• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜପଥରେ ବିପଦ ସାଜିଛି ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା । ଡ୍ରାଇଭରଙ୍କ ତ୍ରୁଟିରୁ ହେଉ କିମ୍ବା ଯାନରେ କୌଣସି ଯାନ୍ତ୍ରିକ ସମସ୍ୟା ଯୋଗୁ ହେଉ, ଗ୍ୟାସ୍ ଟ୍ୟାଙ୍କର ଗୁଡ଼ିକ ଦୁର୍ଘଟଣାର ଶିକାର ହେବାରୁ ବିପଦମୁହଁକୁ ଠେଲି ହୋଇଯାଉଛି ଜନଜୀବନ । ଆଜି କଳାହାଣ୍ଡିରେ ଘଟିଛି ଏମିତି ଏକ ଦୁର୍ଘଟଣା । ଗ୍ୟାସ୍‌ରୁ ବର୍ତ୍ତିବା ପାଇଁ ଆଖପାଖ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ସହ ୨ କିଲୋମିଟର ଯାଏଁ ନିଆଁ ବ୍ୟବହାରକୁ ବାରଣ କରିଥିଲା ପ୍ରଶାସନ ।

ପୁଣି ରାଜପଥରେ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ପୁଣି ଆତଙ୍କିତ ଆଖପାଖ ଜନତା । ଭୁଷ୍ ଭୁଷ୍ ହୋଇ ଟ୍ୟାଙ୍କରରୁ ବାହାରୁଛି ଗ୍ୟାସ୍ । ମାଡ଼ିଚାଲିଥିବା ଗ୍ୟାସ୍ ଗନ୍ଧ ପରେ ନା କାହା ଘରେ ଚୁଳି ଜଳୁଛି, ନା କେହି ରୋଷେଇ ବାସ କରୁଛନ୍ତି । ଭୟ ଆଉ ଆତଙ୍କ ଘେରରେ ଅଛନ୍ତି କଳାହାଣ୍ଡି ଜିଲ୍ଲା ରାଜ୍ୟ ରାଜପଥ-୧୬ର ପାଷ୍ଟିପଡ଼ା ଅଞ୍ଚଳ ବାସିନ୍ଦା । ସମସ୍ତଙ୍କ ମନରେ ସେହି ଗୋଟିଏ ଭୟ, କେତେବେଳେ କିଛି ବି ଘଟିଯାଇପାରେ । ତେଣୁ ପ୍ରଶାସନର ସହାୟତାରେ ଏଠାରେ ଆଶ୍ରୟ ନେଇଛନ୍ତି ଏମାନେ । 

ସମୟ ସକାଳ ପ୍ରାୟ ସାଢ଼େ ୫ଟା । ବିଶାଖାପାଟଣାରୁ ରାୟପୁର ଅଭିମୁଖେ LPG ଧରି ଯାଉଥିବା ଏହି ଟ୍ୟାଙ୍କର୍‌ଟି ଓଲଟି ପଡ଼ିଥିଲା । ତାପରଠୁ ଦିନତମାମ ବାହାରୁଥିଲା ଗ୍ୟାସ୍ । ଏହାକୁ ଦେଖି ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା । ତାସହ ୨ କିଲୋମିଟର ଯାଏଁ ନିଆଁ ବ୍ୟବହାରକୁ ବନ୍ଦ ରଖାଯିବା ସହ ବିଦ୍ୟୁତ କାଟ୍ କରାଯାଇଥିଲା । ଭବାନୀପାଟଣା-ରାୟପୁର ମୁଖ୍ୟ ରାସ୍ତାରେ ଯାତାୟତକୁ ବନ୍ଦ ରଖାଯାଇଥିଲା । ତାରି ଭିତରେ ଗ୍ୟାସ୍‌ର ପ୍ରଭାବକୁ କମାଇବା ପାଇଁ ପାଣି ସ୍ପ୍ରେ କରିଥିଲେ ଅଗ୍ନିଶମ କର୍ମଚାରୀ ।

ରାଜ୍ୟ ରାଜପଥ ଗୁଡ଼ିକରେ ଏଭଳି ଘଟଣା ନୂଆ ନୁହେଁ । ୨୦୧୮, ସେପଟେମ୍ବର ୭, ଅନୁଗୁଳ ରାନତେଇରେ ଘଟିଥିଲା ଏଭଳି ଘଟଣା । ୨୦୧୯, ମାର୍ଚ୍ଚ ୮ରେ ଭଦ୍ରକ ଅସୁରା ନିକଟରେ ଟ୍ୟାଙ୍କର୍‌ରୁ ଲିକ୍ ହୋଇ ବାହାରିଥିଲା ଗ୍ୟାସ୍ । ସେହିପରି ୨୦୨୧, ଜୁନ୍ ୧୭ରେ ଖୋର୍ଦ୍ଧା ଟାଙ୍ଗି ଚାନ୍ଦପୁର ଏନ୍ଏଚ୍‌ରେ ଘଟିଥିଲା ସମାନ ଘଟଣା । ଡ୍ରାଇଭର୍‌ଙ୍କ ତ୍ରୁଟିରୁ ହେଉ କିମ୍ବା କୌଣସି କାରଣବଶତଃ ଦୁର୍ଘଟଣାରୁ ହେଉ, ବାରମ୍ବାର ଏଭଳି ଘଟଣା ଘଟୁଛି ।

ଗତ ନଭେମ୍ବର ୨୯ରେ ମଦ୍ୟ କୋରାପୁଟ ଜିଲ୍ଲା ପଟାଙ୍ଗୀ ରାଜୁଗୁଡ଼ା ନିକଟରେ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇ ଗ୍ୟାସ୍ ଲିକ୍ ହୋଇଥିଲା । ତେବେ କାହିଁକି ବାରମ୍ବାର ଘଟୁଛି ଏମିତି ଅଘଟଣ ? ଅତ୍ୟଧିକ ଦହନଶୀଳ ଗ୍ୟାସ୍‌କୁ ଦାୟିିତ୍ୱହୀନ ଭାବେ ପରିବହନ କରାଯାଉଛି କି ? ପରିବହନ ଦାୟିତ୍ୱରେ ଥିବା ସଂସ୍ଥା ଗୁଡ଼ିକ SOP ଅନୁପାଳନ କରିବାରେ ଢିଲା ମାରୁଛନ୍ତି କି ?  

ଏଭଳି କ୍ରମାଗତ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେଉଥିଲେ ବି ସୌଭାଗ୍ୟକୁ ଧନ ଜୀବନହାନୀ ଭଳି ବଡ଼ ଅଘଟଣ ଘଟିନାହିଁ ।  (ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂଦେଓ ଏବଂ ଭୁବନେଶ୍ୱରରୁ ଅତୁଲ୍ୟ ବାଉତ)