/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690477017.jpg)
Killer Truck
ହୁତୁ ହୁତୁ ହୋଇ ଜଳୁଛି ଟ୍ରକ୍ । କ୍ଷଣିକରେ ପୂରା ଟ୍ରକକୁ ଛାରଖାର କରିଦେଲା ନିଆଁ । ଆଉ ସେ ନିଆଁ ହେଉଛି ସାଧାରଣ ଲୋକଙ୍କ କ୍ରୋଧର ନିଆଁ । କାରଣ କିଲର୍ ଟ୍ରକ ଗୋଟିଏ ପରିବାରକୁ ଅନାଥ କରିଦେଇଛି । ଦଶଜଣିଆ ପରିବାରକୁ ପରିପୋଷଣ କରୁଥିବା ଘରର ମୁରବୀଙ୍କୁ ମାରିଦେଇଛି । ତେଣୁ ରାଗରେ ଟ୍ରକ୍କୁ ଜାଳିଦେଇଛନ୍ତି ଉତ୍ୟକ୍ତ ଲୋକେ ।
ବୁଧବାର ଅପରାହ୍ନ ୫ ଟା । ବଲାଙ୍ଗିର ଉପକଣ୍ଠ ଖମାରମୁଣ୍ଡା ଗାଁର ୫୬ ବର୍ଷୀୟ ରବିନାରାୟଣ ନନ୍ଦ ନିଜ କାମ ସାରି ବଲାଙ୍ଗିର ସହରରୁ ଗାଁକୁ ଫେରୁଥିଲେ । କିନ୍ତୁ ରବି ଜାଣିନଥିଲେ ରାସ୍ତାରେ ଛକି ରହିଛି ଯମ । ମାଧିଆପାଲି ନିକଟରେ ହଠାତ୍ ରବିଙ୍କୁ ପଛ ପଟୁ ଏକ ଦଶ ଚକିଆ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା । ମୃତ ରବିଙ୍କ ଘରେ ବୁଢାର ବାପା, ବିଧବା ଭାଇବୋହୂ, ସ୍ତ୍ରୀ, ପୁଅ,ଝିଅ ଓ ପୁତୁରା ସମସ୍ତେ ଅଛନ୍ତି । ଆଉ ସମସ୍ତଙ୍କ ମୁହଁରେ ଆହାର ଦେବାକୁ ବଲାଙ୍ଗିର ସହରର ଏକ ଛାପାଖାନାରେ କାମ କରୁଥିଲେ ରବି ।
ହେଲେ ସବୁ ଆଶା ଓ ସ୍ୱପ୍ନକୁ ଛାରଖାର କରିଦେଲା ଟ୍ରକ୍ । ଗୋଟିଏ ଝଟକାରେ ପରିବାରର ମୁଖିଆଙ୍କ ଜୀବନ ନେଇଗଲା । ଦୁର୍ଘଟଣା ପରେ ଫେରାର ମାରୁଥିଲା ଟ୍ରକ୍ ହେଲେ ସ୍ଥାନୀୟ ଲୋକେ ଗୋଡେଇବାରୁ ଦୁଇ ଶହ ମିଟର ଦୂରରେ ଟ୍ରକକୁ ଛାଡି ଫେରାର ମାରିଥିଲା ଡ୍ରାଇଭର । ହେଲେ ଉତ୍ୟକ୍ତ ଲୋକେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ ଆଉ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପାଖାପାଖି ୪ ଘଂଟା ଜାମ୍ ହୋଇ ରହିଥିଲା ରାସ୍ତା । ପ୍ରଶାସନର ବୁଝାସୁଝା ପରେ ରାସ୍ତା ଜାମ୍ ହଟିଥିଲା ହେଲେ ନୋଏଣ୍ଟ୍ରି ସମୟରେ କିପରି ଛତିଶଗଡ ନମ୍ବର ଥିବା ଟ୍ରକ ସହର ଭିତରକୁ ଏଣ୍ଟ୍ରି କଲା ତା’କୁ ନେଇ ଉଠିଛି ପ୍ରଶ୍ନ ।
ବଲାଙ୍ଗିର ସହର ଦେଇ ଦୁଇ ଦୁଇଟି ରାଜପଥ ଯାଇଛି । ଆଉ ସେଥିରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । ତେଣୁ ସହର ମଧ୍ୟରେ ସକାଳ ୬ରୁ ରାତି ୧୨ଟା ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ଉପରେ କଟକଣା ରହିଛି । ହେଲେ କଟକଣାକୁ ମାନୁନାହାନ୍ତି ଗାଡି ଚାଳକ । ଏମିତିକି ପୋଲିସକୁ କିଛି ଟଙ୍କା ଦେଇ ଗାଡି ସହର ଭିତରେ ପ୍ରବେଶ କରୁଥିବା ଅଭିଯୋଗ ହେଉଛି । ସେପଟେ ଭିଡ କମାଇବାକୁ ବାଇପାସ୍ କାମ ଚାଲିଛି ହେଲେ ତାହା ମନ୍ଥର ଗତିରେ ଚାଲିଥିବାରୁ ତୁରନ୍ତ ରାସ୍ତା କାମ ସାରିବାକୁ ଜୋର ଧରିଛି ଦାବି । ସେପଟେ ତହସିଲଦାର କହିଛନ୍ତି ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଉପରେ କାର୍ଯ୍ୟାନୁଷ୍ଠାନ ହେବ ।
କେବଳ ଏବେ ନୁହେଁ ପୂର୍ବରୁ ମଧ୍ୟ ସହର ମଧ୍ୟରେ ଦୁର୍ଘଟଣା ଘଟି ଅନେକ ଜୀବନ ଯାଇଛି । ତେଣୁ ବାଇପାସ୍ ରାସ୍ତା ତୁରନ୍ତ ସାରିବାକୁ ଦାବି ହୋଇଛି । ହେଲେ ଏଯାଏ ରାସ୍ତା କାମ ସରୁନି କି ଦୁର୍ଘଟଣା କମୁନି ଯାହାକୁ ନେଇ ଚିନ୍ତାରେ ବଲାଙ୍ଗିରବାସୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)