• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀ ସୁଲତାନପୁରୀରେ ଯୁବତୀଙ୍କୁ କାର୍ ଘୋଷାଡ଼ି ନେବା ଘଟଣାରେ ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ନୂଆ ସିସିଟିଭି ଫୁଟେଜ୍ । ଆଉ ତା ସହ ରହସ୍ୟ ଉପରୁ ବି ହଟୁଛି ପରଦା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ଯେଉଁଠି ଅଭିଯୁକ୍ତମାନେ ଘଟଣା ଘଟାଇବାର ଦୁଇ ଘଣ୍ଟା ପରେ ଏକ ସ୍ଥାନରେ ଆସି ପହଞ୍ଚୁଛନ୍ତି । ଜଣଙ୍କ ପରେ ଜଣେ ବାଲେନୋ କାରରୁ ଓହ୍ଲାଉଛନ୍ତି, ଆଉ କାରଟିକୁ ପ୍ରକୃତ ମାଲିକଙ୍କ ଜିମା ଦେଉଛନ୍ତି । ଏହି ସସିଟିଭି ଫୁଟେଜ ପାଇବା ପରେ ପୋଲିସ ତାର ତଦନ୍ତକୁ ଆଗକୁ ବଢାଇଛି ।

ଏହି ମାମଲାରେ ପୋଲିସ ହେପାଜତରେ ଥିବା କେବଳ ୫ ଅଭିଯୁକ୍ତ ନୁହେଁ ବରଂ ଆହୁରି ଦୁଇ ଜଣଙ୍କର ସମ୍ପୃକ୍ତି ରହିଥିବା ନେଇ ପୋଲିସ ଜାଣିବାକୁ ପାଇଛି । ସେହି ଦୁଇ ଜଣ ବ୍ୟକ୍ତି ଘଟଣାର ପ୍ରମାଣ ନଷ୍ଟ ଲାଗି ଉଦ୍ୟମ ମଧ୍ୟ କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ନାଁ ଆଶୁତୋଷ, ଆଶୁତୋଷ ଯିଏ କି କାରର ମାଲିକ । ଅଭିଯୁକ୍ତମାନେ ଆଶୁତୋଷଙ୍କ ଠାରୁ ଭଡ଼ାସୂତ୍ରରେ ନେଇଥିଲେ ବାଲେନୋ କାର । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ହେଉଛନ୍ତି ଅଙ୍କୁଶ ଖାନା, ଯିଏ କି ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ଭାଇ । ଅଙ୍କୁଶ କାର ଲାଇସେନ୍ସ ସମ୍ବନ୍ଧୀୟ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ । ଏନେଇ ଡିଜିଟାଲ ଏଭିଡେନ୍ସ ସଂଗ୍ରହ କରିଛି ପୋଲିସ ... ।

ପୋଲିସର ସୂଚନା ଅନୁଯାୟୀ, ଧରାପଡ଼ିଥିବା ୫ ଅଭିଯୁକ୍ତ ହେଲେ, ଦୀପକ ଖାନା, ମନୋଜ ମିତ୍ତଲ, ଅମିତ ଖାନା, କ୍ରିଷ୍ଣ ଏବଂ ମିଥୁନ୍ । ପୂର୍ବରୁ କୁହାଯାଉଥିଲା ଯେ ଦୁର୍ଘଟଣା ସମୟରେ ଦୀପକ ଗାଡ଼ି ଚଳାଉଥିଲେ । ହେଲେ ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ, ଦୀପକ ନୁହେଁ, ବରଂ ଅମିତ ଗାଡ଼ି ଚଳାଉଥିଲେ । ସବୁଠୁ ବଡ଼ କଥା ହେଉଛି, ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିଲା । ତେଣୁ ଆଇନର ଜାଲରୁ ଖସିବା ପାଇଁ ଅଭିଯୁକ୍ତମାନେ ପ୍ରଥମେ ପୋଲିସକୁ ମିଛ କହିଥିଲେ । ପରେ ଅଭିଯୁକ୍ତଙ୍କ ଚାଲ୍ ଧରାପଡ଼ିଛି ବୋଲି ପୋଲିସ କହିଛି ।

