• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନଈ ତୁଠରେ ପାଟି କରୁଥିଲେ ପ୍ରତ୍ୟକ୍ଷଦର୍ଶୀ...ହେଲେ ପାଟିକୁ ଖାତିର ନକରି ଗଭୀର ପାଣି ମହିଳାଙ୍କୁ ଟାଣି ନେଇଥିଲା କୁମ୍ଭୀର । ପରେ ଖିନଭିନ୍‌ କରି ଏମିତି ଖାଇଥିଲା ଯେ ଦେଖିବା ଲୋକ ବି ତାଜୁବ ହୋଇଯିବେ । ଯାଜପୁର ବରୀ ବ୍ଲକ ଅନ୍ତର୍ଗତ ପାଲଟପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ନଦୀକୁ ଲୁଗା ଧୋଇବାକୁ ଯାଇଥିବା ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେବା ସହିତ ଅଧିକାଂଶ ଶରୀରକୁ ଖାଇଦେଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ।

ବରୀ ବ୍ଲକ ଅମଠପୁର ପଂଚାୟତର ପାଲଟପୁର ଗାଁ । ଗାଁର ଅନାମଚରଣ ଜେନାଙ୍କ ପତ୍ନୀ ସକାଳ ୬.୩୦ ବେଳକୁ ଲୁଗା କାଚିବାକୁ ବିରୁପା ନଦୀକୁ ଯାଇଥିଲେ । ସାଙ୍ଗରେ ଅନ୍ୟ ଜଣେ ମହିଳା ବି ଥିଲେ । ତେବେ ନଦୀ କୁଳରେ ବସି ଲୁଗା କାଚିବା ସମୟରେ ନଦୀରୁ ଏକ ବିରାଟକାୟ କୁମ୍ଭୀର ଆସି ମହିଳାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା । ବଞ୍ଚାଅ ବଞ୍ଚାଅ ଚିତ୍କାର କରିବା ପରେ ବି ବଞ୍ଚାଇବା ମୁସ୍କିଲ ହେଲା । ଚାହୁଁଚାହୁଁ ନଦୀ ଆରପାଖ କୂଳକୁ ନେଇ ଖିନଭିନ କରି ଅତି ବିଭତ୍ସ ଭାବେ ମାରି ଖାଇଥିଲା କୁମ୍ଭୀର ।

କୁମ୍ଭୀର ଟାଣିନେବାର ଖବର ପାଇବା ପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ବୋଟ୍‌ରେ ନଈ ଆର ପଟକୁ ଯାଇଥିଲେ । କର୍ମଚାରୀଙ୍କୁ ଦେଖି ପଳାଇଥିଲେ କୁମ୍ଭୀର । ହେଲେ ସେତେବେଳକୁ ସବୁ କିଛି ସରିଯାଇଥିଲା ।  ସେପଟେ ମହିଳାଙ୍କୁ କୁମ୍ଭୀର ଆକ୍ରମଣ କରିଥିବାରୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ଗାଁ ଲୋକେ । ପ୍ରଥମେ ୬୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଶାସନ ପକ୍ଷରୁ ମିଳିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଣି ଥରେ ୫ ଲକ୍ଷ ୪୦ ହଜାର ଦିଆଯିବ ବୋଲି ଜଣାପଡିଛି । ତେବେ ବାରମ୍ବାର ଏମିତି କୁମ୍ଭୀର ଆକ୍ରମଣ ହେଉଥିବାରୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ଜୋର ଧରିଛି ଦାବି ।

 

  • Reported by:
  • Gulam