• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାହାନଗା...ଏ ନାଁ ଶୁଣିଲା ବେଳକୁ ଡର ଲାଗୁଛି । ଇଏ ଏମିତି ଏକ ଜାଗା ଯିଏ ୨୮୮ ପରିବାରକୁ ନଷ୍ଟଭ୍ରଷ୍ଟ କରିଦେଇଛି । କିଏ ସ୍ୱାମୀକୁ, କିଏ ପୁଅକୁ, କିଏ ସ୍ତ୍ରୀକୁ ତ ଆଉ କିଏ ଝିଅକୁ ହରାଇ କାନ୍ଦିକାନ୍ଦି ଦିନ କାଟୁଛି । ହେଲେ ଏ ବ୍ୟକ୍ତିଙ୍କ କୋହଭରା କଥା ଶୁଣିଲେ ଛାତି ଫାଟିଯିବ । କାରଣ ବାହାନଗାର ଟ୍ରେନ୍‌ ଆକ୍ସିଡେଣ୍ଟ କଥା ଶୁଣିବା ପରେ ପୁଅକୁ ଖୋଜିବାକୁ ସୁଦୂର ଅରୁଣାଚଳ ପ୍ରଦେଶରୁ ଓଡ଼ିଶା ଧାଇଁ ଆସିଛନ୍ତି । ପ୍ରଥମେ ବାହାନଗା ପରେ ଭୁବନେଶ୍ୱର ଏମ୍ସ...ଘୂରି ଘୂରି ପୁଅକୁ ଖୋଜିଲେ । ହେଲେ ଶବ ଚିହ୍ନଟ କଲା ବେଳକୁ ତାକୁ ଅନ୍ୟ କେହି ନେଇଯାଇଛନ୍ତି । ଏବେ ପୁଅକୁ ନପାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ।

ମାଆ ଅପେକ୍ଷା କରିଛି କେତେବେଳେ ପୁଅ ଆସିବ? ସ୍ତ୍ରୀ ଅପେକ୍ଷା କରିଛି କେତେବେଳେ ସ୍ୱାମୀ ଆସିବ । ହେଲେ ଏଇଠି ବାପା ଖୋଜୁଛି ପୁଅର ମୃତଦେହ । କରମଣ୍ଡଳ ଏମିତି କଳାକାହାଣୀ ରଚିଦେଲା ଯେ ୨୮୮ ପରିବାରର ଆଖିରୁ ଶୁଖୁନି ଲୁହ, ପେଟକୁ ଯାଉନି ଦାନା । ଭୟାନକ ଦୁର୍ଘଟଣା ସମ୍ପର୍କରେ ଟିଭିରୁ ଜାଣିବା ପରେ ପୁଅକୁ ଖୋଜି ଆସିଥିବା ବାପାକୁ ଘନଘନ ମାଆ ଫୋନ୍‌ କରୁଛି । ଆଉ ବାପା କହୁଛନ୍ତି, ବ୍ୟସ୍ତ ହୁଅନି ମୁଁ ପୁଅକୁ ମେଡିକାଲରେ ଖୋଜୁଛି । ହେଲେ ଏଯାଏଁ କହୁନାହାନ୍ତି କି ତାଙ୍କ ପୁଅ ଆଉ ନାହିଁ ।

କରମଣ୍ଡଳର କରୁଣକାହାଣୀ ଯେତେ କହିଲେ ବି ସରୁନି । ମାତ୍ର ୨୨ ବର୍ଷରେ ପୁଅକୁ ହରାଇଥିବା ଜଣେ ବାପା ମେଡିକାଲରୁ ମେଡିକାଲକୁ ଘୂରି ବୁଲୁଛି । ହେଲେ ଶବ ପାଉନି । ବରଂ ଅଧିକାରୀ କହୁଛନ୍ତି, କାଲିଠୁ ବିହାର ପଳାଇଲାଣି ୧୪ ନମ୍ବର ଡେଡବଡି । ଅବଶ୍ୟ ସେମାନଙ୍କୁ ଡାଉଟ୍‌ ହେଉଥିଲା ବଡି ନେବା ବେଳେ...ଥରେ ଚିନ୍ତା କରନ୍ତୁ । ପୁଅକୁ ହରାଇ କାନ୍ଦିକାନ୍ଦି ମେଡିକାଲରେ ବୁଲୁଥିବା ବାପାକୁ ଯେବେ କୁହାଯାଏ ବଡି ଅନ୍ୟ କେହି ନେଇ ପଳାଇଲେଣି ତେବେ ସେ ବାପାର ଅବସ୍ଥା କ’ଣ ହେଉଥିବ, ଥରେ ଚିନ୍ତା କରନ୍ତୁ। ଟ୍ରେନ୍‌ ଟ୍ରାଜେଡିରେ ଅନେକ ଲୋକଙ୍କର ଶବ ଏବେଯାଏଁ ଚିହ୍ନଟ ହୋଇପାରିନି । ହେଲେ ପୁଅକୁ ଖୋଜି ଖୋଜି ନୟାନ୍ତ ହେବା ପରେ ତା’ର ଶବକୁ ଆଉ କିଏ ନେଇ ପଳାଇଯାଇଥବ ଖବର ନିହାତି ଭାବରେ ହୃଦୟ ବିଦାରକ ।