• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗଙ୍ଗା ନଦୀରେ ଓଲଟି ପଡ଼ିଲା ଡଙ୍ଗା । ମଝି ନଈରେ କାଳ ସାଜି ଆସିଲା ମୃତ୍ୟୁ । ଏଥିରେ ୪ ଜଣ ମହିଳାଙ୍କ ଜୀବନ ଚାଲିଯାଇଛି ଓ ଅନେକ ଆହତ ହୋଇଛନ୍ତି । ଡଙ୍ଗାରେ ୩୦ ଜଣ ଯାତ୍ରୀ ସବାର ଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶା କରାଯାଉଛି । ଉତ୍ତରପ୍ରଦେଶର ବଲିଆ ଅଞ୍ଚଳର ମାଲ୍ଲେଦୁର ଗଙ୍ଗା ଘାଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ଡଙ୍ଗା ବୁଡ଼ିଯିବା ପରେ କିଛି ଲୋକ ପହଁରି ପହିଁରି କୂଳକୁ ପଳାଇ ଆସିଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଅନେକ ମହିଳା ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି । ଜୋରସୋରରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ବାଲିଆ ଜିଲ୍ଲାପାଳ । ଏହି ଘଟଣାରେ ଚାରି ଜଣ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ବାଲିଆର ଖେଜୁରୀ ଥାନା ଅନ୍ତର୍ଗତ ଏକ ଗାଁର ମହିଳା ଓ ପୁରୁଷ ଓହର ପରମ୍ପରା ଅନୁଯାୟୀ ନଦୀ କୂଳରେ ଏକାଠି ହୋଇଥିଲେ । ଏହି ପରମ୍ପରାରେ ଡଙ୍ଗା ସାହାଯ୍ୟରେ ଗଙ୍ଗା ପାର ହେବାର ନୀତି ରହିଛି । ସେଥିପାଇଁ ମହିଳା ଏବଂ ପୁରୁଷମାନେ ସାଥୀ ହୋଇ ପାର ହେଉଥିବା ସମୟରେ ହଠାତ୍ ଡଙ୍ଗାଟି ଓଲଟି ପଡିଥିଲା । ସୌଭାଗ୍ୟବଶତଃ ଦୁର୍ଘଟଣାସ୍ଥଳରେ ଏକ ଦଉଡି ବନ୍ଧା ହୋଇଥିଲା, ଫଳରେ କିଛି ପୁରୁଷ ଦଉଡ଼ି ଧରି ବାହାରକୁ ପଳାଇ ଆସିଥିଲେ । କିନ୍ତୁ ମହିଳାମାନେ ତୁରନ୍ତ ବାହାରି ନପାରି ଫସିଯାଇଥିଲେ ।

ତେବେ ଦୁର୍ଘଟଣା ପଛରେ ତିନୋଟି କାରଣ ଥିବା କୁହାଯାଉଛି । ଡଙ୍ଗାରେ କ୍ଷମତା ଠାରୁ ଅଧିକ ଲୋକ ଯାତ୍ରା କରିବା ତଥା ଇଞ୍ଜିନରେ ଗଡ଼ବଡ଼ି ଯୋଗୁଁ ଦୁର୍ଘଟଣା ଘଟିଛି । ସେହିପରି ଅନ୍ୟ ଏକ କାରଣ ହେଲା ନଦୀ ମଝିରେ ପ୍ରବଳ ପବନ ହେବାରୁ ଡଙ୍ଗା ସନ୍ତୁଳନ ହରାଇଥିଲା । ଅନ୍ୟପଟେ ଏବେ ଡଙ୍ଗା ଚଳାଉଥିବା ଲୋକ ଘଟଣାସ୍ଥଳରୁ ଫେରାର ଅଛି ।