ଅଧିକ ପଢ଼ନ୍ତୁ: ତୀବ୍ର ବେଗରେ ଗାଡ଼ି ଦଉଡ଼ାଉଥିଲେ ୫ ସୈତାନ : ପିଚୁ ରାସ୍ତାରେ ଘୋଷାଡ଼ି ହୋଇ

ଏମତିକି ମୃତ ଅଞ୍ଜଳିଙ୍କ ସହ ଅଭିଯୁକ୍ତମାନେ ପୂର୍ବରୁ ପରିଚିତ ନଥିଲେ । ହେଲେ ଦୁର୍ଘଟଣା ପରେ ଅଭିଯୁକ୍ତମାନେ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଥିଲେ । ଅଞ୍ଜଳି ଗାଡ଼ି ଚଳାଉଥିବା ବେଳେ ତାଙ୍କ ସାଙ୍ଗ ନିଧି ଗାଡିରେ ବସିଥିଲେ, ଯେତେବେଳେ କାର୍ ସେମାନଙ୍କ ସ୍କୁଟିକୁ ଧକ୍କା ଦେଲା ସେତେବେଳେ ରାତି ପ୍ରାୟ ୨ଟା ଅଞ୍ଜଳିଙ୍କ ଗୋଡ଼ କାର ଚକ ତଳେ ଲାଖିଯାଇଥିଲା । ନିଧି ତଳେ ପଡିଯାଇ ଚିତ୍କାର କରିଥିଲେ ବି ତାଙ୍କ କଥା ଶୁଣିନଥିଲେ । କାରରେ ଥିବା ଅଭିଯୁକ୍ତ ଏମିତିକି ଅଭିଯୁକ୍ତମାନେ ଜାଣିପାରିଥିଲେ, କାରରେ ଅଞ୍ଜଳିଙ୍କ ମୃତଦେହ ଲାଗିରହିଛି ।

ହେଲେ କାରରୁ ମୃତଦେହ ଖସିବା ପର୍ଯ୍ୟନ୍ତ ଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ଗାଡିଟିକୁ ଡ୍ରାଇଭ କରିଥିଲେ । ସେତେବେଳକୁ କାରଟି ପ୍ରାୟ ୧୩ କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ରାସ୍ତାରେ ଘୋଷାଡି ନେଇଥିଲା । ଦୁର୍ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ କାର ମାଲିକ ଆଶୁତୋଷଙ୍କ ନିକଟକୁ ଗାଡ଼ି ଆଣିଥିଲେ ସମସ୍ତ ଅଭିଯୁକ୍ତ । ଏହାପରେ ଭୋର ପ୍ରାୟ ୪ଟା ୩୩ ମିନିଟରେ ଏକ ଅଟୋ ରିକ୍ସାରେ ଅଭିଯୁକ୍ତମାନେ ଚାଲିଯାଇଥିଲେ । ଦିଲ୍ଲୀ ରୋହିଣି ନିକଟରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି ... ।

ମୃତ ଯୁବତୀ ଅଞ୍ଜଳିଙ୍କ ସହ କୌଣସି ଯୌନ ଉତ୍ପୀଡ଼ନ ହୋଇନଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରାସ୍ତାରେ ଘୋଷାଡ଼ି ହେବା ଫଳରେ ଅଞ୍ଜଳିଙ୍କ ଦେହରେ ପ୍ରାୟ ୪୦ଟି କ୍ଷତ ଚିହ୍ନ ରହିଛି । ମୁଣ୍ଡର ଖପୁରି ଥିବା ବେଳେ ବ୍ରେନ୍ ଅଂଶ ଏପର୍ଯ୍ୟନ୍ତ ମିଳିନି । ଏନେଇ ପୋଲିସ ତାର ତଦନ୍ତ ଜାରି ରଖିଛି । ପ୍ରତ୍ୟକ୍ଷଦର୍ଶୀ ଓ ଫରେନସିକ୍ ଟିମ୍ ସହାୟତାରେ ତଦନ୍ତ ଆଗକୁ ବଢାଇଛି । ସମସ୍ତ ତଥ୍ୟକୁ ନେଇ ପୋଲିସ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିବ । ପୁରା ତଦନ୍ତରେ ପୋଲିସର ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ସ୍ପେଶାଲ ପୋଲିସ କମିଶନର ସାଗର ପ୍ରୀତି ହୁଡ଼ା ।