• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରେ ଭୁଶୁଡ଼ିଲା ବ୍ରିଟିଶ୍ ଅମଳର ପୋଲ । ବାହୁଦା ନଦୀ ଉପରେ ନିର୍ମାଣ ହୋଇଥିବା ପ୍ରାୟ ୯୦ ବର୍ଷର ପୁରୁଣା ଏହି ପୋଲ ଭୁଶୁଡ଼ି ଯାଇଛି । ଆଜି ସକାଳୁ ଏକ ଗ୍ରାନାଇଟ ବୋଝେଇ ଟ୍ରେଲର ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାବେଳେ ଅନ୍ୟ କୌଣସି ଗାଡ଼ି ଯାତାୟତ କରୁନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି ।

ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତିଲା । ୩୦ ଫୁଟ ତଳକୁ ଗଳିପଡିଲା ଗ୍ରାନାଇଟ ପଥର ଧରି ଆସୁଥିବା ଏକ ବଡ଼ ଟ୍ରେଲର । ତାସହ କ୍ଷଣିକ ମଧ୍ୟରେ ଭୁଶୁଡିଗଲା ବ୍ରିଟିଶ୍ ଅମଳର 'ବାହୁଦା' ବ୍ରିଜ୍ ବା ରାମଚନ୍ଦ୍ର ମର୍ଦ୍ଧରାଜ ସେତୁ । ୯୦ ବର୍ଷରୁ ଅଧିକ ବର୍ଷ ପୁରୁଣା ଏହି ବ୍ରିଜ୍ ଏବେ ଭଗ୍ନସ୍ତୁପ ପାଲଟିଯାଇଛି । ଏହି ବ୍ରିଜ୍ ଗଞ୍ଜାମ ପାତ୍ରପୁରରୁ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମକୁ ସଂଯୋଗ କରୁଥିଲା । ଆଜି ସକାଳ ପ୍ରାୟ ୫ଟା ୧୫ରୁ ୫ଟା ୩୦ ମିନିଟରେ ଘଟିଛି ଏହି ଦୁର୍ଘଟଣା । ପାତ୍ରପୁର ପଟୁ ଆନ୍ଧ୍ର ପ୍ରଦେଶ ଆଡ଼କୁ ଏକ ଟ୍ରେଲର ଗ୍ରାନାଇଟ୍ ପଥର ବୋଝେଇ କରି ଆସୁଥିଲା ।

ଡ୍ରାଇଭର ବ୍ରିଜ ଉପରେ ଗାଡି ଚଢାଇବାର କିଛି କ୍ଷଣ ମଧ୍ୟରେ ଗାଡି ସହ ସିଧା ତଳକୁ ଖସିପଡିଥିଲେ । ଡ୍ରାଇଭର ଜଣକ ସାମାନ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହେଲେ ଟ୍ରେଲର ବଦଳରେ ଯଦି କୌଣସି ଯାତ୍ରାବାହୀ ଗାଡି ଯିବା ବେଳେ ଏହି ଅଘଟଣ ଘଟିଥା’ନ୍ତା, ତେବେ ନିଶ୍ଚିତ ଏକ ବଡଧରଣର ଦୁର୍ଘଟଣାର ସମ୍ମୁଖିନ ହୋଇଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ୧୯୨୯ ମସିହାରେ ଇଂରେଜ ଶାସନ ଅମଳରେ ନିର୍ମାଣ ହୋଇଥିଲା ଏହି ପୋଲ । ପ୍ରତିଦିନ ଏହି ପୋଲ ଦେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଗାଡିମୋଟର ଯାତାୟତ କରିଥାଏ ।

ଯାତ୍ରୀବାହୀ ବସ୍‌ ଗୁଡ଼ିକ ମଧ୍ୟ ଏହି ବ୍ରିଜ୍ ଦେଇ ୧୬ ନମ୍ବର ଜାତୀୟ ରାଜପଥକୁ ଉଠିଥା’ନ୍ତି । ଏବେ ପୋଲ ଭାଙ୍ଗିଯିବା ପରେ ପାତ୍ରପୁରରୁ ଇଚ୍ଛାପୁର ଯିବାକୁ ହେଲେ ଅଧିକ ୬ କିଲୋମିଟର ରାସ୍ତା ବୁଲାଣି ପଡିବ । ତେଣୁ ଏହାର ତୁରନ୍ତ ନିର୍ମାଣ ଦାବି କରିଛି ଜନସେନା ପାର୍ଟି । ଦଳୀୟ କର୍ମୀ ବ୍ରିଜ୍ ନିକଟରେ ଧାରଣା ଦେଇଛନ୍ତି । ୪-୫ ବର୍ଷ ତଳୁ ଏହି ବ୍ରିଜ ମରାମତି ଲାଗି ଦାବି ହୋଇଆସୁଥିଲେ ସୁଦ୍ଧା କେହି ଶୁଣିନଥିବା ଅଭିଯୋଗ ହୋଇଛି ।ଭାଙ୍ଗିଯାଇଥିବା ଏହି ବ୍ରିଜର ମରାମତି ହେବ ନା ପୁନଃନିର୍ମାଣ ହେବ, ତାହା ଆଗାମୀ ଦିନରେ ହିଁ ଜଣାପଡିବ ।

  • Reported by:
  • JAGANATH SAHU