧାର ପରେ ଜଣଙ୍କ ପରେ ଜଣଙ୍କୁ ପଠା ଯାଇଥିଲା ଅନ୍ୟ ହସ୍ପିଟାଲ । ସ୍ଥିତି ଏଭଳି ହୋଇଥିଲା ଯେ, ଆମ୍ବୁଲାନ୍ସ ଅଭାବ ଯୋଗୁଁ ତ୍ରିଶା ହସପିଟାଲ ସାମ୍ନା ରାସ୍ତା ଉପରେ ବେଶ୍ କିଛି ସମୟ ପାଇଁ ପଡ଼ିରହିଥିଲେ ଗୁରୁତର ରୋଗୀ ।

ଆଇସିୟୁରେ ଥିବା ଅନେକ ନବଜାତଙ୍କ ଅବସ୍ଥା ବି ହୋଇପଡ଼ିଥିଲା ଦୟନୀୟ । ସୌଭାଗ୍ୟର କଥା ପ୍ରାୟ ୨ ଘଣ୍ଟାର ଅପରେସନ ପରେ ନିଆଁକୁ ଆୟତ୍ତ ସହ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ତେବେ କିଭଳି ଘଟିଗଲା ଏତେ ବଡ଼ ଅଘଟଣ? ସର୍ଟସର୍କିଟ୍ ନା ଅନ୍ୟ କୌଣସି କାରଣ ? ଏହି ଘରୋଇ ହସପିଟାଲରେ ଥିଲା କି ଅଗ୍ନି ନିର୍ବାପନ ବ୍ୟବସ୍ଥା ?

ଯଦି ଅଗ୍ନି ନିର୍ବାପନ ବ୍ୟବସ୍ଥା ଠିକଠାକ୍ ଥିଲା ତେବେ ଏଭଳି ଅଘଟଣ ଘଟିଗଲା କେମିତି ? ସେନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ଅଘଟଣକୁ ନେଇ ଜାରି ରହିଛି ଖୋଳତାଡ଼ । ତେବେ ହସ୍ପିଟାଲ୍ ମ୍ୟାନେଜର କହିଛନ୍ତି AC ସର୍ଟସର୍କିଟରୁ ନିଆଁ ଲାଗିଯାଇଥିଲା । କିନ୍ତୁ ICUରେ କୌଣସି ନିଆଁ ଲାଗିନଥିଲା ।

ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଘରୋଇ ହସ୍ପିଟାଲରେ ଏଭଳି ଅଘଟଣ ନୂଆ ନୁହେଁ । କେଉଁଠି ରୋଗୀଙ୍କ ଜୀବନ ଯାଇଛି ତ ଆଉ କିଏ ମରଣମୁହଁରୁ ବି ବର୍ତ୍ତିଯାଇଛନ୍ତି । ତେବେ ବାରମ୍ବାର ଏଭଳି ଅଭାବନୀୟ ଘଟଣା କରେ ବି କାହିଁକି ସତର୍କ ହେଉନାହାଁନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ, ସେନେଇ ଉଠୁଛି ନାନା ପ୍ରଶ୍ନ ।

OTV is now on Whatsapp

Join and get latest news update delivered to you via whatsapp

Join Now