• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଚାନକ ମୁଣ୍ଡ ଉପରେ ପଡ଼ିଲା ବାଇକ୍‌ । ଚାଲିଗଲା ନୀରିହ ଜୀବନ । ଏମିତି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ । ଆପଣ ଭାବୁଥିବେ ମୁଣ୍ଡ ଉପରେ ବାଇକ୍‌ କେମିତି ପଡ଼ିଲା । ତେବେ ପୁରା ଘଟଣାଟି ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଉ କହିବେ ମୃତ୍ୟୁ କେମିତି ଆସିବ କେହି କହିପାରିବେ ନାହିଁ । ଏ ଧରିତ୍ରୀ ରଙ୍ଗମଞ୍ଚରେ ଯାହାର ଅଭିନୟ ସରିବ ସେ ଆର ପାରିକୁ ଚାଲିଯିବ ।

ପୁରା ଘଟଣାଟି ହେଲା...

ଯୁବକ ଯୁବତୀ ରିଲ୍‌ସ କରୁଥିଲେ । ଫ୍ଲାଏ ଓଭର ଉପରେ ଛିଡ଼ା ହୋଇ ଭିନ୍ନ ଭିନ୍ନ ଢ଼ଙ୍ଗରେ ରିଲ୍‌ସ କରୁଥିଲେ ଜଣେ ଯୁବକ ଆଉ ଜଣେ ଯୁବତୀ । ସେମାନେ ଏକ ନୂଆ ବାଇକ୍‌ ମଧ୍ୟ ପାଖରେ ରଖିଥିଲେ । ସେହି ନୂଆ ବାଇକ୍‌ରେ ମଧ୍ୟ କିଛି ଷ୍ଟଣ୍ଟ ବା ପୋଜ ଦେଖାଇ ରିଲ୍‌ସ ସୁଟିଂ କରୁଥିଲେ । ଉତ୍ତର ପ୍ରଦେଶର ବାହାଣାଶୀରେ ଫ୍ଲାଏ ଓଭରରେ ଏଭଳି କିଛି ମସ୍ତି କରୁଥିଲେ ଯୁବକ ଯୁବତୀ ।

ତେବେ ବିଡ଼ମ୍ବନା ଏହା ଯେ, ସେମାନେ ରିଲ୍‌ସରେ ବ୍ୟସ୍ତ ଥିବା ବେଳେ ଅଚନାକ ଭାରସାମ୍ୟ ହରାଇ ତଳେ ପଡ଼ିଥିଲେ । ଯାହାଫଳରେ ତାଙ୍କ ବାଇକ୍‌ଟି ଫ୍ଲାଏ ଓଭରରୁ ତଳକୁ ଖସି ପଡ଼ିଥିଲା । ଆଉ ତଳେ କାର୍‌ରେ ଯାଉଥିବା ଜଣେ ଯୁବ ଜୁନିଅର ଇଞ୍ଜିନିଅରଙ୍କ କାର ଉପରେ ପଡ଼ିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ସେ ଟଳିପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ପୋଲିସକୁ ଖବର ଦେବା ସହ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କାର ଭିତରେ ଦୁଇ ଜଣ ଥିବା କଥା ସ୍ଥାନୀୟ ଲୋକେ କହିଛନ୍ତି । ସେଥିରୁ ଜଣକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣା ରବିବାର ସନ୍ଧ୍ୟାରେ ଘଟିଛି । 

ଅନ୍ୟପଟେ ଅଭିଯୋଗ ପାଇ ରିଲ୍‌ସ କରୁଥିବା ଦୁଇ ଯୁବକ ଯୁବତୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛି ପୋଲିସ । ସେମାନଙ୍କୁ ଗିରଫ କରିବାକୁ ଛାନ୍‌ଭିନ୍‌ ଆରମ୍ଭ କରିଛି । ତେବେ ମୃତକଙ୍କ ପରିବାର ଲୋକ ମେଡିକାଲରେ ପହଞ୍ଚି କାନ୍ଦ ବୋବାଳି ପକାଇବା ସହ ପୋଲିସ ନିକଟରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ମୃତ ଯୁବ ଜୁନିଅର ଇଞ୍ଜିନିୟର ଜଣକ ହେଲେ ସର୍ବେଶ ଶଙ୍କର । ସେ ରେଳ ବିଭାଗରେ ଇଞ୍ଜିନିଅର ଭାବ କାମ କରୁଥିଲେ । ତାଙ୍କ ସାଙ୍ଗରେ କାର୍‌ ଭିତରେ ଥିବା ଅନ୍ୟ ସାଙ୍ଗ ଜଣକ ହେଲେ ଆଦିତ୍ୟ ବର୍ମା ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବାନୁଯାୟୀ, ଯୁବକ ଯୁବତୀ ଫ୍ଲାଏ ଓଭର ଉପରେ ରିଲ୍‌ସ କରୁଥିଲେ ସେମାନଙ୍କ ଅସାବଧାନତା ପାଇଁ ବାଇକ୍‌ ତଳକୁ ପଡ଼ିଲା । ଆଉ ଜଣେ ନୀରିହଙ୍କ ଜୀବନ ଚାଲିଗଲା । ସ୍ଥାନୀୟ ଲୋକ ଓ ଦେଖଣାହାରୀ ବା ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ ପୋଲିସ ତଦନ୍ତ ପ୍ରଣାଳିକୁ ଆଗେଇ ନେଉଛି । ଆଖପାଖରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ସିସିଟିଭି ଆଧାରରେ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ିବ ।

କାରଣ ଦୁର୍ଘଟଣା ପରେ ସେଠାରେ ରିଲ୍‌ସ କରୁଥିବା ଯୁବକ ଯୁବତୀ ଫେରାର ହୋଇଯାଇଥିଲେ । ଏମିତିକି ସେମାନେ ନିଜର ବାଇକ୍‌ ନେବାକୁ ମଧ୍ୟ ଏଯାଏଁ କୌଣସି ପ୍ରକାର ଚେଷ୍ଟା କରି ନାହାନ୍ତି । ବାଇକ୍‌ର ନମ୍ବରରୁ ଅଭିଯୁକ୍ତଙ୍କର ଟେର୍‌ ଖୁବ୍‌ ସହଜରେ ମିଳିଯିବ ବୋଲି ପୋଲିସ କହିଛି ।