/odishatv-khabar/media/post_attachments/uploadimage/library/16_9/16_9_0/Death_1749991483.jpg)
Death
ଦୁଇ ସାଙ୍ଗଙ୍କ ମଧ୍ୟରେ ଜବରଦସ୍ତ ଦୋସ୍ତି ଥିଲା । ସଂପର୍କ ଅତି ନିବିଡ ଥିଲା । ସକାଳୁ ଉଠି ବୁଲିଲେ । ରଜସଂକ୍ରାନ୍ତିରେ ସାଙ୍ଗ ହୋଇ ଅନେକ ଫଟୋ ଉଠାଇଲେ । ହେଲେ ସେମାନେ ଜାଣିନଥିଲେ ଆଜିର ଫଟୋ ହେବ ଜୀବନର ଶେଷ ଫଟୋ । ସକାଳେ ମଜାମସ୍ତି କରୁଥିବା ଦୁଇ ସାଙ୍ଗଙ୍କୁ ଦ୍ୱିପ୍ରହରରେ ଡାକିନେଲା ଯମ । ଏକାସାଙ୍ଗରେ ପାଣିରେ ଭାସିଯାଇ ମୃତ୍ୟୁବରଣ କଲେ ।
ଗୋଟିଏ ପଟେ ସମଗ୍ର ଅଞ୍ଚଳରେ ରଜ ମଉଜ ଚାଲିଥିବା ବେଳେ ଦୁଇ ଜଣ ଯୁବକଙ୍କ ଅକାଳ ମୃତ୍ୟୁ ସମଗ୍ର ବାରିପଦାକୁ ସ୍ତବ୍ଧ କରି ଦେଇଛି । ଏହି ହୃଦୟ ବିଦାରକ ଘଟଣାରେ ଶୋକର ଛାୟା ଖେଳିଯାଇଛି । ଫିକା ପଡିଯାଇଛି ରଜ ମାହୋଲ୍ ।
ଆଜି ବାରିପଦା ସହରର ୭-୮ ଜଣ ସାଙ୍ଗ ଡକାଡକି ହୋଇ ଏକାଠି ହେଲେ । ସହରର ବିଭିନ୍ନ ସ୍ଥାନରେ ବୁଲିଲେ ଓ ସାଙ୍ଗ ହୋଇ ଫଟୋ ଉଠାଇଲେ ହେଲେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଗଲେ ଶିମିଳିପାଳ ଅଭୟାରଣ୍ୟର ଲୁଲୁଙ୍ଗ ଝରଣାକୁ । ସେଠାରେ ଗାଧୋଇଲେ । ଏମାନେ ସମସ୍ତେ ଇଂଜିନିୟରିଂ ପାଠ ପଢୁଆ ଶିକ୍ଷିତ ଯୁବକ । ହେଲେ ଲୁଲୁଙ୍ଗ ଝରଣାରେ ମୃତ୍ୟୁ ଦୁଇଜଣଙ୍କୁ ଅପେକ୍ଷା କରି ରହିଥିଲା । ସାଙ୍ଗ ହୋଇ ଝରଣାରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିଲେ । ୫ ଜଣଙ୍କ ମଧ୍ୟରୁ ୩ ଜଣ ସୌଭାଗ୍ୟବଶତଃ ପାହାଡିଆ ଝରଣାରୁ ବାହାରି ଆସିବାରେ ସକ୍ଷମ ହୋଇପାରିଥିଲେ । ଉପରକୁ ଉଠି ଆସିଥିଲେ । ହେଲେ ଦୁଇଜଣ ବାହାରି ପାରିନଥିଲେ ।
ଅଧିକ ପଢ଼ନ୍ତୁ: ଲୁହରେ ଭିଜିଲା ରଜ, ପାଣିରେ ବୁଡି ୪ ଜଣଙ୍କ ମୃତ୍ୟୁ !
ପାହାଡ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ନଥିବାରୁ ଯୋଗାଯୋଗ କରିବାରେ ବିଳମ୍ୱ ହୋଇଥିଲା । ତେଣୁ ବହୁ ବିଳମ୍ୱରେ ପହଞ୍ଚିଥିଲା ଦମକଳ ବାହିନୀ । ପରେ ପହଞ୍ଚିଥିଲା ସ୍କୁବା ଡାଇଭର୍ ଟିମ୍ । ଗଭୀର ପାଣିରୁ ଉଦ୍ଧାର କରି ଦୁଇଜଣଙ୍କୁ ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ । ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଦୁଃଖର କଥା ହେଉଛି, ଦୁଇ ଜଣଯାକ ହେଉଛନ୍ତି ଘରର ଏକମାତ୍ର ପୁଅ । ପରିବାର ଲୋକ ଏମାନଙ୍କୁ ନେଇ ଦେଖିଥିଲେ ବଡ଼ ସ୍ୱପ୍ନ । ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଲୋକେ । କାନ୍ଦୁଛନ୍ତି ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନ । ମେଡିକାଲ ପରିସରରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ ।
ମୃତ ଯୁବକମାନେ ହେଲେ ବାରିପଦା ମୁରୁଗାବାଡି ଅଞ୍ଚଳର ଅଙ୍କିତ ଭୁଜବଳ ଏବଂ ରଘୁନାଥପୁର ଅଞ୍ଚଳର ଆୟୁଷ୍ମାନ ନାୟକ । ଏହି ଖବର ପାଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଡାକ୍ତରଖାନା ଯାଇ ଦୁଇ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)