ଉଦ୍ଧାର କରିବାକୁ ଯାଇଥିଲେ, ହେଲେ ଜୀବନ ନେଇଗଲା ଯମ

ଉଦ୍ଧାର କରିବା ବେଳେ କ୍ରେନ୍ ଡ୍ରାଇଭରଙ୍କ ଜୀବନ ଗଲା

ଘଟଣାସ୍ଥଳରେ କ୍ରେନ୍ ଡ୍ରାଇଭର ମୃତ, ଥାନା ASI ଆହତ

ଉଦ୍ଧାର କରିବାକୁ ଯାଇ ଚାଲିଗଲା ଜୀବନ । ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ମଝି ରାସ୍ତାରୁ ଉଠାଉଥିଲା କ୍ରେନ୍‌ । ଏହି ସମୟରେ ହଠାତ ଏକ କାର୍ ମାଡ଼ି ଆସି କ୍ରେନ୍‌ ଚାଳକଙ୍କ ସମେତ ପୁଲିସ୍‌କୁ ବି ପିଟି ଦେଇଛନ୍ତି । ଆଜି ଭୋର ପ୍ରାୟ ୪ ଟା ସମୟରେ ବାରିପଦା- ବାଲେଶ୍ୱର ୧୮ନଂ ଜାତୀୟ ରାଜପଥର ହାତୀଝୁରୀ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ୍ ASI ଆହତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: କି ଭୟଙ୍କର ମୃତ୍ୟୁ ! ଦୁର୍ଘଟଣା ପରେ ଅଧ କିମି ଘୋଷାଡ଼ି ନେଲା ବସ୍‌

ସୂଚନା ଅନୁସାରେ ବାରିପଦାରୁ ବାଲେଶ୍ୱର ଆଡ଼କୁ ଯାଉଥିବା OD11Z 1525 ନମ୍ବର ବିଶିଷ୍ଟ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଆରପଟକୁ ପଳାଇ ଯାଇଥିଲା । ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଜାତୀୟ ରାଜପଥ ମଝିରେ ପଡିରହିଥିଲା । ଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଥିଲା । ଖବର ପାଇ ସ୍ଥାନୀୟ ବୈଶିଙ୍ଗା ଥାନା ଏଏସ ଆଇ ପ୍ରଦୀପ ରାଉତ ଉଦ୍ଧାର ପାଇଁ ଯାଇଥିଲେ । ଉଦ୍ଧାର ସମୟରେ ଆଉ ଏକ ଇନୋଭା କାର୍ ଦୃତଗତିରେ ଆସି ଦୁର୍ଘଟଣା ସ୍ଥଳରେ ପିଟି ହୋଇଥିଲା।

ଫଳରେ ଉଦ୍ଧାରକାର୍ଯ୍ୟରେ ଲାଗିଥିବା କ୍ରେନ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଏସଆଇଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ଏଏସଆଇଙ୍କୁ ବାରିପଦା ପିଆରଏମ୍‌ ମେଡକାଲ କଲେଜରେ ଭର୍ତ୍ତି ହୋଇଥିବା ବେଳେ ଆଉ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ଇନୋଭା ଗାଡ଼ିକୁ ଜବତ୍ କରିବା ସହ ଡ଼୍ରାଇଭରକୁ ଅଟକ ରଖିଛି ।